ରାୟଗଡ଼ାରେ ପଲସର୍ ଆତଙ୍କ: ମହିଳାଙ୍କଠୁ ଝାମ୍ପି ନେଲେ ୯୭ ହଜାର, ପୁଲିସର ଛାନଭିନ୍

ରାୟଗଡ଼ା: କିଛି ଦିନର ବ୍ୟବଧାନ ପରେ ରାୟଗଡ଼ା ସହରରେ ପୁଣି ପଲସର୍ ଆତଙ୍କ ଦେଖା ଦେଇଛି। ଆଜି ମଧ୍ୟାହଣରେ ୨ ଦୁର୍ବୃତ୍ତ ପଲସରରେ ଆସି ମହିଳାଙ୍କ ନିକଟରୁ ୯୭ ହଜାର ଟଙ୍କା ଝାମ୍ପି ନେଇ ପଳାଇଛନ୍ତି। ଲୁଟର ଶିକାର ହୋଇଥିବା ଜେକେପୁର ଅଞ୍ଚଳର ଏ. ରେଣୁ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କୁ କାବୁ କରିବା ପାଇଁ ପୁଲିସ୍ ଚଢ଼ଉ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ।

ଜେକେପୁର କାଳୀଦାଶ ଅଞ୍ଚଳର ଏ. ରେଣୁଙ୍କ ସମେତ ୫ ମହିଳା ଗ୍ରୁପ ଋଣ ଟଙ୍କା ଉଠାଇବାକୁ ରାୟଗଡ଼ା ଆକ୍ସିସ୍ ବ୍ୟାଙ୍କକୁ ଆସିଥିଲେ। ଋଣ ଟଙ୍କା ଉଠାଇବା ପରେ ମହିଳାମାନେ ଚାଲି ଚାଲି କପିଳାଶ ଛକ ଦେଇ ଯାଉଥିବା ବେଳେ ପଲସରରେ ୨ ଦୁର୍ବୃତ୍ତ ଆସି ରେଣୁ ଧରିଥିବା ବ୍ୟାଗକୁ ଝାମ୍ପି ନେଇଥିଲେ। ଦୁର୍ବୃତ୍ତଙ୍କୁ ଧରିବା ଲାଗି ମହିଳାମାନେ ପାଟି କରିଥିଲେ। ହେଲେ ଆଖି ପିଛୁଳାକେ ପଲସର ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କପିଳାଶ ଛକରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି। ଖୁବ୍ ଶୀଘ୍ର ଲୁଟେରାଙ୍କୁ ଧରିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ ଏସଆଇ ଶିବ ଶଙ୍କର ସାହୁ।

ସମ୍ବନ୍ଧିତ ଖବର