ରାୟଗଡ଼ା: ରାୟଗଡ଼ା ସହରରେ କରୋନା ପରେ ଏବେ କାୟା ବିସ୍ତାର କରି ଚାଲିଛି ଡେଙ୍ଗୁ। ୩ ମାସର ଦବଦବା ପରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ହେଲେ ଡେଙ୍ଗୁ ସ୍ଥିତି ପୁଣି ଥରେ ଅଣାୟତ୍ତ ହେବାରେ ଲାଗିଛି। ଗତକାଲି ରାୟଗଡ଼ା ସହରରୁ ୩ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ୍ ମୁଡକୁ ଆସିଛି ସ୍ବାସ୍ଥ୍ୟ ବିଭାଗ। ୨୪ଟି ୱାର୍ଡରେ ମୁକାବିଲା ଲାଗି ୭ ଟିମ୍ ଗଠନ ହୋଇଥିବା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଏଲ୍ଏନ୍ ପୃଷ୍ଟି ସୂଚନା ଦେଇଛନ୍ତି।

Advertisment

ସହରର ମହିଳା ମହାବିଦ୍ୟାଳୟ ପଛ ପାର୍ଶ୍ବ, କସ୍ତୁରୀ ନଗର, ରେଭେନ୍ୟୁ କଲୋନିର କିଛି ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ସହ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଯାହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ଏହି ଅଞ୍ଚଳର କିଛି ଲୋକ ଜ୍ବରରେ ପୀଡ଼ିତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଥିଲା। ରକ୍ତ ନମୁନା ଡେଙ୍ଗୁ ପଜିଟିଭ୍ ଆସିବା ପରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସନ୍ଦୀପ ମହାନ୍ତିଙ୍କ ନେତୃତ୍ବରେ ସ୍ଥିତି ମୁକାବିଲା ପାଇଁ ଟିମ୍ ଗଠନ କରାଯାଇଛି। ଟିମରେ ମହିଳା ଆରୋଗ୍ୟ ସମିତି, ୭ ଏଏନ୍ଏମ୍, ୨୭ ଆଶା, ୨୭ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ବାସ୍ଥ୍ୟକର୍ମୀ ରହିଛନ୍ତି।

ଡେଙ୍ଗୁ ସ୍ବେଚ୍ଛାସେବୀଙ୍କ ତତ୍ତ୍ବାବଧାନରେ ଏଏନ୍ଏମ୍, ଆଶା, ଅଙ୍ଗନବାଡ଼ିକର୍ମୀ ସହରର ସାହି, ବସ୍ତି ବୁଲି ଜନ ସଚେତନତା ଓ ଆଣ୍ଟି ଡେଙ୍ଗୁ ଆକ୍ଟିଭିଟ୍ ଆରମ୍ଭ କରିଛନ୍ତି। ପର୍ଯ୍ୟାୟକ୍ରମେ ଏହି ଟିମ୍ ସମସ୍ତ ୱାର୍ଡ ବୁଲି ଲୋକଙ୍କୁ ନିଜ ଘର ପାରିପାର୍ଶ୍ବକୁ ସଫା ସୁତୁରା ରଖିବା, ଅଯଥାରେ ପାଣି ଜମି ନ ରହିବା ଦିଗରେ ସତର୍କ ରହିବାକୁ ପରାମର୍ଶ ଦେବ। ଯାହା ମଶା ବଂଶ ବୃଦ୍ଧିକୁ ରୋକିବାରେ ସହାୟକ ହେବ।

ସେହିପରି ଡେଙ୍ଗୁ ମୁକାବିଲା ଲାଗି ପୌର ପରିଷଦ ଦିନକ ବ୍ୟବଧାନରେ ମଶା ଧୂଆଁ ସିଞ୍ଚନ ସହ ସମ୍ବେଦନଶୀଳ ବସ୍ତି ଗୁଡ଼ିକରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଅଞ୍ଚଳର ୨୦୦ ମିଟର ପରଧିରେ ବ୍ଲିଚିଂ ପାଉଡର୍ ସହ ମଶାମରା ତେଲ ସିଞ୍ଚନ କରାଯାଇଛି। ପାଣି ଜମି ରହିଥିବା ସ୍ଥାନରୁ ଅସ୍ଥାୟୀ ଡ୍ରେନ୍ ମାଧ୍ୟମରେ ପାଣି ନିଷ୍କାସନ ସହ ଅଳିଆ, ଆବର୍ଜନା, ପୁରୁଣା ଟାୟାରକୁ ପୌର ପରିଷଦ ପକ୍ଷରୁ ଡମ୍ପିଂ ୟାର୍ଡକୁ ସ୍ଥାନାନ୍ତର କରାଯାଇଛି। ଗତ ମେ’ ମାସରେ ମୁନିଗୁଡା ବ୍ଲକର ଟିକରପଡ଼ା ଗ୍ରାମରୁ ୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏପ୍ରିଲ୍, ମେ’ ଦୁଇ ମାସରେ ଏହି ଗ୍ରାମର ୧୦ରୁ ଉର୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଥିଲା।

ସେହିପରି ରାୟଗଡ଼ା ପୌର ପରିଷଦରୁ ୭ ଏବଂ ବିଷମକଟକରୁ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ବହୁ ଲୋକଙ୍କ ନିକଟରେ ଡେଙ୍ଗୁ ଲକ୍ଷଣ ଦେଖା ଦେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮୭ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିଲା। ସେଥି ମଧ୍ୟରୁ ୪୨ ନମୁନା ପଜିଟିଭ୍ ଆସିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୪୫ ନମୁନାରୁ ୯ ପଜିଟିଭ୍ ଆସିଥିଲା। ଗତକାଲି ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ପୁଣି ୩ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି।