ଯାଜପୁର/ଦାନଗଦୀ/ଯଖପୁରା: ଯାଜପୁର ଜିଲ୍ଲାରେ କଳକାରଖାନା ଓ ଖଣିଖାଦାନରେ ଶ୍ରମିକଙ୍କ ସୁରକ୍ଷା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଜି କଳିଙ୍ଗନଗରସ୍ଥିତ ନେଜୋନ୍ ଟ୍ୟୁବ୍‌ କାରଖାନାରେ ଜଣେ ମହିଳା ଶ୍ରମିକ ଲକ୍ଷ୍ମୀ ମୁର୍ମୁ(୩୫)ଙ୍କ ମୃତ୍ୟୁ ଘଟିଛି। କାମ କରୁଥିବାବେଳେ ତାଙ୍କ ଉପରେ ଏକ କଏଲ ବଣ୍ଡଲ ପଡ଼ିଯାଇଥିଲା। ସଙ୍ଗେସଙ୍ଗେ ଦାନଗଦୀ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଲକ୍ଷ୍ମୀଙ୍କ ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଗୋଲାଗାଡ଼ିଆ ଗାଁରେ ଏବଂ ତାଙ୍କ ସ୍ବାମୀଙ୍କ ନାମ ଛୋଟରାୟ ମୁର୍ମୁ। ସେ କାରଖାନାରେ ଝାଡ଼ୁଦାର ଭାବେ କାର୍ଯ୍ୟରତ ଥିଲେ।

Advertisment

ଦୁର୍ଘଟଣାକୁ ନେଇ କାରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ କାମ ବନ୍ଦ ହୋଇଯାଇଥିଲା। ପୁଲିସ, ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ଓ କାରଖାନା କର୍ତ୍ତୃପକ୍ଷ ଏକ ବୈଠକରେ ମିଳିତ ହୋଇ ମୃତକଙ୍କ ପରିବାରକୁ ୧୨ଲକ୍ଷ ଟଙ୍କା ଓ ତାଙ୍କ ଝିଅର ପ୍ରତିପୋଷଣ ପାଇଁ ୨ଲକ୍ଷ ଟଙ୍କା, ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଯଖପୁରା ଥାନାଧିକାରୀ ଜଗଦୀଶ କର, ଶ୍ରମିକ ନେତା ବାବୁଲି ପୂର୍ତ୍ତି, କାରଖାନା ଆକାଉଣ୍ଟାଣ୍ଟ ମ୍ୟାନେଜର ପ୍ରଦୀପ ଖୁଣ୍ଟିଆ ଓ ସମରେନ୍ଦ୍ର ଘଡ଼ାଇ ଉପସ୍ଥିତ ଥିଲେ।

ସୁରକ୍ଷା ପାଇଁ କାମ କରୁଥବା ଫ୍ୟାକ୍ଟି ଆଣ୍ଡ ବଏଲର ବିଭାଗ ଅଧିକାରୀ ବର୍ଷକରେ ଥରେ କେବଳ ସୁରକ୍ଷା ସପ୍ତାହ ପାଳନ କରି ନିଜର ଦାୟିତ୍ବ ଶେଷ କରୁଛନ୍ତି। କୌଣସି ଦୁର୍ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ନାମକୁ ମାତ୍ର କ୍ଷତିପୂରଣରେ କାର୍ଯ୍ୟାନୁଷ୍ଠାନ ଶେଷ ହେଉଛି। ଶ୍ରମିକ ସୁରକ୍ଷା ଆଇନ୍ ବନ୍ଧା ପଡ଼ିଛି। ଅଧିକାଂଶ କଳକାରଖାନାରେ ସୁରକ୍ଷା ଅଧିକାରୀ ନାହାନ୍ତି। ଏଥି ପ୍ରତି ଉଚ୍ଚ ପଦାଧିକାରୀଙ୍କର ମଧ୍ୟ ଧ୍ୟାନ ନାହିଁ।