ସଂକ୍ରମଣ ରୋକିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଫେଲ୍: ଷ୍ଟେସନରୁ ଲୁଚି ପଳାଉଛନ୍ତି ଯାତ୍ରୀ‌

ସୀମାନ୍ତ ଖୋଲାମେଲା, ଅବାଧ ଯାତାୟତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଏବେ ଉପରମୁହାଁ। ବିଶେଷକରି ଗତ ୬ ଦିନ ହେଲା ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି। ଏହା ପୂର୍ବରୁ ଜିଲ୍ଲାର ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫/୨୦ ଭିତରେ ରହୁଥିଲା। ହଠାତ୍‌ ୩୦ ତାରିଖରେ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୧ ତାରିଖରେ ୩୮ ଜଣ, ଏପ୍ରିଲ ୧ ତାରିଖରେ ୩୧ ଜଣ, ୨ ତାରିଖରେ ୬୨ ଜଣ ଓ ୩ ତାରିଖରେ ୭୫ ଜଣ ଚିହ୍ନଟ ହୋଇଥିଲେ। ଆଜି ମଧ୍ୟ ଏହି ଧାରା ଅବ୍ୟାହତ ରହିଛି। ଆଜି ଜିଲ୍ଲାରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ସାଢ଼େ ୪ ମାସ ପୂର୍ବେ ଶେଷଥର ପାଇଁ ଦୈନିକ ଆକ୍ରାନ୍ତ ସଂଖ୍ୟା ୮୦ ଟପିଥିଲା। ଗତ ନଭେମ୍ବର ୧୯ ତାରିଖରେ ଜିଲ୍ଲାରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଇତିମଧ୍ୟରେ ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୬,୩୯୫ରେ ପହଞ୍ଚିଛି। ତେବେ ଜିଲ୍ଲାରେ ହଠାତ୍‌ କାହିଁକି ସଂକ୍ରମଣ ବଢ଼ିଲା? ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ କେଉଁଠାରେ ବିଫଳ ହେଲା? ଏଥିପାଇଁ ଦାୟୀ କେବଳ ପ୍ରଶାସନିକ ଅବହେଳା ନା ଜନସାଧାରଣଙ୍କ ଭିତରେ ସଚେତନତାର ଅଭାବ? ଏଭଳି ଅନେକ ପ୍ରଶ୍ନବାଚୀ ଏବେ ସୃଷ୍ଟି ହେଲାଣି।

ଏସବୁ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଠିଲାଣି। ତେବେ ଏଥିପାଇଁ ମୁଖ୍ୟତଃ ୪ଟି ପ୍ରମୁଖ କାରଣ ରହିଛି। ପ୍ରଥମତଃ, ଜିଲ୍ଲାର ବିଭିନ୍ନ ଖଣିଖାଦାନ, ଶିଳ୍ପସଂସ୍ଥାରେ କାର୍ଯ୍ୟରତ ଶ୍ରମିକଙ୍କ ପ୍ରତି ‌ଅଯାଚିତ କୋହଳ ନୀତି। ଜିଲ୍ଲାର କୋଇଡ଼ା ଖଣି ଅଞ୍ଚଳ ହେଉ ଅବା ଏମ୍‌ସିଏଲ ଖଣି ଅଞ୍ଚଳ, ପୁଣି କଲୁଙ୍ଗା ଶିଳ୍ପାଞ୍ଚଳ ଆଦି ବିଭିନ୍ନ ଅଞ୍ଚଳରେ ଅନ୍ୟରାଜ୍ୟର ବହୁ ସଂଖ୍ୟକ ଶ୍ରମିକ, କର୍ମଚାରୀ ନିୟୋଜିତ। ଏହି ଶ୍ରମିକମାନଙ୍କ ଅବାଧ ଯିବା ଆସିବା ଲାଗି ରହିଛି। ଏହାବାଦ୍‌ ଖଣିଜ ପଦାର୍ଥ ପରିବହନରେ ନିୟୋଜିତ ଭାରୀଯାନ ଚାଳକ, ଖଲାସୀ ମଧ୍ୟ ବେଧଡ଼କ ଯିବାଆସିବା କରୁଛନ୍ତି। ଏମାନେ କେବଳ ଜିଲ୍ଲା ଭିତରେ ରହୁନାହାନ୍ତି, ବରଂ ବିଭିନ୍ନ ରାଜ୍ୟକୁ ମାଲ୍‌ ପରିବହନ କରି ପୁଣି ଜିଲ୍ଲାକୁ ଫେରିଆସୁଛନ୍ତି। ଏମାନଙ୍କର ସ୍ବାବ୍‌ ନମୁନା ସଂଗ୍ରହ ଓ ପରୀକ୍ଷଣ ପାଇଁ ଯେଭଳି ପ୍ରାଥମିକତା ଦିଆଯିବା କଥା, ତାହା ଦିଆଯାଉନଥିବାରୁ ସଂକ୍ରମଣ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ଦ୍ବିତୀୟ କାରଣ ହେଉଛି, ସୀମାନ୍ତ ଦେଇ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡକୁ ଅବାଧ ଯାତାୟତ। ସଂପ୍ରତି, ଛତିଶଗଡ଼ ସଂକ୍ରମଣର ହଟସ୍ପଟ୍‌ ପାଲଟିଛି। ଏହି ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏ ଦିଗକୁ ଆଖିବୁଜି ଦେଇଥିବା ପରି ମନେ ହୁଏ।

କାରଣ, ପ୍ରତିଦିନ ହେମଗିର ବ୍ଲକ ଅନ୍ତର୍ଗତ ଟପରିଆ, ବାଲିଶଙ୍କରା ସୀମାନ୍ତ ଦେଇ ଛତିଶଗଡ଼କୁ ଯିବାଆସିବା ଲାଗିରହିଛି। ସେହିଭଳି ବୀରମିତ୍ରପୁର ଓ ଜରୈକେଲା ଦେଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ଗମନାଗମନ ଲାଗିରହିଛି। ଆଶ୍ଚର୍ଯ୍ୟର ବିଷୟ, ଏହି ବର୍ଡର୍‌ ଅଞ୍ଚଳରେ ଯେଭଳି ଯାଞ୍ଚ ହେବା କଥା ତାହା ଦେଖିବାକୁ ମିଳୁନି। ତୃତୀୟ ତଥା ଅନ୍ୟତମ ପ୍ରମୁଖ କାରଣ ହେଲା, ଟ୍ରେନ୍‌ ଯାତ୍ରୀଙ୍କ କୋଭିଡ୍‌ ପରୀକ୍ଷାରେ ଅନିୟମିତତା। ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, କେରଳ, ମଧ୍ୟପ୍ରଦେଶ ଆଦି ସର୍ବାଧିକ ସଂକ୍ରମିତ ରାଜ୍ୟ ଦେଇ ଏକାଧିକ ଟ୍ରେନ୍‌ ରାଉରକେଲାକୁ ଚଳାଚଳ କରୁଛି। ପ୍ରତିଦିନ ଶହ ଶହ ଯାତ୍ରୀ ରାଉରକେଲାରେ ଓହ୍ଲାଉଛନ୍ତି। ରେଳ ଷ୍ଟେସନରେ କୋଭିଡ୍‌ ପରୀକ୍ଷା ନାମକୁମାତ୍ର। କେବଳ ଉକ୍ତ ୫ଟି ରାଜ୍ୟରୁ ଆସୁଥିବା ତଥା କୋଭିଡ୍‌ ଲକ୍ଷଣ ଥିବା ଯାତ୍ରୀଙ୍କର କୋଭିଡ୍‌ ‌ପରୀକ୍ଷା କରାଯାଉଛି। କିନ୍ତୁ ଯେଉଁମାନଙ୍କର ଲକ୍ଷଣ ନାହିଁ, ସେମାନଙ୍କୁ ବିନା ଯାଞ୍ଚ୍‌ରେ ଛାଡ଼ି ଦିଆଯାଉଛି।

ଏମିତିକି ଲକ୍ଷଣ ଥିବା ଯାତ୍ରୀମାନେ ପାର୍ସଲ୍‌ ଗେଟ୍‌, ପ୍ଲାଟ୍‌ ଫର୍ମ ନଂ-୫ ସଂଲଗ୍ନ ରେଲୱେ କଲୋନି ଗେଟ୍‌ ଦେଇ ଲୁଚି ପଳାଉଛନ୍ତି। ଆଜି ଉତ୍କଳ ଏକ୍ସପ୍ରେସ୍‌ରେ ଦିଲ୍ଲୀ, ମଥୁରାରୁ ରାଉରକେଲାକୁ ଆସିଥିବା ୩ ଜଣ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ମଧ୍ୟ ନାଗପୁର, ଅହମଦାବାଦ, ଅନ୍ଧେରୀ(ମୁମ୍ବାଇ), ସୁରଟ, ରାଞ୍ଚି, ପଞ୍ଜାବରୁ ଆସିଥିବା ୬ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଚତୁର୍ଥ ତଥା ଅନ୍ୟତମ କାରଣ ହେଲା, କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରଶାସନର କୋହଳ ନୀତି। ସଂକ୍ରମଣକୁ ଗମ୍ଭୀରତାର ସହ ନେଉନାହାନ୍ତି ଜନସାଧାରଣ। ମନଇଚ୍ଛା କୋଭିଡ୍‌ ମାର୍ଗଦର୍ଶିକାର ଖୋଲା ଉଲ୍ଲଂଘନ କରିଚାଲିଛନ୍ତି। ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ବଜାୟ ରଖୁନାହାନ୍ତି। ନିୟମର କଡ଼ା ପାଳନ ପାଇଁ ପ୍ରଶାସନିକ ପଦକ୍ଷେପ ମଧ୍ୟ ଶୂନ ରହିଛି;ଯାହାକି ଉଲ୍ଲଂଘନକାରୀଙ୍କୁ ଦୁଃସାହସ ବଢ଼ିବାରେ ଲାଗିଛି। ଉପରୋକ୍ତ ୪ଟି ପ୍ରମୁଖ କାରଣରୁ ଗୋଟିଏ କଥା ସ୍ପଷ୍ଟ, ଯଦି ଜିଲ୍ଲା ପ୍ରଶାସନ ଅଧିକ ତତ୍ପର ହୁଅନ୍ତି, ତା’ହେଲେ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣକୁ ରୋକାଯାଇପାରିବ। କେବଳ ଅଫିସ୍‌ ଭିତରେ ବସି ଗଣମାଧ୍ୟମରେ ବିବୃତି ଦେଇ ତଥାକଥିତ ସଚେତନତା ସୃଷ୍ଟି କରିବାରେ ଏହି ଲଢ଼େଇକୁ ସୀମିତ ରଖିଥିବାରୁ, ସଂକ୍ରମଣ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର