ରାୟଗଡ଼ା: ଆଦିବାସୀଙ୍କ ମୁଖ୍ୟ ଖାଦ୍ୟ ମାଣ୍ଡିଆକୁ ସରକାର ମିଲେଟ୍ ମିଶନରେ ସାମିଲ୍ କରିଛନ୍ତି। ମାଣ୍ଡିଆ ଅତ୍ୟଧିକ ପୁଷ୍ଟିକର ସହ ବଳବର୍ଦ୍ଧକ, ତ୍ରିଦୋଷନାଷକ, ରକ୍ତହୀନତା ଦୂର କାରକ ହୋଇଥିବାରୁ ସରକାର ଏହି ଚାଷକୁ ଗୁରୁତ୍ବ ଦେଇଛନ୍ତି। ଫଳରେ ଅନ୍ୟ ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟ ଚାଷ ସୁଆଁ, ଯଅ, ବାଜରା, କାଙ୍ଗୁ ଲୋପ ପାଇବାକୁ ବସିଲାଣି। ମାଣ୍ଡିଆରେ ପୁଷ୍ଟିସାର (ଗ୍ରାମରେ) ୭.୩, ତନ୍ତୁ ସାର (ଗ୍ରାମରେ) ୩.୬, ଖଣିଜ ଲବଣ ବା ଧାତୁ ସାର (ଗ୍ରାମରେ) ୨.୭, ଲୌହସାର (ମିଲି ଗ୍ରାମରେ) ୩.୯, କ୍ୟାଲସିୟମ୍ (ମିଲି ଗ୍ରାମରେ) ୩୪୪ ରହୁଛି। ମାଣ୍ଡିଆ ତୁଳନାରେ ବାଜରାରେ ପୁଷ୍ଟିସାର (ଗ୍ରାମରେ) ୧୦.୬, ତନ୍ତୁ ସାର (ଗ୍ରାମରେ) ୧.୩, ଖଣିଜ ଲବଣ ବା ଧାତୁ ସାର (ଗ୍ରାମରେ) ୨.୩, ଲୌହସାର (ମିଲି ଗ୍ରାମରେ) ୧୬.୯, କ୍ୟାଲସିୟମ୍ (ମିଲି ଗ୍ରାମରେ) ୩୮ ରହୁଛି। ସେହିପରି କାଙ୍ଗୁରେ ପୁଷ୍ଟିସାର (ଗ୍ରାମରେ) ୧୨.୩, ତନ୍ତୁ ସାର (ଗ୍ରାମରେ) ୮, ଖଣିଜ ଲବଣ ବା ଧାତୁ ସାର (ଗ୍ରାମରେ) ୩.୩, ଲୌହସାର (ମିଲି ଗ୍ରାମରେ) ୨.୮, କ୍ୟାଲସିୟମ୍ (ମିଲି ଗ୍ରାମରେ) ୩୧ ରହୁଛି। ସୁଆଁରେ ପୁଷ୍ଟିସାର (ଗ୍ରାମରେ) ୭.୭, ତନ୍ତୁ ସାର (ଗ୍ରାମରେ) ୭.୬, ଖଣିଜ ଲବଣ ବା ଧାତୁ ସାର (ଗ୍ରାମରେ) ୧.୫, ଲୌହସାର (ମିଲି ଗ୍ରାମରେ) ୯.୩, କ୍ୟାଲସିୟମ୍ (ମିଲି ଗ୍ରାମରେ) ୧୭ ରହୁଛି। ମାଣ୍ଡିଆ ଜାତୀୟ ଶସ୍ୟମାନଙ୍କ ମଧ୍ୟରେ କାଙ୍ଗୁ ଅତି ଉପାଦେୟ। ଏଥିରେ ଜୈବ ସାର, ଧାତୁ ସାର, ଲୌହ ସାର, ତନ୍ତୁ ସାର ତଥା ଭିଟାମିନ୍ ବି-୧ ଓ ବି-୨ ରହିଛି। ପାଚନ ତନ୍ତ୍ରକୁ କାଙ୍ଗୁ ସୁସ୍ଥ ରଖିବା ସହ ରକ୍ତ ତିଆରି କରିବାରେ ସହାୟକ ହୋଇଥାଏ।

Advertisment

କାଶୀପୁର ଓ ରାୟଗଡ଼ା ବ୍ଲକର ୧୫୦ରୁ ଉର୍ଦ୍ଧ୍ବ ହେକ୍ଟରରେ ଏହି ଚାଷ ହେଉଥିଲା। ମିଲେଟ୍ ମିଶନ୍ ପରଠାରୁ ଚଳିତ ବର୍ଷ କାଙ୍ଗୁ ଚାଷର ପରିମାଣ ୧୦ ହେକ୍ଟର ମଧ୍ୟ ଛୁଇଁପାରିନି। ସୁଆଁ ଗ୍ରୀଷ୍ମ ଋତୁ ପାଇଁ ଖୁବ୍ ଉପଯୋଗୀ ଖାଦ୍ୟ। ଚର୍ବିକାରକ ଖାଦ୍ୟରୁ ଦୂରେଇ ରହିବା ପାଇଁ ସୁଆଁ ଭଲ ବିକଳ୍ପ। ରକ୍ତ ଶର୍କରା ନିୟନ୍ତ୍ରଣରେ ତନ୍ତୁ ସାର ସାହାର୍ଯ୍ୟ କରୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଫଳପ୍ରଦ। ରାୟଗଡ଼ା ଓ କାଶୀପୁର ବ୍ଲକର ୧୩୦୦ରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଏହି ଚାଷ ହେଉଥିଲା। ସରକାରୀ ଅବହେଳାରୁ ସୁଆଁ ଚାଷ ଇତିହାସ ପାଲଟିବାକୁ ଯାଉଛି। ବାଜରା ସ୍ଥିତି ବି ସେଇୟା। ସୁସ୍ଥ ରହିବା ପାଇଁ ବିଟା କ୍ୟାରୋଟିନ୍ ନାମକ ଯେଉଁ ଅଣୁ ପୁଷ୍ଟିସାରର ଆବଶ୍ୟକ ରହିଛି ତାହା ବାଜରାରେ ରହିଛି। କିନ୍ତୁ ଏହି ଚାଷ ଏବେ ସଂପୂର୍ଣ୍ଣ ଲୋପ ପ୍ରାୟ। ଯଅ ତଥା ଖେଡ ଜହ୍ନା ଚାଷ ମଧ୍ୟ ଲୁପ୍ତ ପ୍ରାୟ। ଆୟୁର୍ବେଦଙ୍କ ମତରେ ଯଅ ସହଜରେ ହଜମ ହୋଇପାରୁଥିବା ରୁଚିକର ଖାଦ୍ୟ। ଯେଉଁଥିରେ ଯଥେଷ୍ଟ ଜୈବ ସାର, ଲୌହ ସାର, ଚୂନ ସାର ରହିଛି। ଏହା ବଳକାରକ, ମଳ ଓ ବାୟୁ ବର୍ଦ୍ଧକ। ରାୟଗଡ଼ା ବ୍ଲକର ଗୁମ୍ମା, ନାକଟି, କାଶୀପୁର ବ୍ଲକର ଉଲକାତୁଣ୍ଡା, ମେଲେକାତୁଣ୍ଡାର ଶହେ ହେକ୍ଟର ଡଙ୍ଗର ଜମିରେ ଏହି ଚାଷ ହେଉଥିଲା। ଚଳିତ ବର୍ଷ ଚାଷୀ ଏହି ଚାଷ ପ୍ରତି ଆଦୌ ମନ ବଳାଇ ନାହାନ୍ତି।

ଗତ ୨ ବର୍ଷ ହେଲା ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ଗୁରୁତ୍ବ ଦେଇ ଆସୁଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ରାୟଗଡ଼ା ଜିଲ୍ଲାରୁ ୫୫ ହଜାର କ୍ବିଣ୍ଟାଲ୍ ମାଣ୍ଡିଆ କିଣିଥିଲେ। ଚଳିତ ବର୍ଷ ୮୦ ହଜାର କ୍ବିଣ୍ଟାଲ୍ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟ ସୁଆଁ, ଯଅ, ବାଜରା, କାଙ୍ଗୁ ଚାଷକୁ ସରକାର ପୁଣି ଥରେ ପ୍ରୋତ୍ସାହିତ କରିବାକୁ ସର୍ବନିମ୍ନ ସହାୟତା ରାଶି ଘୋଷଣା, କ୍ରୟ ପାଇଁ ମଣ୍ଡି ଖୋଲିବାକୁ ଚାଷୀ ଦାବି କରିଛନ୍ତି। ଅଙ୍ଗନବାଡ଼ି, ସ୍କୁଲ୍ ମଧ୍ୟାହଣ୍ ଭୋଜନ, ଜଳଖିଆରେ ଏହି ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଶିଶୁଙ୍କୁ ପ୍ରଦାନ, ପିଡିଏସରେ ସାମିଲ୍ ଦାବି କରି ୩ ହଜାର ଚାଷୀ ମୁଖ୍ୟମନ୍ତ୍ରୀ ଓ କୃଷି ସଚିବ ନିକଟକୁ ୬ ହଜାର ପୋଷ୍ଟ କାର୍ଡ ପଠାଇଛନ୍ତି। ସରକାର ଏହି ଖାଦ୍ୟ ଶସ୍ୟର ସୁରକ୍ଷା ଦିଗରେ ପଦକ୍ଷେପ ନେଲେ ଆଦିବାସୀଙ୍କ ଖାଦ୍ୟ ପରମ୍ପରା ବଞ୍ଚି ରହିବ ବୋଲି ଅଗ୍ରଗାମୀର ସଂଯୋଜକ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି।