କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆରମ୍ଭ ହୋଇଛି ମେଲଣ। ସାତ ଦିନ ଧରି ମଣ୍ତପରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ମା’ ଏବେ ମେଲଣରେ ସାମିଲ୍ ହେବାକୁ ବାହାରିଛନ୍ତି। ପୁରୁଣା ବସଷ୍ଟାଣ୍ତରେ ଅନୁଷ୍ଠିତ ଏହି ମେଲଣରେ ସହରର ୪୯ଟି ମେଢ଼ ସାମିଲ୍ ହେବ। ଆଜି ରାତି ସୁଦ୍ଧା ଏସବୁ ମେଢ଼ ସାମିଲ୍ ହେବା ପରେ ଆସନ୍ତାକାଲି ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଭୋଗ ଲାଗି ହେବ। ଏହାପରେ ଲଟେରି ମୁତାବକ ମେଢ଼ ଗୁଡ଼ିକ ଶୋଭାଯାତ୍ରାରେ ବିସର୍ଜନ ଅଭିମୁଖେ ଯିବେ। କେନ୍ଦ୍ରାପଡ଼ା ସହରରେ ମୋଟ୍ ୬୯ଟି ମଣ୍ତପରେ ମା’ ପୂଜା ପାଉଛନ୍ତି। କିନ୍ତୁ ସେଥିମଧୢରୁ ମେଲଣରେ ସାମିଲ୍ ହୋଇଥାଏ ୪୯ଟି ମେଢ଼। ପୁରୁଣା ବସଷ୍ଟାଣ୍ତ୍ରେ ହେଉଥିବା ଏହି ପ୍ରସିଦ୍ଧ ମେଲଣ ସ୍ବତନ୍ତ୍ରତା ବି ରହିଛି। ଏଠାରେ ଦୁଇ ଦିନ ଧରି ମେଲଣ ଅନୁଷ୍ଠିତ ହୁଏ। ଗୋଟିଏ ଦିନ ଶୋଭାଯାତ୍ରାରେ ମେଢ଼ଗୁଡ଼ିକ ଯାଇ ମେଲଣସ୍ଥଳରେ ପହଞ୍ଚନ୍ତି। ତା’ ପରଦିନ ଭୋଗ ଲାଗି ହୁଏ। ଅର୍ଥାତ୍ ଦୁଇ ଦିନର ଏହି ମେଲଣ ଆଜିଠୁ ଆରମ୍ଭ ହୋଇଛି। ଆଜି ରାତି ସୁଦ୍ଧା ସମସ୍ତ ମେଢ଼ ମେଲଣ ପଡ଼ିଆରେ ପହଞ୍ଚିବେ। ଏହାପରେ ଯାଇ ଆସନ୍ତାକାଲି ଦିନ ପ୍ରାୟ ୧୦ଟା ବେଳେ ସବୁ ମେଢ଼ରେ ଭୋଗ ଲାଗି ହୁଏ। ତେବେ ଆଜିଠୁ ଆରମ୍ଭ ହୋଇଥିବା ଏହି ମେଲଣରେ ସାମିଲ୍ ହେବା ପାଇଁ ୪୯ଟି ମେଢ଼ ମଣ୍ତପରୁ ଶୋଭାଯାତ୍ରା କରି ବାହାରି ଆସିଛନ୍ତି।
ଏଥିସକାଶେ ସାରା ସହର ଆଜି ନାଚଗୀତରେ କମ୍ପୁଛି। ଛାତିଥରା ଡିଜେ ସାଙ୍ଗକୁ ଶିଙ୍ଗ ବାଜାର ତାଳେ ତାଳେ ସହରବାସୀ ନାଚିବା ସହିତ ମେଲଣକୁ ଭରପୁର ଉପଭୋଗ କରୁଛନ୍ତି। ଜନ ସମାଗମ ପ୍ରବଳ ଦେଖିବାକୁ ମିଳିଛି। ଥାନପତି ମେଢ଼ ଭାବେ ପ୍ରଥମେ ନୂଆ ବସଷ୍ଟାଣ୍ତ୍ ଅପରାହ୍ନଣରେ ପହଞ୍ଚିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ମେଢ଼ ପହଞ୍ଚିବା ଆରମ୍ଭ କରିଛି। ରାତି ୯ଟା ସୁଦ୍ଧା ରିପୋର୍ଟ ଲେଖା ହେଲା ବେଳକୁ ମେଲଣ ପଡ଼ିଆରେ ତିନିଟି ମେଢ଼ ପହଞ୍ଚିଥିବା ସୂଚନା ମିଳିଛି। ଥାନପତି ସମେତ କାକଟ ମଙ୍ଗଳା, ବଡ଼ହାଟ ସୂର୍ଯ୍ୟ ସାଗରିକା ମେଢ଼ ଶୋଭାଯାତ୍ରାରେ ଯାଇ ମେଲଣରେ ପହଞ୍ଚିଥିବା ବେଳେ ଅନ୍ୟ ମେଢ଼ଗୁଡ଼ିକ ରାସ୍ତାରେ ଶୋଭାଯାତ୍ରା କରି ଆସୁଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ବଡ଼ କଥା ହେଉଛି, ସହରରେ ପୂଜା ପାଉଥିବା ୬୯ଟି ମେଢ଼କୁ ପୁଲିସ ପକ୍ଷରୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ‘କ’ ଶ୍ରେଣୀ ମେଢ଼ ଭାବେ ୧୨ଟି, ‘ଖ’ ଶ୍ରେଣୀ ମେଢ଼ ୨୩ଟି ଓ ‘ଗ’ ଶ୍ରେଣୀ ମେଢ଼ ୩୪ଟି ରହିଛି। ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଏବଂ ମେଢ଼ ସହିତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୯ଜଣ ମ୍ୟାଜିଷ୍ଟ୍ରେଟଙ୍କୁ ଅବସ୍ଥାପିତ କରାଯାଇଛି। ୯ଟି ସମ୍ବେଦନଶୀଳ ମେଢ଼ ନିକଟରେ ପୁଲିସ ସୁରକ୍ଷା ବଳ ମୁତୟନ କରାଯାଇଛି। ୩ଜଣ ଡିଏସ୍ପିଙ୍କ ସମେତ ଇନ୍ସିପେକ୍ଟର, ସବ୍-ଇନ୍ସିପେକ୍ଟର, ୨୨ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି। ଏ ସବୁ କାର୍ଯ୍ୟ ତଦାରଖ ପାଇଁ ଜଣେ ଅତିରିକ୍ତ ଏସ୍ପି, ୯ଜଣ ଡିଏସ୍ପି, ୧୭ଜଣ ଇନ୍ସିପେକ୍ଟର ଓ ୨୯ଜଣ ସବଇନ୍ସିପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି।