ହାରି ବି ହୃଦୟ ଜିତିଲେ ଅମିତ ରୋହିଦାସ, ମା’ଙ୍କ ଆଶା ବ୍ରୋଞ୍ଜ ଆଣିବ ପୁଅ

ସୁନ୍ଦରଗଡ଼: ମଙ୍ଗଳବାର ସକାଳୁ ସୁନ୍ଦରଗଡ଼ର ସଉନାମୁରା ଗାଁରେ ଲାଗିଥିଲା ଉତ୍ସବର ମାହୋଲ। ଗାଁ ଲୋକେ ଟିଭି ଆଗରେ ବସିଯାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ପହଞ୍ଚିଥିବା ଗାଁ ପୁଅ ଅମିତ ରୋହିଦାସଙ୍କ ଚମତ୍କାରିତା ଦେଖିବାକୁ ଲାଗିଥିଲା ଭିଡ଼। ପ୍ରଶାସନ ପକ୍ଷରୁ ପଞ୍ଚାୟତଗୃହରେ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଅମିତଙ୍କ ଘରେ ମଧ୍ୟ ମା’ ଗୋଲାପି ରୋହିଦାସ, ଭାଉଜ ଦୁଷ୍ମନ୍ତୀ, ଉଉଣୀ ଓ ଅନ୍ୟ ସମ୍ପର୍କୀୟ ଉତ୍ସୁକତାର ସହ ଅନାଇଥିଲେ ଟିଭି ପରଦାକୁ। ଚାରି ଦଶନ୍ଧି ପରେ ଇତିହାସ ରଚି ଭାରତୀୟ ପୁରୁଷ ହକି ଦଳ ପହଞ୍ଚିଥିଲା ସେମିରେ। କିନ୍ତୁ ସମସ୍ତଙ୍କୁ ନିରାଶ କରି ଦଳ ଅଲିମ୍ପିକ୍ସ ବିଜେତା ବେଲଜିୟମ ଠାରୁ ୫-୨ରେ ହାରିଯାଇଛି।

ଖେଳ ଆରମ୍ଭରେ ବେଲଜିୟମ ପ୍ରଥମ ଗୋଲ୍ ଦେଇ ଆଗୁଆ ରହିଥିଲେ ମଧ୍ୟ ପରେ ଭାରତ ଉତ୍ତମ ଖେଳ ପ୍ରଦର୍ଶନ କରି ୨ ଗୋଲ୍ ଦେଇ ୨-୧କୁ ଚାଲିଆସିଥିଲା। ଏହା ପରେ ପରେ ଚାପରେ ଥିବା ବେଲଜିୟମର ଅନେକ ଗୋଲ୍କୁ ଅଟକାଇବାରେ ସକ୍ଷମ ହୋଇ ପ୍ରଶଂସା ସାଉଁଟିଥିଲେ ଭାରତୀୟ ଦଳର ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ। ଭାଷ୍ୟକାରମାନେ ଅମିତଙ୍କ ନାମ ନେଲା ବେଳେ ସଉନାମୁରାରେ ତାଳିର ରୋଳ ଉଠୁଥିଲା। ମା’ ଗୋଲାପି ଖେଳ ଆରମ୍ଭରୁ ଶେଷ ଯାଏ ହାତ ଯୋଡ଼ି ରହିଥିବା ଦେଖାଯାଇଥିଲା। ହେଲେ ସଂଘର୍ଷ ପରେ ମଧ୍ୟ ମ୍ୟାଚ୍ ହାରିଯାଇଥିଲା ଭାରତ। କିନ୍ତୁ ସୁନ୍ଦରଗଡ଼ର ପୁଅ ଅମିତ ରୋହିଦାସ ହୃଦୟ ଜିତିଥିଲେ।

ବଲ୍ ଅନେକବାର ଗୋଡ଼ରେ ବାଜିଥିଲେ ମଧ୍ୟ ଅଟକାଇବାରେ ସକ୍ଷମ ହୋଇଥିଲେ ପୁଅ। ମା’ ଗୋଲାପି ପ୍ରତିକ୍ରିୟାରେ କହିଥିଲେ, ‘ଭାରତୀୟ ଦଳ ହାରିବା ମନରେ କଷ୍ଟ ତ ଦେଇଛି ନିଶ୍ଚୟ। କିନ୍ତୁ ଆଶା ଅଛି ଭାରତ ନିଶ୍ଚୟ ତୃତୀୟ ସ୍ଥାନରେ ରହିବ ଓ ମୋ ପୁଅ ବ୍ରୋଞ୍ଜ ପଦକ ଧରି ଘରକୁ ଆସିବ’। ସୁନ୍ଦରଗଡ଼ର ହକି ଖେଳାଳି, ହକି ପ୍ରେମୀଙ୍କ ସମେତ ସମସ୍ତେ ଏହି ଆଶା ରଖିଛନ୍ତି। ଏବେ ମହିଳା ହକି ଉପରେ ସମସ୍ତଙ୍କ ନଜର ଅଟକି ରହିଛି।

ସମ୍ବନ୍ଧିତ ଖବର