‘୫-ଟି ରୂପାନ୍ତରଣ’ରେ ବଦଳିଗଲା ରୂପରେଖ, ୩୬ କୋଟିରେ ୯୫ ହାଇସ୍କୁଲ୍‌ ପ୍ରସ୍ତୁତ

ସୋମବାର ମୁଖ୍ୟମନ୍ତ୍ରୀ କରିବେ ଲୋକାର୍ପଣ

କେନ୍ଦ୍ରାପଡ଼ା: ଆସନ୍ତା ୬ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି ଜିଲ୍ଲାର ଆଉ ୯୫ଟି ରୂପାନ୍ତରିତ ହାଇସ୍କୁଲ୍‌। ‘୫-ଟି ରୂପାନ୍ତରଣ’ କାର୍ଯ୍ୟକ୍ରମ ଜରିଆରେ ପାଖାପାଖି ୩୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ କରାଯାଇଥିବା ଏହି ହାଇସ୍କୁଲ୍‌ଗୁଡ଼ିକର ଚେହେରା ଏଭଳି ବଦଳିଛି ଯେ କୌଣସି ଗୁଣରେ ଘରୋଇ ସ୍କୁଲ୍‌ଠୁ ବି କମ୍‌ ପଡ଼ିବ ନାହିଁ। ଚକାଚକ୍‌ ମାର୍ବଲ୍‌ ଚଟାଣ ସା˚ଗକୁ ସ୍ମାର୍ଟ କ୍ଲାସ୍‌ ରୁମ୍‌, ଇ–ଲାଇବ୍ରେରି, କ˚ପ୍ୟୁଟର‌୍‌, ଅତ୍ୟାଧୁନିକ ଲାବ୍ରୋଟୋରି ଆଦି ଅନେକ ଅତ୍ୟାଧୁନିକ ସୁବିଧା ଏ ସ୍କୁଲ୍‌ରେ ରଖାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨୫ଟି ହାଇସ୍କୁଲ୍‌ର ରୂପରେଖ ରୂପାନ୍ତରଣ କାର୍ଯ୍ୟକ୍ରମରେ ବଦଳିଲାଣି। ଦ୍ବିତୀୟ ପର୍ଯ୍ୟାୟରେ ଲୋକାର୍ପିତ ହେବାକୁ ଯାଉଥିବା ୯୫ ହାଇସ୍କୁଲ୍‌ ମଧ୍ୟରୁ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ସର୍ବାଧିକ ୧୪ଟି ହାଇସ୍କୁଲ ଥିବା ବେଳେ ଗରଦପୁର ବ୍ଲକ୍‌ର ସର୍ବନିମ୍ନ ୭ଟି ରହିଛି ଆସନ୍ତା ସୋମବାର ଇଚ୍ଛାପୁର ସରକାରୀ ହାଇସ୍କୁଲ୍‌ରେ ଭିଡିଓ କନଫରେନ୍ସି˚ ମାଧୢମରେ ମୁଖ୍ୟମନ୍ତ୍ରୀ ଏ ସବୁ ହାଇସ୍କୁଲର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ ଜିଲ୍ଲାରେ ସମୁଦାୟ ବିଭିନ୍ନ ବର୍ଗର ୩୫୬ଟି ହାଇସ୍କୁଲ୍‌ ରହିଛି। ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ନଭେମ୍ବର ୨୦ତାରିଖରେ ମୁଖ୍ୟମନ୍ତ୍ରୀ ୩୦ଟି ହାଇସ୍କୁଲକୁ ଲୋକାର୍ପିତ କରିଥିଲେ, ଯେଉଁଗୁଡ଼ିକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଉନ୍ନତିକରଣ ହୋଇଥିଲା। ଏଥର ଆଉ ୯୫ଟି ହାଇସ୍କୁଲ ତାଲିକାରେ ଯୋଡ଼ି ହୋଇଛି। ରୂପାନ୍ତରିତ ହେବାକୁ ଯାଉଥିବା ଏହି ହାଇସ୍କୁଲ୍‌ ମଧ୍ୟରେ କେନ୍ଦ୍ରାପଡ଼ା ବ୍ଲକ୍‌ର ୧୩ଟି ହାଇସ୍କୁଲ୍‌ ଥିବା ବେଳେ ଆଳି ବ୍ଲକ୍‌ର ୧୦, ଡେରାବିଶ ବ୍ଲକ୍‌ର ୯, ଗରଦପୁର ବ୍ଲକ୍‌ର ୭, ମହାକାଳପଡ଼ା ବ୍ଲକ୍‌ର ୯, ମାର୍ଶାଘାଇ ବ୍ଲକ୍‌ର ୧୨, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୧୪, ରାଜକନିକା ବ୍ଲକ୍‌ର ୧୨ ଏବଂ ରାଜନଗର ବ୍ଲକ୍‌ର ୯ଟି ହାଇସ୍କୁଲ୍‌ ରହିଛି ଜୁନ୍ ୩ ବା ଆଜି ସୁଦ୍ଧା କାମ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ସବୁ ସ୍କୁଲ୍‌ରେ କାମ ଆପାତତଃ ଶେଷ ହୋଇଛି ା ହାଇସ୍କୁଲ୍‌ ଗୁଡ଼ିକ ନୂଆ ରୂପ ପାଇଛି। ଚଟାଣରେ ଚକାଚକ୍ ଟାଇଲ୍‌ ସା˚ଗକୁ ଅତ୍ୟାଧୁନିକ ଡେସ୍କ୍‌–ବେଞ୍ଚ୍‌, ଥ୍ର-ଡି କଳାପଟା, ଉନ୍ନତମାନର ଲାଇବ୍ରେରୀ, ପାର୍କ ଇତ୍ୟାଦି ବିବିଧ ସୁବିଧାରେ ସ୍କୁଲର ପରିବେଶ ଏଭଳି ବଦଳିଛି ଯେ ଦୂରରୁ ଦେଖିଲେ ଘରୋଇ ସ୍କୁଲ୍‌ ଭଳି ଦିଶୁଛି।

ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା କରିବା ପାଇଁ ପ୍ରତି ହାଇସ୍କୁଲ ପିଛା ୩୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି ା  ଡିଆରଡିଏ ପିଡି ରାଜେନ୍ଦ୍ର ପଣ୍ଡା କହିଛନ୍ତି ଯେ ସରକାର ପ୍ରତି ହାଇସ୍କୁ୍‌ଲ ପିଛା ୪୫ଲକ୍ଷ ଟଙ୍କା ଲେଖାଏ ମଂଜୁର କରିଥିଲେ। କିନ୍ତୁ ଆମେ ସେଥିମଧ୍ୟରୁ ୭ଲକ୍ଷ ଟଙ୍କା ରକ୍ଷାଣବେକ୍ଷଣ ପାଇଁ ରଖି ବାକି ୩୮ଲକ୍ଷ ଟଙ୍କା ଲେଖାଏ ପ୍ରତି ହାଇସ୍କୁଲ୍‌କୁ ଦେଇଥିଲୁ। ହାଇସ୍କୁଲ୍‌ର ଭବିଷ୍ୟତର ରକ୍ଷାଣବେକ୍ଷଣ ପାଇଁ ଏହି ୭ଲକ୍ଷ ଟଙ୍କା ଲେଖାଏ ଜିଲ୍ଲା ଶିକ୍ଷା ବିଭାଗ ପାଖରେ ରଖାଯାଇଛି ା ସେହିପରି ତୃତୀୟ ପର୍ଯ୍ୟାୟରେ ଅନ୍ୟ ହାଇସ୍କୁଲ ଗୁଡ଼ିକୁ ବି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ୍‌ କରାଯିବାର ଯୋଜନା ରହିଛି ା ଏହାର ତାଲିକା ସଂପ୍ରତି ପ୍ରସ୍ତୁତ ଚାଲିଛି ଏବଂ ଚୂଡ଼ାନ୍ତ ହେବା ପରେ ତାହାକୁ ସରକାରଙ୍କୁ ପଠାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି  ଲୋକାର୍ପିତ ହେବାକୁ ଯାଉଥିବା ହାଇସ୍କୁଲ୍‌ର କାମ ସଂପର୍କରେ ପିଡି ଗୁରୁବାର ସମୀକ୍ଷା କରିଥିବା ଜଣାପଡ଼ିଛି। ସେ କହିଛନ୍ତି ଯେ ସମୀକ୍ଷାରୁ କାମ ଆପାତତଃ ସବୁ ହାଇସ୍କୁଲରେ ଶେଷ ହୋଇଛି। ଇଚ୍ଛାପୁର ହାଇସ୍କୁଲ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିବେ। ଏଥିସକାଶେ ପ୍ରସ୍ତୁତି ‌ଜୋରସୋରରେ ଚାଲିଛି। ଜଣେ ମନ୍ତ୍ରୀ ଏବଂ କେନ୍ଦ୍ରାପଡ଼ା ସାଂସଦ ଓ ଜିଲ୍ଲାର ପାଞ୍ଚ ବିଧାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର