ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବି

ଆନ୍ଦୋଳନ ଚେତାବନୀ ଦେଲା ଭଞ୍ଜସେନା

ବାରିପଦା: କରୋନା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ମାତ୍ର ଏହି ସମୟରେ ସରକାର ବିଦ୍ୟୁତ୍ ଶୁଳ୍କକୁ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରାଇବା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ପୁଣି ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଗାଁ ଗଣ୍ଡାରେ ବିଦ୍ୟୁତ୍ ସେବା ଅପହଞ୍ଚ ହୋଇ ରହିଯାଇଛି । ବିପିଏଲ ପରିବାରଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଜୁଳି ସେବା ଯୋଗାଇ ପାରି ନାହିଁ । କିନ୍ତୁ କାଗଜ କଲମରେ ବହୁତ କିଛି ହୋଇ ସାରି ଥିବାର ଦର୍ଶାଯାଇଛି ।

ହାତୀ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ କରିଡ଼ର ମାଧ୍ୟମରେ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ବନ ବିଭାଗ ସମ୍ପୂର୍ଣ୍ଣ ଅର୍ଥ ପୈଠ କରି ସାରିଥିବା ବେଳେ ବିଦ୍ୟୁତ୍ ସେବା ପ୍ରଦାନ କ୍ଷେତ୍ରରେ ବାରମ୍ବାର ଅବହେଳା ଦେଖିବାକୁ ମିଳୁଛି ବୋଲି ଭଞ୍ଜସେନା ଅଭିଯୋଗ ଆଣିଛି। ଏନେଇ ବାରିପଦା ବିଦ୍ୟୁତ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ଭେଟି ସଂଗଠନ ପକ୍ଷରୁ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରଥିଲେ । ଏଥି ସହିତ ଜିଲ୍ଲାରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଭଞ୍ଜସେନା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଆନ୍ଦୋଳନକୁ ଓହ୍ଲାଇବ ଏବଂ ଜିଲ୍ଲା ବନ୍ଦ ଡାକରା ଦେବ ବୋଲି ଚେତାବନୀ ଦେଇଛନ୍ତି ।

ଏନେଇ ଗତକାଲି ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସମ୍ପାଦକ ଏସକେ ରାଜା ଖାନ, ଛାତ୍ରନେତା ମନୋଜ ସାହୁ ପ୍ରମୁଖ ନେସ୍କୋ ଏସ୍ଇଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର