ରାୟଗଡ଼ା: କରୋନା ପ୍ରଭାବରେ ବିଶ୍ୱର ଅର୍ଥନୈତିକ ବ୍ୟବସ୍ଥା ଦୋହଲି ଯାଇଛି। ସବୁ କ୍ଷେତ୍ରରେ ଆସିଛି ପ୍ରତିବନ୍ଧକ। କୃଷି କ୍ଷେତ୍ରଠୁ ଆରମ୍ଭ କରି ଶିଳ୍ପ ଜଗତ ସବୁଠି ବାରି ହୋଇପଡ଼ୁଛି ମାନ୍ଦାବସ୍ଥାର ଚିତ୍ର। ସଂକ୍ରମଣ କମିବା ପରେ ବଜାର ଖୋଲିଥିଲେ ମଧ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ସ୍ଥିତି ସ୍ବାଭାବିକ ହୋଇପାରୁନି। ଫଳରେ ଏହି ସେକ୍ଟରରେ କାମ କରୁଥିବା ଶହ ଶହ ଇଞ୍ଜିନିୟର୍, ଅପରେଟର୍ ଓ କଂପାନି କର୍ମଚାରୀଙ୍କ ଜୀବନ ବିପନ୍ନ ହୋଇ ପଡିଛି। ଓଡ଼ିଶାର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ ରାୟଗଡ଼ା। ଜିଲ୍ଲାରେ ଜେକେ କାଗଜକଳ, ଇମ୍ଫା, ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା ଭଳି ବୃହତ ଶିଳ୍ପ ସଂସ୍ଥା ରହିଛି। ଜିଲ୍ଲା ସୀମାନ୍ତକୁ ଲାଗି ବେଦାନ୍ତ ଏବଂ ଓଏମସିର କୋଡିଙ୍ଗାମାଳି ବକ୍ସାଇଟ୍ ଖଣି ରହିଛି। ସେହିପରି ଜିଲ୍ଲାରେ ୮୦୦ରୁ ଉର୍ଧ୍ବ ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା ସରକାରୀ ଭାବେ ଜିଲ୍ଲା ଆଞ୍ଚଳିକ ଶିଳ୍ପ କେନ୍ଦ୍ରରେ ପଞ୍ଜିକରଣ କରିଛନ୍ତି। ପୂର୍ବରୁ ବେଶ୍ ଭଲ ଉତ୍ପାଦନ ରେକର୍ଡ ଥିବା ଏହି କ୍ଷୁଦ୍ର ଶିଳ୍ପ ସଂସ୍ଥା ଗୁଡ଼ିକ କରୋନାର କରାଳ ପ୍ରଭାବରେ ଏବେ କିନ୍ତୁ ବେହାଲ୍ ହୋଇ ପଡିଛନ୍ତି। ୨୮୭ କ୍ଷୁଦ୍ର ଶିଳ୍ପ ସଂସ୍ଥା ମଧ୍ୟରୁ ୧୯୯ ଶିଳ୍ପ ସଂସ୍ଥା ବର୍ତ୍ତମାନ କାର୍ୟ୍ୟକ୍ଷମ ହେବାରେ ସକ୍ଷମ ହୋଇଛନ୍ତି।
୧୨୦ ଟି ଫେବ୍ରିକେସନ ଶିଳ୍ପ ମଧ୍ୟରୁ ୫୦ ଭାଗ କାର୍ୟ୍ୟକ୍ଷମରେ ୯୦ଟି ସଂସ୍ଥା କାର୍ୟ୍ୟ ଆରମ୍ଭ କରିଥିବା ବେଳେ ୩୦ଟି ଶିଳ୍ପ ସଂସ୍ଥା କାର୍ୟ୍ୟ ଆରମ୍ଭ କରିବାରେ ସକ୍ଷମ ହୋଇ ପାରିନାହାନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ୧୪ଟି କାର୍ଡବୋଡ଼ ମିଲ ଗତ ମାର୍ଚ୍ଚ ମାସରୁ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଛି। ଫଳରେ ଏଠାରେ କାମକରୁଥିବା ୩୦୦ରୁ ଉର୍ଧ୍ବ ପରିବାରକୁ ଛଟେଇର ସମ୍ମୁଖୀନ ହେବାକୁ ପଡ଼ିଛି। ଜେକେ କାଗଜ କଳର ବର୍ଜ୍ୟବସ୍ତୁ କାର୍ଡବୋଡ ମିଲ ପାଇଁ ମୁଖ୍ୟ କଞ୍ଚାମାଲ ହୋଇଥିବାରୁ କରୋନା ସମୟରେ ଦରବୃଦ୍ଧି ସାଙ୍ଗକୁ ସରକାରୀ କଟକଣା ଯୋଗୁଁ କୌଣସି ଉତ୍ସବ, ବିବାହ ଭୋଜି, ରାଜନୈତିକ କାର୍ୟ୍ୟକ୍ରମ ସହ ସରକାରୀ ଉସବ ଅନୁଷ୍ଠାନ ବନ୍ଦ ଯୋଗୁ ଆଉ ବୋଫେ ପ୍ଲେଟ କିମ୍ବା ସାଜସଜା ପାଇଁ କାର୍ଡବୋଡ଼ର ଚାହିଦା ନଥିବାରୁ କାର୍ଡବୋଡ ଇଣ୍ଡଷ୍ଟ୍ରି ବନ୍ଦ ହୋଇ ପଡ଼ିଛି। କେବଳ ସେତିକି ନୁହେଁ ରଥଯାତ୍ରା, ଦଶହରା, ଗଜଲକ୍ଷ୍ମୀ ଏବଂ କାଳୀପୂଜା ଭଳି ସାମୂହିକ ପର୍ବପର୍ବାଣି ବନ୍ଦ ଯୋଗୁଁ ଜିଲ୍ଲାରେ ଥିବା ୧୪ଟି ଫୁଡ଼ ପ୍ରୋସେସିଂ ୟୁନିଟ ମଧ୍ୟରୁ ୪ଟି ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଥିବା ବେଳେ ବାକି ୧୦ଟି ୟୁନିଟ ୩୫ ପ୍ରତିଶତ କାର୍ୟ୍ୟକ୍ଷମ ରହିଛି।
ଜିଲ୍ଲାରେ ବାର୍ଷିକ ୮୦୦ କୋଟି ପ୍ରତ୍ୟକ୍ଷ ଓ ପରୋକ୍ଷ ବ୍ୟବସାୟ କରୁଥିବା କଟନ ଇଣ୍ଡଷ୍ଟ୍ରିରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ସର୍ବବୃହତ ୧୧ଟି କଟନ ମିଲ ମଧ୍ୟରୁ ବର୍ତମାନ ସୁଧା କାମ ଆରମ୍ଭ କରିପାରିନି ୩ ଟି ମିଲ। ଯେଉଁ ୯ଟି ମିଲ କାମ ଆରମ୍ଭ କରିଛି ସେଗୁଡ଼ିକ ମାତ୍ର ୪୦ ଭାଗ କ୍ଷମତାରେ କାମ କରୁଛନ୍ତି। କରୋନା ଯୋଗୁ କୃଷିଭିତିକ କଟନ ଶିଳ୍ପରେ ଶ୍ରମିକ ଅଭାବ ଉତ୍ପାଦନରେ ଘୋର ଅନ୍ତରାୟ ସୃଷ୍ଟି କରିଛି। ଏସବୁ ମଧ୍ୟରେ ଦାଉ ସାଧିଛି ବ୍ୟାଙ୍କ ଇଏମଆଇ ଓ ବିଦ୍ୟୁତ ବିଲ୍। ଯାହାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି କ୍ଷୁଦ୍ର ଶିଳ୍ପ ସଂସ୍ଥାର ମାଲିକ। ଏଭଳି ପରିସ୍ଥିତି ଯଦି ଆଗକୁ ଲାଗି ରହେ ତେବେ ଅନେକ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା ଦେବାଳିଆ ସ୍ଥିତିକୁ ଆସିଯିବ ଏଥିରେ ସନ୍ଦେହ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/RGD_Small-Medium-Industry.jpg)