ରାଉରକେଲା: କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ଅନେକଙ୍କ ଜୀବନ ଯାଇଛି। ଅକ୍ସିଜେନ୍ ସଙ୍କଟ ଦୂର କରିବାକୁ ବେଶ୍ ତତ୍ପର ହୋଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍) ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ଅନୁରୂପ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କଲେ। ଇତି ମଧ୍ୟରେ କରୋନା ଦ୍ବିତୀୟ ଲହରର ସଂକ୍ରମଣ ହ୍ରାସ ପାଇଛି। ସମ୍ଭାବ୍ୟ ତୃତୀୟ ଲହର ଓ ଆଗାମୀ ଭବିଷ୍ୟତରେ ରୋଗୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ଆଗ ଆରମ୍ଭ ହୋଇଛି।
ଆର୍ଜିଏଚ୍ ପରିସରରେ ଜାଗା ଅଭାବରୁ ମାତୃ୍ ଶିଶୁ ହସ୍ପିଟାଲ (ଏମ୍ସିଏଚ୍) ବିଲ୍ଡଂ ପାଖରେ ପ୍ଲାଣ୍ଟ ନିର୍ମାଣ ହେଉଛି। ଏହାର କ୍ଷମତା ରହିଛି ୮୩୩ ଏଲ୍ପିଏମ୍ (ଲିଟର ପର୍ ମିନିଟ୍)। ପୂର୍ତ୍ତବିଭାଗ ବିଭାଗ ଦ୍ବାରା ଚାଲିଥିବା ଏହି ପ୍ଲାଣ୍ଟ ସ୍ଥାପନ ବାବଦରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ବାୟୁମଣ୍ଡଳରୁ ଅକ୍ସିଜେନ୍ ସଂଗ୍ରହ କରି ପ୍ଲାଣ୍ଟ ଜରିଆରେ ରୋଗୀଙ୍କ ନିକଟରେ ପହଞ୍ଚାଯିବ। ଜୁନ୍ ମାସ ଶେଷ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୦%- ୪୦ % କାମ ଶେଷ ହୋଇଛି। ଠିକା ସଂସ୍ଥାର ଅବହେଳା ଯୋଗୁ କାମ ଆଗେଇ ପାରୁ ନଥିବା କୁହାଯାଉଛି।
ସେପଟେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ୧୦୦୦ ଏଲ୍ପିଏମ୍ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଜାଗାର ଅଭାବ ଦେଖା ଯାଇଛି। ଏହାର ନିର୍ମାଣ ସମ୍ପର୍କିତ ଚିଠି ପାଇବାରେ ପିଡବ୍ଲ୍ୟୁଡିର ଚିନ୍ତା ବଢ଼ି ଯାଇଛି। କାରଣ ଆର୍ଜିଏଚ୍ ଭିତରେ ଏମ୍ସିଏଚ୍ ବିଲ୍ଡିଂ ପାଖରେ ଯେତିକି ଜାଗା ଥିଲା, ସେଠି ରାଜ୍ୟ ସରକାରଙ୍କ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ପରେ ଆଉ ଖାଲି ସ୍ଥାନ ପ୍ରାୟ ନାହିଁ। କେନ୍ଦ୍ର ସରକାରଙ୍କ ପାଣ୍ଠିରେ ନିର୍ମାଣ ହେବାକୁ ଯାଉଥିବା ଦ୍ବିତୀୟ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଆର୍ଜିଏଚ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଛି। ଯଦି ଏହାକୁ ଆର୍ଜିଏଚ୍ ଭିତରେ ସ୍ଥାପନ କରାଯାଏ, ତେବେ ଆଗାମୀ ଦିନରେ ଡାକ୍ତରଖାନାର ସମ୍ପ୍ରସାରଣ ହୋଇ ପାରିବ ନାହିଁ।
ଉଲ୍ଲେଖନୀୟ ଯେ ଆର୍ଜିଏଚ୍କୁ ପୂର୍ବରୁ ଯେତିକି ଜମି ଦିଆଯାଇଥିଲା, ସେତିକି ଏବେ ନାହିଁ। ରାଜ୍ୟ ସରକାର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆର୍ଜିଏଚ୍କୁ ପ୍ରାୟ ୪୦ ଏକର ଜାଗା ଦେଇଥିଲେ। ଏଥି ମଧ୍ୟରୁ ପ୍ରାୟ ୧୦ ଏକର ଜାଗାରେ ରହିଛି ହନୁମାନବାଟିକା, ୧୫ ଏକର ଜାଗା ହାଇଟେକ୍ କଲେଜ ଓ ହସ୍ପିଟାଲକୁ ଟେକି ଦିଆଯାଇଛି। ଅବଶିଷ୍ଟ ୧୫ ଏକର ଜାଗାରେ ଆର୍ଜିଏଚ୍ ଚାଲିଛି। ପୁଣି ଏହି ୧୫ ଏକର ଜାଗାରୁ ପ୍ରାୟ ୧ ଏକର ଜବରଦଖଲକାରୀଙ୍କ କବଜାକୁ ଚାଲି ଯାଇଛି। ନିକଟରେ ମାପଚୁପ ବେଳେ ଏହା ଜଣା ପଡ଼ିଥିଲା।
ରାଜନୈତିକ ଚାପ ହେଉ ଅବା ବିବାଦ ଯୋଗୁ ଏହି ଜାଗାକୁ ଆର୍ଜିଏଚ୍ ଖାତାକୁ ଆଣା ଯାଇ ପାରିଲା ନାହିଁ। ତେଣୁ ଭୁବନେଶ୍ବରସ୍ଥ କ୍ୟାପିଟାଲ ହସ୍ପିଟାଲ ଭଳି ସମାନ ମାନ୍ୟତା ପାଇଥିବା ଆର୍ଜିଏଚ୍ର ସମ୍ପ୍ରସାରଣର ବାଟ ଏବେଠାରୁ ପ୍ରାୟତଃ ବନ୍ଦ ହୋଇଯାଇଛି। ଭିତରେ କ୍ବାର୍ଟର୍ସ ନିର୍ମାଣ କରିବାକୁ ବି ସ୍ଥାନ ନାହିଁ। ଏଠାରେ କାର୍ଯ୍ୟାରତ ପ୍ରାୟ ୬୦ ଜଣ ଡାକ୍ତରଙ୍କ ପାଇଁ ରହିଛି ମାତ୍ର ୬ଟି ପୁରୁଣା କ୍ବାର୍ଟର୍ସ। ଅନ୍ୟ ପ୍ରାୟ ୨୫୦ରୁ ଅଧିକ କର୍ମଚାରୀଙ୍କ ପାଇଁ ଅଛି ମାତ୍ର ୧୬ଟି କ୍ବାର୍ଟର୍ସ। ସୁନ୍ଦରଗଡ ଜିଲ୍ଲା ସମେତ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ ସୀମାବର୍ତ୍ତୀ ଲୋକଙ୍କ ସାହା ଭରସା ଆର୍ଜିଏଚ୍ର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଆଗେଇ ଆସିବାର ଆବଶ୍ୟକତା ରହିଛି। ନ ହେଲେ ଆଗାମୀ ଦିନରେ ଏହି ହସ୍ପିଟାଲର ସମ୍ପ୍ରସାରଣ ଦ୍ବାର ସବୁଦିନ ପାଇଁ ବନ୍ଦ ହୋଇଯିବ ବୋଲି ମତ ପ୍ରକାଶ ପାଇଛି।