ପୌରାଂଚଳରେ ରାସ୍ତାକଡ଼ରେ ଗାଡ଼ି ରଖି ସଉଦା କିଣିବା ମନା, ଆସନ୍ତାକାଲିଠାରୁ କଡ଼ାକଡ଼ି ହେବା ନିୟମ

ଖୋର୍ଦ୍ଧା: ରାଜ୍ୟରେ କରୋନା ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସର୍ବାଗ୍ରେ ରହିଛି । ପ୍ରଶାସନର କଟକଣା, ଏନ୍ଫୋର୍ସମେଂଟ୍ ଓ ଜରିମାନା ଆଦାୟ ପରେ ମଧ୍ୟ ଲୋକମାନେ କୋଭିଡ୍ ନିୟମ ପାଳନରେ ଅମାନିଆ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ପୌର ପ୍ରଶାସନ ପକ୍ଷରୁ କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି । ଏଥର ରାସ୍ତା କଡ଼ରେ ଗାଡ଼ି ରଖିବା ଓ କିଣାବିକା କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି ।

ଆଜି ଅପରାହ୍ଣରେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବଜାର କମିଟି ଓ ବ୍ୟବସାୟୀ ସଂଘର ସଦସ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏଥିରେ କୋଭିଡ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଥିଲା । କଟକଣା କୋହଳ କରାଯାଇ ସମସ୍ତ ଦୋକାନବଜାର ଖୋଲିବା ଓ ଅପରାହ୍ଣ ୨ଟା ଯାଏଁ ବୃଦ୍ଧି କରିବା ପରେ ବଜାରରେ ଗହଳି ବଢ଼ୁଥିବା, ଦୋକାନଗୁଡ଼ିକରେ ସାମାଜିକ ଦୂରତ୍ୱ, ମାସ୍କ ଆଦି ପିନ୍ଧିବା କଟକଣା ପାଳନ କରାଯାଉନଥିବା ନେଇ ଚିନ୍ତା ବ୍ୟକ୍ତ କରାଯାଇଥିଲା ।

ବୈଠକର ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲି ଠାରୁ ରାସ୍ତାକଡ଼ରେ ଗାଡ଼ି ରଖି ସଉଦା କରିବା ଓ ରାସ୍ତାକଡ଼ରେ ବ୍ୟବସାୟ କରିବା ଉପରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ବଜାର ଓ ବ୍ୟବସାୟ ସଂଘର ସଦସ୍ୟଙ୍କୁ ନେଇ ଗଠିତ କମିଟି ଏହି ନିୟମ ପାଳନ ଯେପରି ହେବ ସେନେଇ ଦୃଷ୍ଟି ଦେବେ ବୋଲି ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥି କହିଛନ୍ତି । ଆଜିର ଏହି ବୈଠକରେ ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ, ଯୋଗଣ ବିଭାଗ ଅଧିକାରୀ ପ୍ରମୁଖଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର