ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତୀ ଓ ନବଜାତକଙ୍କୁ ବିପଦ ଭିତରକୁ ଠେଲି ଦିଆଯାଇଛି। ବାତ୍ୟା ଅମ୍ଫାନ ସମୟରେ ସାରା ରାତି ଭୟ ଓ ଯନ୍ତ୍ରଣା ଭିତରେ ଏମାନେ ବାରଣ୍ଡାରେ କାଟିଛନ୍ତି, ଯାହକା ନେଇ ତୀବ୍ର ଅସନ୍ତୋଷ ସହ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ୩୬ ଜଣ ପ୍ରସୂତୀଙ୍କୁ ହେପାଜତକୁ ଆଣିଥିଲା। ପୂର୍ବରୁ ମଧ୍ୟ ମେଡିକାଲରେ ଶଯ୍ୟା ଅନୂସାରେ ଅଧିକ ପ୍ରସୂତୀ ରହିଥିଲେ। କିଛି ପ୍ରସୂତୀଙ୍କୁ ନିରାମୟ କେନ୍ଦ୍ରକୁ ଲାଗିଥିବା ଘରେ ରଖାଯାଇଥିଲା । ସେ ଘରର ଉପର ଟିଣ ଚଦର ହୋଇଥିବାରୁ ରାତିରେ ଉଡ଼ି ଯାଇ ପାଣି ଭିତରେ ପଶିଥିଲା। ଫଳରେ ପ୍ରସୂତୀ ଓ ନବଜାତ ଶିଶୁ ସମସ୍ୟା ଭୋଗିଥିଲେ। କିଛି ପ୍ରସୂତୀ ବାଧ୍ୟ ହୋଇ ବାରଣ୍ଡାକୁ ଚାଲି ଆସିଥିଲେ। ହେଲେ ବାରଣ୍ଡାରେ ମଧ୍ୟ ପାଣି ଛିଞ୍ଚରା ମାରିଥିଲା। ଜୀବନ ବିକଳରେ ଭାଗ୍ୟକୁ ଆଦରି ରାତି କାଟିଥିଲେ। ସକାଳେ ପାଣି କଢ଼ା ଯାଇଥିଲା।
ତେବେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ଜଗତସିହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅବସ୍ଥା ସୁଧୁରୁନାହିଁ। ପ୍ରତିଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ମଙ୍ଗଳବାର ରାତିର ଘଟଣା ଯେ କେହି ଲୋକଙ୍କୁ ବ୍ୟଥିତ କରିବ, କାରଣ ଦୁନିଆ ଦେଖୁଥିବା ନବଜାତକମାନଙ୍କ ଜୀବନକୁ ଯେମିତି ବିପଦ ମୁହଁକୁ ଠେଲି ଦିଆଯାଇଥିଲା। ଅନେକ ସମୟରେ ଗର୍ଭବତୀଙ୍କୁ ଜାଣି ଶୁଣି ହଇରାଣ କରାଯାଇ ଘରୋଇ ଡାକ୍ତରଖାନାକୁ ପଠାଯାଉଥିବା ନେଇ ଅଭିଯୋଗ ଉଠୁଛି।
ସରକାରୀ ଡାକ୍ତରଖାନା ହୋଇଥିବାରୁ ଏବଂ ଆମେ ଗରିବ ହୋଇଥିବାରୁ ଏମିତି ଦୁଃଖ ସହୁଛୁ ବୋଲି କିଛି ପ୍ରସୂତୀ କୋହଭରା ସ୍ୱରରେ ପ୍ରତିକ୍ରିୟା ଦେଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ବାତ୍ୟାକୁ ଲକ୍ଷ ରଖି ସ୍ୱାସ୍ଥ୍ୟ ବିଭାଗ କାହିଁକି ପୂର୍ବରୁ ସତର୍କତା ଅବଲମ୍ବନ କଲେ ନାହିଁ। ଯଦି କିଛି ବଡ଼ ଧରଣର ସମସ୍ୟା ଉପୁଜିଥାନ୍ତା ଏଥି ପ୍ରତି କିଏ ଦାୟୀ ରହିଥାନ୍ତେ। ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ ଏମ୍ସିଏଚ୍ ବିଲ୍ଡି ପାଇଁ ସମସ୍ତ କାମ ସରିଛି। କରୋନା ପାଇଁ କାମ ଟେଣ୍ଡର କରାଯାଇ ପାରିନାହିଁ। ଏବେ ଅନୁମତି ମିଳିଲାଣି। ଦେଢ଼ ମାସ ଭିତରେ କାମ ଆରମ୍ଭ କରାଯିବ। ଏମ୍ସିଏଚ୍ ବିଲ୍ଡି ହୋଇ ଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/JSpur2.jpg)
