ଆମ ଶିଳ୍ପ ଆମ ସମସ୍ୟା; ୮୧ ବର୍ଷ ବୟସରେ ବି କାରଖାନା ବଞ୍ଚାଇ ରଖିବାର ଝୁଙ୍କ୍
ଗାରୋଇ: ଦୃଢ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନିଥାଏ। ଏହା ପ୍ରମାଣ କରି ଦେଖାଇଛନ୍ତି ନାଉଗାଁ ବ୍ଲକ କୋରୁଅ ପଂଚାୟତରେ କୈଳାସ ଦଳାଇ। ବୟସ ୮୧ ଛୁଇଁଥିଲେ ବି ସେ କର୍ମତତ୍ପର। ସୁଦୂର ଗଂଜାମ ଜିଲ୍ଲାରୁ ୯ ଜଣ କାରିଗରଙ୍କୁ ନେଇ କୈଳାସ ଏଠାରେ ଚଳାଇଛନ୍ତି ପାଉଁରୁଟି କାରଖାନା। ୧୯୯୩ରେ ସେ ଏହି ଗାଁରେ ଆରମ୍ଭ କରିଥିଲେ ପାଉଁରୁଟି, ବିସ୍କୁଟ ଓ କେକ୍, ଠୋସ୍ ଉତ୍ପାଦନର ଏକ ଲଘୁ ଉଦ୍ୟୋଗ। ୬ ବର୍ଷ ଭଲ ବ୍ୟବସାୟ ଚାଲିଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳଚହଳ ଲାଗି ରହୁଥିଲା। କୈଳାସ ଦଳାଇ ରୁଟି ଫ୍ରାକ୍ଟ୍ରିର ବେଶ୍ ସୁନାମ ଥିଲା। ଲୋକେ ଏହି ନାମରେ ପାଉଁରୁଟିକୁ ଜାଣିଥିଲେ। ନାଉଗାଁ, ମାଛଗାଁ ପଡ଼ୋଶୀ କାକଟପୁର ପ୍ରଭୃତି ଅଞ୍ଚଳରେ ସକାଳୁ ଚା ଦୋକାନରେ ଖୋଜାପଡ଼େ ଏଇ ଦଳାଇ ପାଉଁରୁଟି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ୧୯୯୯ ମହାବାତ୍ୟା ଉଜାଡି ଦେଇଥିଲା ସେହି ଉଦ୍ୟୋଗ। ଏହା ସତ୍ବେ ସେ ହାରି ଯାଇନଥିଲେ। ଆର୍ଥିକ ଦୁସ୍ଥିତି ସତ୍ବେ ପୁନର୍ବାର ୨୦୦୩ରେ ସେ ପାଉଁରୁଟି କାରଖାନାକୁ ଚଳାଇଥିଲେ। ତେବେ ୨ ବର୍ଷ ଚାଲିବା ପରେ ଆର୍ଥିକ କ୍ଷତିରୁ କାରଖାନା ଉଧେଇ ପାରିନଥିଲା। ଧୀରେଧୀରେ ବନ୍ଦ ହୋଇଗଲା। ଇତିମଧ୍ୟରେ ୧୫ ବର୍ଷ ବିତିଯାଇଛି। ବୟସର ସାୟାହ୍ନରେ ବ୍ୟବସାୟ କରିବା ନିଶା ସହିତ ଅନ୍ୟକୁ ପ୍ରେରଣା ଯୋଗାଇବାର ଦୃଢ ସଂକଳ୍ପ ନେଇ କୈଳାସ ପୁନର୍ବାର ୨୦୨୦ରେ ଆରମ୍ଭ କରିଥିଲେ ପାଉଁରୁଟି ଉତ୍ପାଦନ। ଏଥର ଦାଉ ସାଧିଲା କରୋନା ମହାମାରୀ। ମାର୍ଚ୍ଚ ପରଠୁ କରୋନା କଟକଟଣାରେ ପୂରା କାରଖାନା ବନ୍ଦ ରହିଲା।
ତୃତୀୟ ଦଫାରେ ଖୋର୍ଦ୍ଧା ଅଂଚଳରୁ ପ୍ରାୟ ୫ ଜଣ ପାଉଁରୁଟି କେକ୍ ପ୍ରସ୍ତୁତକାରୀ କାରିଗର ଓ ସେଲ୍ସମ୍ୟାନ୍ଙ୍କୁ ମିଶାଇ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ୩୦ ପରିବାରପାଇଁ ପେଟପାଟଣାର ଖୋରାକ୍ ଯୋଗାଉଥିବା ଏହି କାରଖାନାରୁ ସବୁକିଛି କାରବାର ବନ୍ଦ ହୋଇଗଲା। କାରିଗରସବୁ ନିଜ ଗାଁକୁ ଚାଲିଯାଇଥିଲେ। ଏବେ କରୋନା କଟକଣାର ଅନ୍ଲକ୍ ପ୍ରକ୍ରିୟାରେ ପୁଣି ଥରେ ସେ ତାଙ୍କର ଛୋଟ ଉଦ୍ୟୋଗଟିକୁ ଚାଲୁ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଆଗ ଭଳି ଆଉ ବେପାର ହେଉନାହିଁ। ମାସିକ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କାରବାର ହେଉଛି। ତାଙ୍କ ଉଦ୍ୟୋଗର ପ୍ରସ୍ତୁତ ଛେନାକେକ୍ର ଚାହିଦା ଅଂଚଳରେ ବେଶ ନାମ କମାଇଥିଲା।
ବଜାରରେ ବ୍ରିଟାନିଆ, କୁକିଜ, ପାର୍ଲେ,ଅନମୋଲ ଭଳି ନାମୀଦାମୀ କମ୍ପାନୀର ଗାଡି ଗାଁ ଗଣ୍ତାରେ ସୁନ୍ଦରିଆ ପ୍ୟାକେଟ୍, ଅଧିକ ବିଜ୍ଞାପନର ସାହାରାରେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। ତେଣୁ ତାଙ୍କୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ୁଛି। ପୂର୍ବବର୍ଷଗୁଡ଼ିକ ଭଳି ଲାଭ ବି ହେଉନାହିଁ ବୋଲି କହିଛନ୍ତି କୈଳାସ। ଏପରିକି ନିଜର ଏକମାତ୍ର ପୁଅକୁ ସମାନ ଉଦ୍ୟାଗ ଆରମ୍ଭ କରିବାକୁ କାକଟପୁର ଛାଡ଼ିଛନ୍ତି। ସେଠାରେ ସେ ଏପରି ଆଉ ଏକ ୟୁନିଟ୍ ଖୋଲିଛନ୍ତି। ଯଦି ଆମ ଅଂଚଳରେ ଲଘୁଉଦ୍ୟୋଗଗୁଡିକୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଆନ୍ତା ତେବେ ସେ ନିଜେ ଛାଂଚରେ ନୁହେଁ ମେସିନ ମାଧ୍ୟମରେ ଗୁଣାତ୍ମକ ପାଉଁରୁଟି କେକ ସହିତ ବିସ୍କୁଟ ଆଦି ତିଆରି କରିପାରନ୍ତେ ବୋଲି ସେ ମତ ଦେଇଛନ୍ତି।