ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ ଆମ୍ବପାଲି ଗ୍ରାମ ତେଲନଦୀ ନିକଟରୁ ବେଆଇନ ଭାବରେ ମେଟାଲ ଚାଲାଣ କରୁଥିବା ଟ୍ରାକ୍ଟର (ଓଡି ୦୩ ଡି ୯୬୨୪)କୁ ଧରି ରାଜସ୍ବ ବିଭାଗ ଜରିମାନା ଆଦାୟ କରିଛି। ସୂଚନା ଅନୁସାରେ, ଉକ୍ତ ଟ୍ରାକ୍ଟରରେ ବେଆଇନ ଭାବେ ମେଟାଲ ଚାଲାଣ ହେଉଥିବା ଖବର ପାଇ ସଇନ୍ତଳା ତହସିଲଦାର ବେଲଗାଁ ଆର୍‌ଆଇ ଅଶ୍ବିନୀ ସାମଲଙ୍କୁ ଚଢ଼ଉ କରିବାକୁ ନିର୍ଦେଶ ଦେଇଥିଲେ।

Advertisment

ଆର୍‌ଆଇ ଶ୍ରୀ ସାମଲ, ଏଆର୍‌ଆଇ ନମ୍ରତା ବାରା ଓ ସଇନ୍ତଳା ଥାନା ଏସ୍‌ଆଇ ଆଲୋକ ସାହୁ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ସହ ମେଟାଲ ବୋଝେଇ ଟ୍ରଲିକୁ ଜବତ କରିଥିଲେ। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ପରେ ଟ୍ରାକ୍ଟରଟି ସଇନ୍ତଳା ଅଂଚଳର ମୋତିଲାଲ ସାହୁଙ୍କ ବୋଲି ଜଣାପଡ଼ିଥିଲା। ଟ୍ରାକ୍ଟରର ମାଲିକ ଶ୍ରୀ ସାହୁ ବେଲଗାଁ ଆର୍‌ଆଇ କାର୍ଯ୍ୟାଳୟକୁ ଯାଇ ସେଠାରେ ୧୩ ହଜାର ଟଙ୍କା ଜରିମାନା ଦେବା ପରେ ଟ୍ରାକ୍ଟରକୁ ଛାଡ଼ିଦିଆଯାଇଥିଲା।