ଜୟପୁର: ରାଜ୍ୟରେ ଶୀତ ଲହରି ନେଇ ସତର୍କତା ଜାରି କରାଯାଇଛି । ଆସନ୍ତାକାଲି ଯାଏଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଶୀତ ଲହରି ଯୋଗୁଁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସତର୍କ କରାଇଛନ୍ତି । ଏଥିରେ ନବରଙ୍ଗପୁର, କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜୟପୁରରେ ଗତ ଦୁଇ ଦିନ ହେବ ୯ଡିଗ୍ରୀ ସେଲସିୟସ୍ ଥଣ୍ଡା ଅନୁଭୁତ ହେଉଛି। ଅନ୍ୟପକ୍ଷରେ ଶୀତ ଲହରୀକୁ ଦୃଷ୍ଟିରେ ରଖି ଏସଆରସି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ କୁହାଯାଇଛି । ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି ।
ଶୀତ ଦୂର ପାଇଁ ନିଆଁ ଜାଳୁଥିଲେ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ଜୟପୁର ତହସିଲ ପକ୍ଷରୁ ଏନେୁଇ ପୁରା ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ତହସିଲଦାର ଟୁଲିଆମ୍ମା ପ୍ରଧାନ। ବ୍ଲକ ପ୍ରଶାସନ ବି ଏ ନେଇ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ବିଡିଓ ସୂରଜ ପଟ୍ଟନାୟକ। ସେଭଳି ସହର ମଧ୍ୟରେ ଟାଉନହଲ, ଆଶ୍ରୟ ଆଦିରେ ରାତ୍ରକାଳୀନ ରହଣୀ ବ୍ୟବସ୍ଥା ପୌରପାଳିକା ପକ୍ଷରୁ କରାଯାଇଥିବା ସୂଚନା ମିଳିଛି। ଗୋଟିଏ ପଟେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଶୀତ ବଢ଼ିବା ପରେ ଏବଂ ଆଗାମୀ ଦିନରେ ହେବାକୁ ଥିବା ବଡଦିନ ପାଇଁ ସହରର ସବୁ ଲୁଗା ଏବଂ ଶୀତବସ୍ତ୍ର ଦୋକାନ ଗୁଡ଼ିକରେ ଆଜି ପ୍ରବଳ ଭୀଡ଼ ଦେଖିବାକୁ ମିଳିଥିଲା। ଲୋକେ ସୁଇଟର, ଜାକେଟ, ସାଲ, କମ୍ବଳ ଆଦି କିଣି ନେଉଥିବା ଦେଖିବାକୁ ମିଳିଥିଲା। ପୌରପାଳିକା କାର୍ଯ୍ୟାଳୟରୁ ବିକ୍ରମ ଦେବ ଛାତ୍ରବାସ ମଧ୍ୟରେ ଥିବା ଶୀତବସ୍ତ୍ର ଦୋକାନରେ ବେଶି ଭୀଡ଼ ହୋଇଥିଲା। ସେଭଳି ବିଭିନ୍ନ ଲୁଗା ଦୋକାନରେ ବି ଲୁଗା ସହ ଶୀତବସ୍ତ୍ର , ବିଭିନ୍ନ ବ୍ରାଣ୍ଡର ଜାକେଟର ବିକ୍ରୀ ଜୋର ଧରିଥିଲା। ଗତ ମାସକ ମଧ୍ୟରେ ଆଜି ସବୁଠାରୁ ବେଶି ବିକ୍ରୀ ହୋଇଥିବା ଜୈନେକ ଲୁଗା ଦୋକାନୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jpr-sito-bastro-2.jpg)