ରଗଡ଼ି: ଯାଜପୁରରୋଡ ଥାନା ତଥା ଅଗ୍ନିଶମ କାର୍ଯ୍ୟାଳୟ ନିକଟସ୍ଥ ଗୋଲେଇ-ଦାନଗଦୀ ବ୍ଲକ୍ର ମିଲିଟାରି ଛକ ବାଇପାସ୍ ରାସ୍ତା ଉଦଘାଟନ ନହୋଇ ପଡ଼ିରହିଛି । କଳିଙ୍ଗନଗର ଶିଳ୍ପାଂଚଳର ଏକ ପ୍ରମୁଖ ରାସ୍ତା ଏହି ବାଇପାସକୁ କାର୍ଯ୍ୟକ୍ଷମ କରିବାକୁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି । ୪.୭ କିଲୋମିଟର ଏହି ରାସ୍ତାକୁ ସମ୍ପୂର୍ଣ୍ଣ କରି ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ବାରମ୍ବାର ପ୍ରତିଶ୍ରୁତି ଦେଉଛି । ହେଲେ ଏହି ବାଇପାସ୍ ରାସ୍ତାର ସମସ୍ତ କାର୍ଯ୍ୟ ସରିଥିଲେ ମଧ୍ୟ ଏହାକୁ ଲୋକାର୍ପଣ କରାଯାଉନାହିଁ । କଳିଙ୍ଗନଗର ଶିଳ୍ପାଂଚଳର ବିଭିନ୍ନ କଳକାରଖାନାରେ କାମ କରୁୁଥିବା ବ୍ୟାସନଗର, କୋରେଇ ବ୍ଲକ୍ ଓ କେନ୍ଦୁଝର ଜିଲ୍ଲା ଘଷିପୁରା ଅଂଚଳର ଲୋକମାନଙ୍କ ଏହା ଏକ ପ୍ରମୁଖ ରାସ୍ତା ।

Advertisment

ଅନ୍ୟପକ୍ଷରେ ବ୍ୟାସନଗର ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏହି ବାଇପାସ୍ ରାସ୍ତାର ପ୍ରମୁଖ ଭୂମିକା ରହିଛି । ବାଇପାସ୍ ରାସ୍ତା ସମ୍ପୂର୍ଣ୍ଣ ହେଉନଥିବାରୁ କଳିଙ୍ଗନଗର ଶିଳ୍ପାଂଚଳରୁ ଯାତାୟାତ କରୁଥିବା ହଜାର ହଜାର ଭାରୀଯାନ ବ୍ୟାସନଗର ସହର ମଧ୍ୟରେ ଯାତାୟାତ କରୁଛି । ଧବଳଗିରି ବଜାର ପରେ ଟ୍ରକ୍ ଓ ଭାରୀଯାନଗୁଡ଼ିକ ଚୋରଦା ଛକ କହ୍ନେଇପୁର ବଜାର ମଧ୍ୟରେ ପଶି ଯାଜପୁରରୋଡ ଥାନା ଛକରେ ବାହାରୁଛନ୍ତି । ଏହି ରାସ୍ତା ପାଶ୍ୱର୍ରେ ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ, ବ୍ୟାସନଗର ଉଚ୍ଚ ବିଦ୍ୟାଳୟ, ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ, ଜେଏମଏଫସି କୋର୍ଟ ଓ କହ୍ନେଇପୁର ଠାରେ ଥିବା କେତେଗୁଡ଼ିଏ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି । କଳକାରଖାନାରୁ ଆସୁଥିବା ହଜାରହଜାର ଗାଡ଼ିମୋଟର ପାଇଁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସହରବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଇଛି । ଅତୀତରେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହୋଇଛି । ତେଣୁ ସହରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ବାଇପାସ ରାସ୍ତାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ।

publive-image

ସହର ପାଇଁ ଅତ୍ୟନ୍ତ ଗୁରୁତ୍ୱ ରଖୁଥିବା ଏହି ବାଇପାସ୍ ରାସ୍ତାକୁ ଗତ ଫେବ୍ରୁଆରି ୨୮ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଜାତୀୟ ରାଜପଥ ସୁରକ୍ଷା ମଂଚର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏହି ରାସ୍ତା ପ୍ରାୟ ୧୫ ଦିନ ହେଲା ସମ୍ପୂର୍ଣ୍ଣ ହୋଇସାରିଲାଣି । ଠାଏଠାଏ ପାଉଁଶ ପକାଯାଇ ରାସ୍ତାକୁ ଅବରୋଧ କରାଯାଇଛି । ନେତାଙ୍କ ଦ୍ୱାରା ଉଦଘାଟନ ପରେ ସର୍ବସାଧାରଣଙ୍କ ପାଇଁ ଏହି ରାସ୍ତାକୁ ଖୋଲି ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ପ୍ରକାଶ ଯେ, ୪.୭ କିଲୋମିଟର ବିଶିଷ୍ଟ ଏହି ବାଇପାସ ରାସ୍ତାର ନିର୍ମାଣ ପାଇଁ ପ୍ରାୟ ୧୪ ବର୍ଷ ଲାଗିଲା । ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା ଚେତାବନୀ ମଧ୍ୟ ଦିଆଯାଇଥିଲା । ଏବେ ରାସ୍ତା ସମ୍ପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଏହାକୁ ଖୋଲାଯାଉନାହିଁ । ନେତାଙ୍କ ଉଦଘାଟନକୁ ଅପେକ୍ଷା କରି ରାସ୍ତାକୁ ବନ୍ଦ କରି ରଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି ।