ଉପରମୁହାଁ ସଂକ୍ରମଣ: ଜୟପୁରରେ ୨୭ ଓ ବ୍ଲକରେ ୩

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଧିରେ ଧିରେ ଉପରମୁହାଁ ହେବାରେ ଲାଗିଛି। ଆଜି ଜିଲ୍ଲାରେ ୧୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କାଲି ମାତ୍ର ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜୟପୁର ସହରାଂଚଳରେ ୨୭ଜଣ ସଂକ୍ରମିତ ହୋଇଛନ୍ତି। ସେଭଳି ଜୟପୁର ବ୍ଲକ ଅଂଚଳରେ ୩ଜଣ ଚିହ୍ନଟ ହୋଇଛନ୍ତି।

ଆଜି ମହାରାଣୀପେଟା,କେବିଏସଡି ରୋଡ,ଇରିଗେସନ୍ କଲୋନୀ, କୁମ୍ଭାରସାହି,ପାରାବେଢ଼ା, ପିଆରପେଟ୍ଟା, ନୂଆସାହି, ବିକ୍ରମ ନଗର, ବିଡି କଲେଜ, ଜୟନଗର, ନେହୁରୁ ନଗର, ଲିଙ୍ଗରାଜ ନଗର,ହାଇଦ୍ରାବାଦ ଲାଇନ୍, ଖ୍ରୀଷ୍ଠୀୟାନ ପେଟ୍ଟା,ସନ୍ତ୍ରା ସାହି, ନୂଆସାହି ପ୍ରଥମ ଲାଇନ୍, ସମ୍ବାରତୋଟାରେ ସଂକ୍ରମିତ ଚିହ୍ନଟ ହୋଇଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି। ସଂଦିଗ୍ଧ ବ୍ୟକ୍ତି ମାନେ ଲକ୍ଷଣ ଦେବା ଦେବା ପରେ ଡାକ୍ତରଖାନାକୁ ଯାଇ ଆଣ୍ଟିଜେନ୍ ଓ ଆଟିପିସିଆରରେ ପରୀକ୍ଷା କରାଉଛନ୍ତି। ତେବେ ଆଣ୍ଟିଜେନ ପରୀକ୍ଷା ପରେ ସଂକ୍ରମିତଙ୍କ ସଂପର୍କରେ ଜଣା ପଡ଼ିବା ପରେ ବି ସଂକ୍ରମିତଙ୍କୁ ସୂଚନା ଦିଆଯାଉନି। ଅନ୍ୟପକ୍ଷରେ ସଂକ୍ରମିତଙ୍କୁ ଦୁଇ ଦିନ ପରେ ସୂଚନା ଦିଆଯାଉଛି।

ଯଦିଓ ସଂଦିଗ୍ଧ ମାନେ ନିଜର ସ୍ବାବ ଦେବା ପରେ ସଂଗରୋଧରେ ରହିବା କଥା ତେବେ ସେମାନେ ସଂକ୍ରମିତ ଅଛନ୍ତି ନା ନାହିଁ ଜାଣି ନ ପାରି ସହରରେ ଅମାନିଆ ହୋଇ ବୁଲି ଅନ୍ୟ ମାନଙ୍କୁ ସଂକ୍ରମିତ କରୁଛନ୍ତି। ଆଣ୍ଟିଜେନ୍ ପରୀକ୍ଷା ପରେ ଜଣା ପଡ଼ିବା ପରେ ସଂକ୍ରମିତଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇବା କଥା। କିନ୍ତୁ ସେଭଳି ଜୟପୁର ସହରରେ ପରିଲକ୍ଷିତ ହେଉନି। ମେସଜ୍ ଆସିବା ଦିନକ ପରେ ଫୋନ କଲ ଆସୁଛି। ଡାକ୍ତରୀ ଦଳ କେବଳ କୀଟ୍ ଦେଇ ଦେବା ପରେ ସଂକ୍ରମିତଙ୍କୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବି ପଚାରି ବୁଝୁ ନଥିବା ଜଣେ ସଂକ୍ରମିତ ଅଭିଯୋଗ କରିଛନ୍ତି।

ଏପରିକି ସଂକ୍ରମିତ ବୋଲି ଜଣା ପଡ଼ିବା ପରେ ବି କିଛି ସଂକ୍ରମିତ ମେଡିକାଲ କିଟ୍ ପାଇ ନଥିବା କି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯୋଗ କରି ନଥିବା ବି ଅଭିଯୋଗ ହୋଇଛି। ଏହି ସ୍ଥିତିରେ ସଂକ୍ରମଣ ବଢ଼ିବା ସହ କଣ ଔଷଧ ସଂକ୍ରମିତ ଖାଇବେ ଜାଣି ନପାରି ଅଧିକା ଗୁରୁତର ହେଉଥିବା ଅଭିଯୋଗ ହୋଇଛି। ଆଣ୍ଟିଜେନ୍ ପରୀକ୍ଷା କରିବା ପରେ ଅଧ ଘଣ୍ଟା ମଧ୍ୟରେ ରିପୋର୍ଟ ଦିଆଯିବ ଏବଂ ଆରଟିପିସିଆରଟି ୪୮ରୁ ୭୨ଘଣ୍ଟା ପରେ ଜଣାଇ ଦିଆଯିବ । ଆଣ୍ଟିଜେନ୍ ରିପୋର୍ଟ ସୋମବାର ଠାରୁ ପରୀକ୍ଷା ସ୍ଥାନରେ ହିଁ ଦିଆଯିବ ବୋଲି କହିଛନ୍ତି ସିଡିଏମଓ। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ସାମାଜିକ ଦୂରତାକୁ ବଜାୟ ରଖିବା, ଅତ୍ୟଧିକ କାମ ନଥିଲେ ବାହାରକୁ ବାହାରିବା ନାହିଁ, ଗହଳିଚହଳି ସ୍ଥାନକୁ ଯିବା ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ।

 

ସମ୍ବନ୍ଧିତ ଖବର