ଝାରସୁଗୁଡ଼ା: ମହାମାରୀ କରୋନାର ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ସାରା ଦେଶକୁ ତାଲାବନ୍ଦ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ତଥା ରାଜ୍ୟର ସୀମା ଗୁଡ଼ିକୁ ସଂପୂର୍ଣ୍ଣ ଭାବେ ସିଲ୍ ମଧ୍ୟ କରାଯାଇଥିଲା। ଯେଉଁଥି ପାଇଁ ଗାଡ଼ି ମୋଟର ଏବଂ ବାହାର ଜିଲ୍ଲା ତଥା ରାଜ୍ୟର ଲୋକଙ୍କ ଅନ୍ୟ ଅଞ୍ଚଳରେ ପ୍ରବେଶ ଉପରେ ରୋକ ଲଗାଯାଇଥିଲା। କାଁ ଭାଁ ଚାଲିଥିବା ଗାଡ଼ି ମୋଟର ଗୁଡ଼ିକୁ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରି ଗନ୍ତବ୍ୟ ସ୍ଥଳକୁ ଛାଡ଼ୁଥିଲା। ପୁଲିସର ଏହି ଚକ୍ରବ୍ୟୁହକୁ ଭେଦିବା ସାଧାରଣ ଜନତାଙ୍କ ପକ୍ଷେ ସମ୍ଭପର ନଥିଲା। ହେଲେ ଏଭଳି ପରିସ୍ଥିତିରେ ରାସ୍ତା ଉପରେ ୨୪ ଘଣ୍ଟିଆ ପହରା ଦେଉଥିବା ପୁଲିସ ପ୍ରଶାସନକୁ ଚକ୍ମା ଦେଇ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ମାତ୍ରାରେ ବିସ୍ଫୋରକ ଚାଲାଣ କରିବାରେ ଖଣି ମାଫିଆମାନେ ସଫଳ ହୋଇଥିଲେ।
ଆଉ ପୁଲିସ ଏହାର ଟେର୍ ମଧ୍ୟ ପାଇ ପାରିନଥିଲା। ଯାହା ଫଳରେ ସାରା ଦେଶରେ ତାଲାବନ୍ଦ ସମୟରେ ନିରବଛିନ୍ନ ଭାବେ ଚାଲିଥିଲା ସରକାରୀ ଓ ଜଙ୍ଗଲ ଜମିରେ ବେଆଇନ ଖଣି ଖନନ କାର୍ଯ୍ୟ। ଗୋଟିଏ ପଟେ ମାଫିଆ ଓ ତାଙ୍କ ବେଆଇନ କାରବାର ଉପରେ ଲଗାମ ଲଗାଇ ଝାରସୁଗୁଡ଼ା ପୁଲିସର ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ବେଳେ ଅନ୍ୟ ପଟେ ବେଆଇନ ବିସ୍ଫୋରକ ଚାଲାଣକୁ ଧରି ପାରିନଥିବା ତାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2020/05/Jsg_Explosiv2-1024x626.jpeg)
ବିଗତ ଦିନରେ ବ୍ରଜରାଜନଗର ନିକଟ କେଛୋବାହାଲର ଜଙ୍ଗଲ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିଲା ବେଆଇନ ଖଣି କାରବାର। ଗତ ୨୦୧୮ ମସିହାରେ ପୁଲିସ, ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ମଳିତ ଭାବେ ଚଢ଼ାଉ କରାଯିବାରୁ ବେଆଇନ ଖଣି କାରବାର କିଛି ଦିନ ପାଇଁ ବନ୍ଦ ରହିଥିଲା। ତେବେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବାରୁ ଖଣି ମାଫିଆ ଜଙ୍ଗଲକୁ ଧ୍ବଂସ କରିବା ସହିତ ଲୁଟି ଚାଲିଛନ୍ତି କୋଟି କୋଟି ଟଙ୍କାର ପଥର। ଅନ୍ୟ ପଟେ ବନ ଅଧିକାରୀମାନେ ମଧ୍ୟ ପ୍ରଭାବଶାଳୀ ପଥର ମାଫିଆଙ୍କ ଖଣି ଦୁର୍ନୀତି କାରବାରକୁ ଆଖି ବୁଜି ନୀରବ ପ୍ରଶ୍ରୟ ଦେଇ ଚାଲିଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଉପ ଜିଲ୍ଲାପାଳ, ତହସିଲଦାର, ଆରଆଇ ସମସ୍ତେ କରୋନା ମୁକାବିଲାରେ ବ୍ୟସ୍ତ ଥିବା ବେଳେ ମାଫିଆମାନେ ସରକାରୀ ଓ ଜଙ୍ଗଲ ଜମିରୁ ବେଆଇନ ଭାବେ ଅହରହ ବିସ୍ଫୋରକ କରି ପଥର ଚାଲାଣ କରିବାରେ ମାତିଛନ୍ତି। ସେପଟେ ରାଜସ୍ଥାନରୁ ଲୁଚାଛପା ଭାବେ ଆସି ରହିଥିବା ଟ୍ରାକ୍ଟର କଂପ୍ରେସର ବେଆଇନ ଖଣିରେ ନିୟୋଜିତ କରାଯାଇ ପଥର ଖନନ କରାଯାଉଛି।
ତାଲାବନ୍ଦ ସମୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ପୁଲିସ ପକ୍ଷରୁ ସବୁ ରାସ୍ତା ଘାଟକୁ ସିଲ୍କରି କଡ଼ାକଡ଼ି ପେଟ୍ରୋଲିଂ କରାଯାଉଥିବା ବେଳେ ବେଆଇନ ଖଣି ମାଫିଆଙ୍କ ନିକଟକୁ କେଉଁ ବାଟ ଦେଇ ଏହି ବିପୁଳ ବିସ୍ଫୋରକ ଆସିଲା ତାହା ତଦନ୍ତ ସାପେକ୍ଷ ଅଟେ। ପୁଲିସ ଦିନରାତି ଯଦି ଯାନବହନ ଯାଞ୍ଚ କରୁଥିଲା ତେବେ ବିସ୍ଫୋରକ ଚାଲାଣ ବେଳେ ସେହି ଗାଡ଼ି ଗୁଡ଼ିକୁ ଧରି ପାରିଲା ନାହିଁ କେମିତି ? ନା ମାଫିଆମାନଙ୍କ ରାଜନୈତିକ ପ୍ରଭାବ ଆଗରେ ପୁଲିସ ଜାଣିଶୁଣି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲା ? ଅନ୍ୟ ପକ୍ଷରେ ଜିଲ୍ଲାର ସିମିତ ଜଙ୍ଗଲକୁ ଧ୍ବଂସ କରି ସେଥିରୁ ବେଆଇନ ପଥର ଉତ୍ତୋଳନ କରାଯାଉଥିବା ହେଁ ବନ ବିଭାଗ ପକ୍ଷରୁ ମାଫିଆମାନଙ୍କୁ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନିରବ ରହିବା ଆଉ ଏକ ପ୍ରଶ୍ନ ଉଠାଇଛି।
ବିସ୍ଫୋରକ ଗଛିତ ରଖିବା ବେଆଇନ ଓ ଅପରାଧ ହୋଇଥିବା ବେଳେ ଝାରସୁଗୁଡ଼ା, ବ୍ରଜରାଜନଗର ଅଂଚଳରେ କେଉଁ ସ୍ଥାନରେ ଓ କାହା ପାଖରେ ଏତେ ପରିମାଣର ସାମଗ୍ରୀ ରହୁଛି ଓ ପୁଲିସ କିଭଳି ଯାଣି ପାରୁନି ତାହା ସମସ୍ତଙ୍କୁ ଚକିତ କରୁଛି। ଅପରପକ୍ଷେ ଅପରାଧର ଉପତ୍ୟକା ଭାବେ ପରିଚିତ ବ୍ରଜରାଜନଗର ଅଞ୍ଚଳରେ ବେଆଇନ ବିସ୍ଫୋରକ ବାଦଶାହଙ୍କ ଚେର ବହୁ ଗଭୀର ଯାଏଁ ରହିଛି। ଅତୀତରେ ବଲାଙ୍ଗୀର ଠାରେ ବେଆଇନ ବିସ୍ଫୋରକ କାରବାରରେ ଛନ୍ଦି ହୋଇଥିବ ବାପ-ପୁଅଙ୍କୁ ଝାରସୁଗୁଡ଼ା ଜିଲ୍ଲାରେ ଖଣି ଆଳରେ ପାଦ ଥାପିବାକୁ ସୁଯୋଗ ଦେବାପାଇଁ କିଛି ଅସାଧୁ ଅଧିକାରୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେତେବେଳେ ଏ ସଂପର୍କରେ ‘ସମ୍ବାଦ’ରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ସବୁ ଫେଲ ମାରି ଯାଇଥିଲା। ଅନ୍ୟ ପଟେ କେତେକ ଅସାଧୁ ଅଧିକାରୀ କେଛେବାହାଲ ବେଆଇନ ଖଣି ଲୁଟ୍ ଘଟଣାର ମୁଖ୍ୟଙ୍କ ସମ୍ପର୍କୀୟ କିମ୍ବା କର୍ମଚାରୀଙ୍କ ନାମରେ ଛୋଟିଆ ଖଣି ଲିଜ୍ ଦେଇ ପୁନଃ ବେଆଇନ ପଥର କାରବାର ଚାଲୁ କରିବାକୁ ମସୁଧା କରୁଥିବା ସୂଚନା ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Jsg_Explosiv1.jpeg)