ଜିଲ୍ଳାରେ ଅଂଶୁଘାତ ମୁକାବିଲା: ଆପତକାଳୀନ ଭ୍ରାମ୍ୟମାଣ ସେବା ପାଇଁ ୧୦୮ ପ୍ରଶିକ୍ଷିତ କର୍ମୀ

ଖୋର୍ଦ୍ଧା: ଜିଲ୍ଲାରେ ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜରୁରୀକାଳୀନ ଭ୍ରାମ୍ୟମାଣ ସେବା ଆରମ୍ଭ କରାଯିବ। ଏଥିପାଇଁ ୧୦୮ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଗାଈ, ଗୋରୁଙ୍କ ପାଇଁ ଗାଁର ଗାଡ଼ିଆ, ପୋଖରୀ ଆଦି ସ୍ଥାନରେ ଚହଲା ସ୍ଥାପନ କରାଯିବ ବୋଲି ଜିଲ୍ଳାସ୍ତରୀୟ ଅଂଶୁଘାତ ପରିଚାଳନା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ବିଷଦ ଆାଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୨୪ ଘଂଟିଆ କଣ୍ଟ୍ରୋଲ ରୁମ ରହିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ୱତନ୍ତ୍ର ଶଯ୍ୟା, ଥଣ୍ଡାପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍, ସାଲାଇନ୍ ମହଜୁଦ ରହିବ। ଅଂଶୁଘାତରେ ଶିକାର ହୋଇଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ପର୍ଯ୍ୟାୟକ୍ରମେ ଷ୍ଟାଫ୍ ନର୍ସ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଗ୍ରାମାଞ୍ଚଳର ଅଚଳ ଟ୍ୟୁବ୍ୱେଲ୍ ଗୁଡ଼ିକର ମରାମତି କରାଯିବ। ଯେଉଁଠାରେ ପାନୀୟ ଜଳର ଅଭାବ ରହିଛି ସେଠାରେ ଜଳ କିଓସ୍କୋ ଓ ଟ୍ୟାଙ୍କର ବ୍ୟବସ୍ଥା କରାଯିବ। ଗାଈଗୋରୁଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯିବ।

ସେମାନଙ୍କ ଚିକିତ୍ସା ପାଇଁ ମଧ୍ୟ ପଶୁଚିକିତ୍ସା ବିଭାଗର ମୋବାଇଲ୍ ଟିମ୍ କାମ କରିବ। ଶ୍ରମିକ ଓ ଦିନ ମଜୁରିଆଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଶ୍ରମ ବିଭାଗ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯିବ। ବାହ୍ୟ ତାପମାତ୍ରା ୪୦ରୁ ଉର୍ଦ୍ଧ୍ବ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଲେ ସେମାନଙ୍କ ପାଇଁ କାମ ବନ୍ଦ ରହିବ। ଏହି ତାପମାତ୍ରାରେ ଦିନ ୧୧ଟାରୁ ସାଢ଼େ ୩ଟା ମଧ୍ୟରେ କୌଣସି ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯିବ ନାହିଁ। ପ୍ରତ୍ୟେକ ବିଦ୍ୟାଳୟରେ ମଧ୍ୟ ଥଣ୍ଡାପାନୀୟ ସହ ଛାତ୍ରଛାତ୍ରୀଙ୍କୁ ପାଣି ଓ ଛତା ଆଦି ନେଇ ଆସିବାକୁ ପରାମର୍ଶ ଦିଆଯିବ। ଟ୍ରକ୍ ଓ ବସ ଚାଳକଙ୍କ ପାଇଁ ମଧ୍ୟ ଆବଶ୍ୟକ ସଚେତନତା କରାଯିବ। ବସଷ୍ଟାଣ୍ତ ଓ ରାଜପଥ ଗୁଡ଼ିକରେ ଜଳ କିଓସ୍କୋ ବ୍ୟବସ୍ଥା କରାଯିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଳାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ, ଶ୍ରମ ବିଭାଗ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର