ରାୟଗଡ଼ା: ବିଜେଡି ହାତରୁ ଖସିଲା ଗୁଣପୁର ପୌର ପରିଷଦ। ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବାଜିମାତ୍ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ। ଗୁଣପୁର ପୌର ପରିଷଦ ସ୍ବାଧୀନ ପ୍ରାର୍ଥୀଙ୍କ କବଜାକୁ ଯାଇଥିବା ବେଳେ ରାୟଗଡ଼ା ପୌର ପରିଷଦ ଓ ଗୁଡାରି ଏନଏସିକୁ ନିଜ କବଜାରେ ରଖିବାରେ ସକ୍ଷମ ହୋଇଛି ବିଜେଡି। ଶାସକ ବିଜେଡିକୁ ଚକମା ଦେଇ ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମମତା ଗୌଡ଼ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଆଜି ଅନୁଷ୍ଠିତ ଉପାଧ୍ୟକ୍ଷ ନିର୍ବାଚନରେ ମମତାଙ୍କ ସ୍ବାମୀ ତଥା ପୂର୍ବତନ ପୌରାଧ୍ୟକ୍ଷ ସାନ ଗୌଡ଼ ଉପାଧ୍ୟକ୍ଷ ଭାବେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଗୁଣପୁର ପୌର ପରିଷଦର ୧୯ ୱାର୍ଡରୁ ୧୧ଟି ୱାର୍ଡରେ ସାନ ଗୌଡ଼ଙ୍କ ସମର୍ଥିତ ପ୍ରାର୍ଥୀ ବିଜୟୀ ହାସଲ କରିଛନ୍ତି। ଅନ୍ୟ ୮ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ। ଫଳରେ ନିର୍ବାଚନ ଅଧିକାରୀ ସାନଙ୍କୁ ବିଜୟୀ ଘୋଷଣା କରିଥିଲେ। ଉପାଧ୍ୟକ୍ଷ ନିର୍ବାଚନରେ ଅପ୍ରତିଦ୍ବନ୍ଦୀ ହୋଇଥିବା ସାନ ଅଧ୍ୟକ୍ଷ ପଦବି ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ଖୁବ୍ ସଂଘର୍ଷ କରିଥିଲେ।

Advertisment

ବିଜେଡିର ସମସ୍ତ ରଣନୀତିକୁ ଫିକା କରି ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥୀ ମମତାଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୨୦୧୩ ପୌର ନିର୍ବାଚନରେ ଗୁଣପୁର ପୌର ପରିଷଦ ବିଜେଡି ହାତରେ ଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ଗୁଣପୁର ବିଧାୟକ ଭାବେ ବିଜେଡିର ରଘୁନାଥ ଗମାଙ୍ଗ ବିଜୟୀ ହୋଇଥିଲେ। ଏହା ସତ୍ତ୍ବେ ଗୁଣପୁର ପୌର ପରିଷଦ ବିଜେଡି ହାତରୁ ଖସିବା ଏବଂ ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀ ୪୩୯୮ ଭୋଟ ବ୍ୟବଧାନରେ ବିଜୟୀ ହେବା ବିଜେଡିର ଦୁର୍ବଳ ସଂଗଠନକୁ ପଦାରେ ପକାଇଛି। ଗୁଣପୁର ପୌର ପରିଷଦରେ ପରାଜୟ ମୁହଁ ଦେଖିଥିବା ବିଜେଡି କିନ୍ତୁ ରାୟଗଡ଼ା ପୌର ପରିଷଦ ଓ ଗୁଡାରି ଏନଏସିକୁ ନିଜ ଅକ୍ତିଆରରେ ରଖିଛି।

ରାୟଗଡ଼ା ପୌର ପରିଷଦର ୨୪ରୁ ୨୧ଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷ ଭାବେ ପି.ମହେଶ ପଟ୍ଟନାୟକ ୬୨୪୩ ଭୋଟରେ ବିଜୟୀ ହୋଇଛନ୍ତି। ଉପାଧ୍ୟକ୍ଷ ପଦବି ପାଇଁ ଆଜି ଅନୁଷ୍ଠିତ ନିର୍ବାଚନରେ ଦଳ ପକ୍ଷରୁ ୩ ନଂ ୱାର୍ଡର କାଉନସିଲର ଶୁଭ୍ରା ପଣ୍ଡା ନାମାଙ୍କନ ଦାଖଲ କରିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ୧୬ ନଂ ୱାର୍ଡ କାଉନସିଲର ତଥା ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରମିତା ପାଢ଼ୀ ନିର୍ବାଚନ କକ୍ଷ ତ୍ୟାଗ କରି ଚାଲି ଯାଇଥିଲେ। ଦଳୀୟ ନେତା ଶ୍ରମିତାକୁ ବୁଝାଶୁଝା କରିଥିଲେ ମଧ୍ୟ ନିଜ ଜିଦରେ ଅଟଳ ରହିଥିଲେ ଶ୍ରମିତା। ୨୦୧୩ ନିର୍ବାଚନରେ ମଧ୍ୟ ଶ୍ରମିତା ଉପାଧ୍ୟକ୍ଷ ପଦବି ଲବିରେ ଥିବାବେଳେ ଦଳ ତାଙ୍କୁ ଅଣଦେଖା କରିଥିଲା।

ସେହିପରି ବିଜେଡିର ଅନ୍ୟତମ ଆଶାୟୀ ପାଲକୋଣ୍ଡା ମମିତା ମଧ୍ୟ ନାମାଙ୍କନ ଦାଖଲ ପାଇଁ ଫର୍ମ ଆବେଦନ କରିଥିଲେ। ଦଳୀୟ ନେତାଙ୍କ ବୁଝାଶୁଝା ପରେ ନାମାଙ୍କନ ଦାଖଲରୁ ବିରତ ରହିଥିଲେ ମମିତା। ଅପରାହ୍ନ ୧ଟା ସୁଦ୍ଧା ଅନ୍ୟ କେହି ନାମାଙ୍କନ ଦାଖଲ ନ କରିବାରୁ ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଶୁଭ୍ରା ପଣ୍ଡାଙ୍କୁ ବିଜୟୀ ଘୋଷଣା କରିଥିଲେ। ଗୁଡାରି ଏନଏସିରେ ମଧ୍ୟ ଉପାଧ୍ୟକ୍ଷ ପଦବି ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଲବି ଚାଲିଥିଲା। ସବୁ କଳ୍ପାନଜଳ୍ପନାର ଅନ୍ତ ଘଟାଇ ୨ ନଂ ୱାର୍ଡର କାଉନସିଲର ବି. ଯୋଗେଶ୍ବର ରାଓ ଉପାଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଫଳରେ ନିର୍ବାଚନ ଅଧିକାରୀ ଯୋଗେଶ୍ବରଙ୍କୁ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ଘୋଷଣା କରିଥିଲେ। ଗୁଡାରି ଏନଏସିର ସମସ୍ତ ୧୧ଟି ୱାର୍ଡରେ ବିଜେଡିର କାଉନସିଲର ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷା ଭାବେ ଦଳୀୟ ପ୍ରାର୍ଥୀ ଶର୍ମିତା ଶବର ବିଜୟୀ ହୋଇଛନ୍ତି।