ଭଦ୍ରକରେ ଆୟକର ବିଭାଗର ଛାନ୍‌ଭିନ୍‌: ୫ କୋଟିପତିଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ

ବାଲେଶ୍ୱର: ଆୟକର ବିଭାଗର ବାଲେଶ୍ୱର ଡିଭିଜନ୍‌ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ଚରମ୍ପାସ୍ଥିତ ମଙ୍ଗଲମ୍‌ ରାଇସ୍‌ମିଲ ରହିଥିବା ବେଳେ ଧାମରା ଅଞ୍ଚଳରେ ୫ଟି ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି।

ଖବରରୁ ପ୍ରକାଶ ଯେ, ଆୟକର ବିଭାଗର ବାଲେଶ୍ୱର ଡିଭିଜନ୍‌ ନେତୃତ୍ୱରେ ଗତକାଲି ୧୪ ଜଣିଆ ଟିମ୍‌ ଭଦ୍ରକ ଜିଲ୍ଲା ଧାମରାକୁ ଯାଇଥିଲେ। ସେଠାରେ ଥିବା ପଞ୍ଚାନନ ମଣ୍ଡଳଙ୍କ ମା’ ନଛିନ୍ଦା ସେଲସ୍‌ ଆଣ୍ଡ୍‌ ସପ୍ଲାଇ(ଗୃହ ନିର୍ମାଣ ସାମଗ୍ରୀ), ମଦନମୋହନ ମଣ୍ଡଳଙ୍କ କରନପଲ୍ଲୀ ଇଣ୍ଡେନ୍‌ ଗ୍ରାମୀଣ ବିତରକ, ମିନତୀ ମଣ୍ଡଳଙ୍କ ମା’ ଶୀତଳ ସେଲ୍‌ସ ଆଣ୍ଡ୍‌ ସପ୍ଲାଇ, ପ୍ରଫୁଲ୍ଲ କୁମାର ମଣ୍ଡଳଙ୍କ ମା’ ଧାମରାଇ ସର୍ଭିସ ଷ୍ଟେସନ(ପେଟ୍ରୋଲ ପମ୍ପ) ଓ ଅମୂଲ୍ୟ କୁମାର ମଣ୍ଡଳଙ୍କ ମା’ ଧାମରାଇ ଆଇସ ପ୍ଲାଣ୍ଟ୍‌(ବରଫ କଳ)ରେ ଚଢ଼ାଉ କରି ସମସ୍ତ କାଗଜପତ୍ର ତନ୍ନତନ୍ନ କରି ଯାଞ୍ଚ୍‌ କରିଥିଲେ। ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ମାସିକ କୋଟିକୋଟି ଟଙ୍କାର କାରବାର ହେଉଥିବା ବେଳେ ସମସ୍ତଙ୍କ ବିରୋଧରେ ଟିକସ ଫାଙ୍କି ଅଭିଯୋଗ ରହିଥିଲା।

HDFC Life

ଆୟକର ବିଭାଗ ସମସ୍ତଙ୍କର ବ୍ୟବସାୟିକ ତଥ୍ୟ ଯାଞ୍ଚ୍‌ କରିବା ପରେ ସମ୍ପୃକ୍ତ ବ୍ୟବସାୟୀମାନେ ଅଧିକାରୀଙ୍କ ସାମ୍ନାରେ ୭ କୋଟି ୫୦ ଲକ୍ଷ ଟଙ୍କାର ଆୟ ଘୋଷଣା କରିଥିଲେ, ଯାହା ବାବଦକୁ ୨କୋଟି ଟଙ୍କାର ରାଜସ୍ୱ ବିଭାଗ ଆଦାୟ କରିଥିଲା। ବାଲେଶ୍ୱର ରେଞ୍ଜର ଯୁଗ୍ମ କମିସନର ଅଜୟ କୁମାର ସିଂଙ୍କ ନେତୃତ୍ୱରେ ଆୟକର ଅଧିକାରୀ ହେମନ୍ତ କୁମାର ସେଠୀ, ସେକ୍‌ ରାଜେନ ଜାନ, ପ୍ରମୋଦ କୁମାର ସାହୁ, ହରିହର ମାଝୀ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।

ସେହିପରି ବାଲେଶ୍ୱର ଡିଭିଜନ୍‌ର ସହାୟକ କର ଅଧିକାରୀ ଚନ୍ଦନ କୁମାର ପଣ୍ଡିତଙ୍କ ନେତୃତ୍ୱରେ ଭଦ୍ରକ ଚରମ୍ପାସ୍ଥିତ ମଙ୍ଗଳମ ରାଇସମିଲରେ ଏକ ୭ ଜଣିଆ ଟିମ୍‌ ଚଢାଉ କରି ଆୟ ସମ୍ବନ୍ଧିତ ଟିକସ ଫାଙ୍କି ମାମଲାରେ କାଗଜପତ୍ର ଖେଳାଇ ତନତନ କରି ଯାଞ୍ଚ୍‌ କରିଥିଲେ। ଏଠାରେ ରାଇସମିଲର ମାଲିକ ଆଲୋକ ଖେମ୍‌କା ୨.୫କୋଟି ଟଙ୍କାର ଆୟ ଘୋଷଣା କରିଥିବା ବେଳେ ସେ ବାବଦରେ ସେ ୭୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର