ଏମ୍‌ଜିଏମ୍ କ୍ୟାଲେଣ୍ତରରେ ସ୍ଥାନ ପାଇଲା ଜିଲ୍ଲାର ଚାରି ବିଚ୍; ଜଗତସିଂହପୁର ଉପକୂଳକୁ ସରକାରୀ ଅଣଦେଖା କାହିଁକି?

ଜଗତସିଂହପୁର ଟାଉନ୍: ପର୍ଯ୍ୟଟନ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାର ଉପକୂଳରେ ଥିବା ସମ୍ଭାବନାକୁ ସରକାର ଯେମିତି ଆଖି ବୁଜି ଦେଇଛନ୍ତି। ବେଳାଭୂମି ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଗତସିଂହପୁର ଉପକୂଳକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ନୂଆ ନୂଆ ବିଚ୍‌ର ସନ୍ଧାନ କରୁଛନ୍ତି। ସେଠାରେ ଥିବା ସମ୍ଭାବନାକୁ ଜନସାଧାରଣଙ୍କ ସାମ୍ମନାକୁ ଆଣୁଛନ୍ତି। ହେଲେ ନୂଆ କି ପୂରୁଣା; କୌଣସି ବିଚ୍‌କୁ ବିକଶିତ କରାଯାଇ ପାରୁ ନାହିଁ। ଚଳିତବର୍ଷ ଏମ୍‌ଜିଏମ୍ ଗ୍ରୁପ୍ ଓଡ଼ିଶାରେ ଲୁଚି ରହିଥିବା ଉପକୂଳ ବିଚ୍‌କୁ ନେଇ କରିଥିବା କ୍ୟାଲେଣ୍ତରରେ ଜଗତସିଂହପୁର ଜିଲ୍ଲାର ସୌନ୍ଦର୍ଯ୍ୟଭରା ଚାରୋଟି ବିଚ୍ ସ୍ଥାନ ପାଇଛି। ଯାହା ଜିଲ୍ଲାବାସୀଙ୍କୁ ଖୁସି ଦେଇଛି ସିନା, ପର୍ଯ୍ୟଟନ ବିଭାଗର ସ୍ଥଣୁତା ତା’ଠାରୁ ଅଧିକ କଷ୍ଟ ଦେଉଛି।
ଭୁବନେଶ୍ବର (ଏମ୍‌ଜିଏମ୍) ଗ୍ରୁପ୍ ୨୦୦୭–୦୮ ମସିହାରୁ ଓଡ଼ିଶାର ବିଭିନ୍ନ ଥିମ୍‌କୁ ନେଇ କ୍ୟାଲେଣ୍ତର ପ୍ରସ୍ତୁତ କରୁଛି। ଏଥର ଓଡ଼ିଶାର ଅଜଣା ଥିବା ବିଚ୍‌କୁ ନେଇ ଗ୍ରୁପ୍‌ ଏକ କ୍ୟାଲେଣ୍ତର ପ୍ରସ୍ତୁତ କରିଛି। ଡାଇରେକ୍ଟର ସିଦ୍ଧାର୍ଥ ମହାନ୍ତିଙ୍କ ତତ୍ତ୍ବାବଧାନରେ ଆର୍କିଟେକ୍ଚର୍‌ ଇଂ. ଶକ୍ତି ନନ୍ଦ, ଅମିତ ମହାନ୍ତି, ଶୁଭେନ୍ଦୁ ମଲ୍ଲିକ, ମନୋଜ ଶୁକ୍ଳା, ପ୍ରଦୀପ ନାଥ ପ୍ରମୁଖଙ୍କ ସହଯୋଗରେ ଏହା ପ୍ରସ୍ତୁତ କରାଯାଇଛି।

ଏହି କ୍ୟାଲେଣ୍ତର ବାଲେଶ୍ବର ବିଚିତ୍ରପୁର ଓ ଚନ୍ଦ୍ରାବାଲି, ଭଦ୍ରକ ଜିଲ୍ଲାର ଏକାକୂଳା, କେନ୍ଦ୍ରାପଡ଼ାର ହାବିଳିଖଟି, ପୁରୀ ଜିଲ୍ଲାର ଉଦୟକଣି, ବ୍ରହ୍ମପୁର ପୋଦାମପେଟାକୁ ସ୍ଥାନ ଦେଇଥିବାବେଳେ କେବଳ ଜଗତସିଂହପୁର ଚାରୋଟି ବିଚ୍ ସ୍ଥାନ ପାଇଛି। ସେଥିରେ ଏରସମା ବ୍ଳକ୍ ଆମ୍ବିକି ପଂଚାୟତରେ ଥିବା ଜଟାଧାରୀ ତଣ୍ତା, ପଦ୍ମପୁର ପଂଚାୟତର ରାମତରା, ଢ଼ିଙ୍କିଆ ପଂଚାୟତର ଅଭୟଚାନ୍ଦପୁର ଏବଂ ବାଲିକୁଦା ବ୍ଳକ୍ ମରିଚିପୁର ପଂଚାୟତର ମରିଚିପୁର ବେଳାଭୂମିକୁ ସ୍ଥାନିତ କରାଯାଇଛି। ଯାହା ଲୁଚି ରହିଥିବା ଏହି କ୍ୟାଲେଣ୍ଡର ଲୋକଲୋଚନକୁ ଆଣିଛି।
ଏପଟେ, କରୋନା ସମୟରେ ଛୋଟ ଛୋଟ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରି ସେଠାରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବାକୁ ସରକାର ସ୍ବପ୍ନ ଦେଖାଇଲେ। ହେଲେ ନୂଆ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କରିବେ କ’ଣ, ପୂର୍ବରୁ ଜଣାଥିବା ଶିଆଳି, ବନ୍ଦର ଭଳି ପର୍ଯ୍ୟଟନ କ୍ଷେତ୍ର ପ୍ରତି ଅବହେଳା କରିଛନ୍ତି।

ପାରାଦୀପଠାରୁ ବନ୍ଦର ପର୍ଯ୍ୟନ୍ତ ଥିବା ପ୍ରାୟ ୪୬ କିମିର ବେଳାଭୂମିକୁ ଯଦି ବିକାଶିତ କରାଯିବ ତେବେ ଏହା ଗୋଆଠାରୁ କୌଣସି ଗୁଣରେ କମ୍ ହେବ ନାହିଁ ବୋଲି ପରିବେଶବିତ୍‌ କହୁଛନ୍ତି। କିନ୍ତୁ ଏଠି ସରକାରଙ୍କ ସାମାନ୍ୟତମ ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି। ଉପକୂଳ ଜାତୀୟ ରାଜପଥ ମଧ୍ୟ ପଦ୍ମ ଘୁଚିଂ ଘୁଚିଂ ଯାଉଛି ନ୍ୟାୟରେ ଗଡ଼ି ଗଡ଼ି ଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ୪ ବର୍ଷ ହେଲା ଜିଲ୍ଲାରେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନାହାନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର