ବେନିୟମ ବାଲି ଚାଲାଣକୁ ଆଖି ବୁଜିଛି ତହସିଲ, ବାଲି ପରିବହନ ପାଇଁ ଉଜୁଡିଗଲା ରୟତି ଜମି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଇବନଦୀର ବିଭିନ୍ନ ବାଲି ଘାଟରେ ଏବେ ଜେସିବି, ପୋକଲିନ, ହାଇୱା, ୧୦ ଚକିଆ ଟ୍ରକର ଭିଡ଼। ଦିନରାତି ଲଘୁ ଖଣିଜ ଦ୍ରବ୍ୟ ନିୟମକୁ ଫୁ’ କରି ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ଏଥିରୁ ବାଲି ବେପାରୀଙ୍କ ପକେଟକୁ ସିଧାସଳଖ କୋଟି କୋଟି ଟଙ୍କା ପଶୁଥିବା ବେଳେ ସରକାର ବିପୁଳ ରାଜସ୍ବ ହରାଇ ଚାଲିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା, ସବୁ ଜାଣି ବି ରାଜସ୍ବ ବିଭାଗ ଏ ବେଆଇନ କାରବାରକୁ ରୋକିବା ପରିବର୍ତ୍ତେ ହାତ ଚିକ୍କଣ କରି ନିରବରେ ବସି ଯାଉଛି। ଏହା ମଧ୍ୟରେ ସୁନ୍ଦରଗଡ଼ ଇବନଦୀ ବାଲି ଘାଟରୁ ହେଉଥିବା ବାଲି ଚାଲାଣକୁ ନେଇ ଏକ ଗମ୍ଭୀର ଅଭିଯୋଗ ଆସିଛି। ବାଲି ବେପାରୀ ନଦୀରୁ ବାଲି ପରିବହନ ପାଇଁ ଏକ ଅନୁସୂଚୀତ ଜାତିର ଜଣେ ଲୋକଙ୍କ ରୟତି ଜମିକୁ ଜୋରଜବରଦସ୍ତ ବ୍ୟବହାର କରି ଆସୁଛି। ଜମିର କ୍ଷତିଗ୍ରସ୍ତ ଲିଜଧାରୀ ବିଶ୍ବଜିତ ତନ୍ତୀ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି।

୨୦୨୦-୨୧ ବର୍ଷରେ ନୂଆ ଅମଲିପାଲି ମୌଜାର ଲଘୁ ଖଣିଜ ଉତ୍ସ ନଦୀ କିସମ ଖାତା ନମ୍ବର ୩୮୧ ପ୍ଲଟ ନଂ- ୪୭୫ର ୭ ଏକର ଓ ୪୭୭/୧୨୧୧ ପ୍ଲଟର ୫ ଏକର ମୋଟ ୧୨ ଏକରରୁ ବାର୍ଷିକ ୧୦ ହଜାର କ୍ୟୁବିକ ମିଟର ବାଲି ଉଠାଇବାକୁ ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ଟେଣ୍ଡର ଆହ୍ବାନ କରାଯାଇଥିଲା। କିନ୍ତୁ ଇବନଦୀ ବନ୍ଧପାଲି ରାସ୍ତାରେ ଥିବା ସେତୁରୁ ମାତ୍ର ୫ ଶହ ମିଟର ମଧ୍ୟରେ ବାଲି ଘାଟଟି ଥିବାରୁ ପରିବେଶ ବିଭାଗ ଆପତ୍ତି ଉଠାଇଥିଲା। ପରବର୍ତ୍ତୀ ସମୟରେ ବାଲିଘାଟକୁ ନିୟମ ଅନୁସାରେ, ୧୨ ଏକରରୁ ୫.୭୪ ଏକରକୁ କମାଇ ଦିଆଯାଇଥିଲା। ଏହା ସହ ବାଲି ପରିମାଣ ବାର୍ଷିକ ୧୦ ହଜାର କ୍ୟୁବିକ ମିଟରରୁ ୪୮୦୦ କ୍ୟୁବିକ ମିଟରକୁ ହ୍ରାସ ପାଇଥିଲା। ଅଣ ଲଘୁ ଖଣି ଭାବେ ୬.୨୬୦ ଏକରକୁ ଚିହ୍ନିତ କରାଗଲା।

ନିୟମ ଅନୁଯାୟୀ ସେତୁରୁ ସ୍ରୋତର ଉପର ମୁଣ୍ଡକୁ ୫ ଶହ ମିଟର ଓ ତଳକୁ ୧ କିଲୋମିଟର ମଧ୍ୟରେ ବାଲି ଉଠାଇବା ଅନୁମତି ଦିଆଯାଇପାରିବ ନାହିଁ। ତେବେ ୫.୭୪ ଏକରର ବାଲିଘାଟକୁ ୨୦୨୧ ସେପ୍ଟେମ୍ବର ୨୮ରେ ପରିବେଶ ମଞ୍ଜୁରି ମିଳିବା ପରେ ଟେଣ୍ଡରପ୍ରାପ୍ତ ଠିକାଦାର ବାଲି ଉଠାଇଲେ। ସରକାରୀ କଲେଜ ଇବନଦୀ ପୋଲରୁ ୨ ଶହରୁ ୩ ଶହ ମିଟର ଭିତରେ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲିଥିବା ଅଭିଯୋଗ ରହିଛି। ଏପରିକି ଲିଜ୍ କିସ୍ତି ମଧ୍ୟ ଠିକ୍ ଭାବେ ଦିଆଯାଉ ନଥିବା ପ୍ରକାଶ ପାଇଛି। ତେବେ ବଡ଼ କଥା ହେଲା, ବାଲିଘାଟକୁ ସରକାରୀ ଭାବେ ରାସ୍ତା ନାହିଁ। ତେଣୁ ମହାନ୍ତିଆପଡ଼ାର ଅନୁସୂଚୀତ ଜାତିର ସୁଗ୍ରୀବର ରୋହିଦାସଙ୍କ ସୁନ୍ଦରଗଡ଼ ତହସିଲ ଅନ୍ତର୍ଗତ ନୂଆ ଅମଲିପାଲି ଖାତା ନଂ- ୧୪୨କୁ ବାଲିଘାଟ ଲିଜଧାରୀ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଜମିକୁ ଗତ ୨୦୦୯ ସେପ୍ଟେମ୍ବର ୧୯ରୁ ବିଶ୍ବଜିତ ତନ୍ତୀ ୩୦ ବର୍ଷ ପାଇଁ ଲିଜରେ ନେଇଥିବା ବେଳେ ବାଲି ପରିବହନ ଯୋଗୁଁ ସେ ବହୁ କ୍ଷତିର ସମ୍ମୁଖୀନ ହୋଇଥିବା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଅନ୍ୟପଟେ ଠିକାଦାର ଅତି ଚତୁରତାର ସହ ସେ ଲିଜ୍ ପାଇଥିବା ବାଲିଘାଟକୁ ଛାଡ଼ି ଅଣ ଲଘୁ ଖଣି ଅଞ୍ଚଳ ଭାବେ ଚିହ୍ନଟ ଏରିଆରୁ ବାଲି ଉଠାଇ ନେଉଛନ୍ତି। ତେବେ ପୋକଲିନ ଓ ଟ୍ରକରେ ବାଲି ଉଠାଇ ସମ୍ପୂର୍ଣ୍ଣ ବାରଣ ଥିବା ସତ୍ତ୍ବେ ଏହାକୁ ଠିକାଦାରମାନେ ଖାତିର କରୁ ନାହାନ୍ତି। କେବଳ ନୂଆ ଅମଲିପାଲି ବାଲିଘାଟ ନୁହେଁ, ଇବନଦୀର ପ୍ରାୟ ସମସ୍ତ ଘାଟରେ ଏପରି ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଚାଲିଛି। ହେଲେ ତହସିଲଦାର ଓ ରାଜସ୍ବ ବିଭାଗ ଅଧିକାରୀ ସବୁ ଦେଖି ଆଖି ବୁଜି ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର