ରାୟଗଡା: ରାୟଗଡ଼ା ସ୍ଥିତ ଏକ ସୁନା ଦୋକାନ ଉପରେ ଆଜି ଦ୍ବିପହରରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି। ଆୟକର ବିଭାଗର ଚାରି ଜଣିଆ ଟିମ ମୁଖ୍ୟ ଛକରେ ରହିଥିବା ସାବିତ୍ରୀ ସୁନା ଦୋକାନ ଉପରେ କଡା ସୁରକ୍ଷାର ସହ ଚଢାଉ କରିଥିଲେ। ଏହାର ପ୍ରଭାବରେ ପାଖରେ ଥିବା ଅନ୍ୟ ସୁନା ଦୋକାନଗୁଡିକ ମଧ୍ୟ ତାଲା ମାରିଦେଇ କେଉଁଆଡେ ଉଭାନ ହୋଇଯାଇଥିଲେ। ତେବେ ସୁନା ଦୋକାନୀ ଆୟକର ଫାଙ୍କୁଥିବା ନେଇ ଏହି ଚଢାଉ କରାଯାଇଛି ନା ଚୋରା ସୁନା ବେପାର ଚାଲିଥିବା ନେଇ ଏହି ଚଢାଉ କରାଯାଇଛି ଜଣାପଡି ନାହିଁ।
ଖବର ଲେଖାଯିବା ବେଳକୁ ମଧ୍ୟ ଆୟକର ବିଭାଗର କର୍ମଚାରୀମାନେ ସୁନା ଦୋକାନରେ ସମସ୍ତ କାଗଜପତ୍ର ସହ ସୁନାଗୁଡିକ ଗୋଟି ଗୋଟି କରି ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ଆୟକର ବିଭାଗର ଅଧିକାରୀଙ୍କୁ ପଚରାଯିବାରୁ ସେମାନେ କୌଣସି ଉତ୍ତର ଦେଇନଥିଲେ। ଅନ୍ୟ ଦିଗରେ ସୁନା ଦୋକନର ମାଲିକ କିନ୍ତୁ ଏଭଳି ବର୍ଷକ ଥରେ କେନ୍ଦ୍ରର ନିର୍ଦେଶକ୍ରମେ କୌଣସି ଏକ ଦୋକାନ ଉପରେ ଚଢାଉ କରାଯାଇ ଯାଞ୍ଚ କରାଯାଇଥାଏ ବୋଲି ଯୁକ୍ତି ବାଢିଥିଲେ।
ଦୀର୍ଘ ସମୟ ଧରି ସାମ୍ବାଦିକମାନେ ସୁନା ଦୋକାନ ସାମ୍ନାରେ ଛିଡା ହୋଇ ଆୟକର ବିଭାଗର କର୍ମଚାରୀଙ୍କୁ ଏନେଇ ପ୍ରଶ୍ନ ପଚାରିବାକୁ ଅପେକ୍ଷା କରିଥିଲେ ମଧ୍ୟ ସୁନା ଦୋକାନର ସଟର ପକାଇ ଭିତରେ କଣ ଯାଞ୍ଚ କରୁଥିଲେ କିଛି କହିନଥିଲେ। ତେବେ ଆୟକର ଏହି ଚଢାଉରେ କଣ ପାଇଛି ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Rgda-gold-shop-re-IT-raid-2.jpg)