ଖୋର୍ଦ୍ଧାରେ ବଢ଼ୁଛି ବନ୍ୟପ୍ରାଣୀ ଶିକାର, ୧୦ ଦିନରେ ୩ ମାମଲା

କରୋନା କଟକଣା ଶିକାରୀଙ୍କ ପାଇଁ ସୁଯୋଗ ଆଣିବା ସମ୍ଭାବନା

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡରେ ପୁଣି ଶିକାରୀଙ୍କ ରାଜସ୍ୱ ବୃଦ୍ଧି ପାଇଛି । ଗତ ୧୦ ଦିନ ମଧ୍ୟରେ ଖୋର୍ଦ୍ଧା, ବେଗୁନିଆ ଓ ଟାଙ୍ଗୀ ଆଦି ଅଂଚଳରେ ସଂରକ୍ଷିତ ପଶୁ ଶୀକାର ମାମଲାରେ ୪ ଜଣ ଗିରଫ ହୋଇଛନ୍ତି ।

ଶୀତ ଋତୁର ଆଗମନ ସହ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଯାଇଥିବା ବେଳେ ଚିଲିକା, ଟାଙ୍ଗୀ, ବାଲୁଗାଁ, ନିରାକାରପୁର ଆଦି ଅଂଚଳରେ ବେଆଇନ ଶିକାରୀଙ୍କ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ଖୋର୍ଦ୍ଧା ବନାଂଚଳ ପକ୍ଷରୁ ଚଢ଼ଉ କରାଯାଇ ବେଗୁନିଆ ବ୍ଲକ ଡିଙ୍ଗର ଗାଁରୁ ବର୍ହା ଶୀକାର କରି ମାଂସ ବିକ୍ରି କରୁଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ବନାଂଚଳ ଅଧିକାରୀ ଅସିତ ମିଶ୍ର କହିଛନ୍ତି ଯେ ଡିଙ୍ଗର ଗାଁରେ ଆଜି ସକାଳ ପ୍ରାୟ ୮ଟା ବେଳେ ୩ ଜଣ ବ୍ୟକ୍ତି ଏକ ବାର୍ହା ଶୀକାର କରିବା ସହ ମାଂସ କାଟି ବିକ୍ରି କରୁଥିବା ସୂଚନା ମିଳିଥିଲା ।

ସୂଚନା ପାଇ ବନ ବିଭାଗର ଏକ ଟିମ୍ ଚଢ଼ଉ କରିଥିଲା । ଚଢ଼ଉରେ ବାର୍ହା ମାଂସ, ଚମଡ଼ା, ଛୁରୀ ଆଦି ଜବତ ହୋଇଛି । ଏଥିରେ କେଳୁ ଚରଣ ମହାରଣା (୩୩)ଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ଜଣ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବାକୁ ଅନ୍ୟ ଏକ ଘଟଣାରେ ୪ ଦିନ ପୂର୍ବେ ଅର୍ଥାତ୍ ୬ ତାରିଖରେ ଖୋର୍ଦ୍ଧା ବନାଂଚଳର ବାଙ୍କୀ ଜଙ୍ଗଲରୁ ଜଣେ ବ୍ୟକ୍ତି ସଂରକ୍ଷିତ ଅଜଗର ସାପ ଧରି ବିକ୍ରି କରିବାକୁ ନେଉଥିବା ବେଳେ ସୂଚନା ପାଇଁ ବନ ବିଭାଗ ଚଢ଼ଉ କରି ଜଣକୁ ଗିରଫ କରିଥିଲା ।

ସେହିଭଳି ଚିଲିକାକୁ ବିଦେଶୀ ପକ୍ଷୀ ଆସିବାର ୧୫ ଦିନ ନବିତୁଣୁ ଗତ ସୋମବାର ଟାଙ୍ଗୀ ବନାଂଚଳ ବିଭାଗ ଚଢ଼ଉ କରି ୧୨ଟି ମୃତ ବିଦେଶୀ ପକ୍ଷୀ ସହ ୩ଜଣଙ୍କୁ ଗିରଫ କରିଥିଲା । ୨୦୧୯ରେ ଅକ୍ଟୋବର ଠାରୁ ଜାନୁଆରୀ ମଧ୍ୟରେ ଟାଙ୍ଗୀ ବନ ବିଭାଗ ୧୪ ଜଣ ଶିକାରୀଙ୍କୁ ଗିରଫ କରିବା ସହ ୧୦୦ ରୁଉର୍ଦ୍ଧ୍ୱ ମୃତ ବିଦେଶ ପକ୍ଷୀ ଜବତ କରିଥିଲା ।
ପ୍ରତିବର୍ଷ ଚିଲିକା ୱାଇଲ୍ଡ ଲାଇଫ୍ ସାଂଚୁରି ଓ ବନ ବିଭାଗ ପକ୍ଷରୁ ବେଆଇନ ଶିକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଏକ ବିସ୍ତୃତ ବ୍ୟବସ୍ଥା କରାଯାଇଥାଏ । ଏଥି ପାଇଁ ୧୯ଟି ଅସ୍ଥାୟୀ କ୍ୟାମ୍ପରେ ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିଯୁକ୍ତ ଦେବା ସହ ଅତିରିକ୍ତ ୧୦-୧୨ଟି ବୋଟରେ ଚିଲିକା ଅଂଚଳରେ ନିୟମିତ ପାଟ୍ରୋଲିଂ କରାଯାଇଥାଏ ।

ସ୍ଥାନୀୟ ଲୋକଙ୍କୁ ମଧ୍ୟ ବେଆଇନ ଶିକାରୀ ଓ ଶିକାର ସମ୍ବନ୍ଧରେ ସଚେତନ କରାଯାଇଥାଏ । ଏହା ସତ୍ୱେ ପ୍ରତିବର୍ଷ ଶତାଧିକ ବିଦେଶୀ ପକ୍ଷୀଙ୍କୁ ଶିକାର ହୋଇଥାଏ । ଚଳିତ ବର୍ଷ ଯଦି ବନ ବିଭାଗ ପକ୍ଷରୁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ପକ୍ଷୀ ଶିକାର ଓ ମାଂସ ବିକ୍ରି କରିବା ସହଜ ଓ ଲାଭ ଦାୟକ ବ୍ୟବସାୟ ହୋଇଥିବାରୁ ଅଧିକ ବେଆଇନ ଶିକାର ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ସମ୍ବନ୍ଧିତ ଖବର