ବଲାଙ୍ଗୀର: ରବିବାର ବଲାଙ୍ଗୀର ଗସ୍ତରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପେଟ୍ରୋଲିୟମ ନେଚୁରାଲ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆସିବା କାର୍ଯ୍ୟକ୍ରମ ରହିଛି।
ଦିନ ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ଖେଳପଡ଼ିଆଠାରେ ନିର୍ମାଣ ହୋଇଥିବା ଇନ୍ଡୋର ଷ୍ଟାଡିୟମକୁ ଉଦ୍ଘାଟନ କରିବେ। ଶ୍ରୀ ପ୍ରଧାନ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ଥିବା ସମୟରେ ଗେଲ୍ ଇଣ୍ଡିଆ ପକ୍ଷରୁ ୬କୋଟି ଟଙ୍କାର ଅନୁଦାନ ଦେଇ ବଲାଙ୍ଗୀର ପିଆର୍ ହାଇସ୍କୁଲ ପଡ଼ିଆରେ ଏହି ଅତ୍ୟାଧୁନିକ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଇଥିଲେ। ଅନେକ ଦିନରୁ ଏହାର ନିର୍ମାଣ କାମ ସରି ବ୍ୟାଡିମିଣ୍ଟନ ଖେଳ ଆରମ୍ଭ ହେଲାଣି। କିନ୍ତୁ ଉଦ୍ଘାଟନ ହୋଇପାରୁନଥିଲା। ଏବେ ଦୁଇ କେନ୍ଦ୍ରମନ୍ତ୍ରୀ ଏହାର ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ଓ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ, ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପୂର୍ବ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଗେଲ୍ ଇଣ୍ଡିଆ ନିର୍ଦେଶକ ଦୀପ ଗୁପ୍ତା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।