ମରିଗଲା ମାନବିକତା, ପାଣି ନ ପାଇ ଆଖି ବୁଜିଲେ ଯୁବକ 

ଜୟପୁର: ସମାଜର ଅନ୍ଧ ଗଳିରେ ମରିଗଲା ମାନବିକତା। ପାଣି ମୁନ୍ଦାଏ ନ ପାଇ ଟଳି ପଡିଲେ ଜଣେ ଯୁବକ। ଛଟପଟ ହୋଇ ଯୁବକଟିର ଜୀବନ ଚାଲି ଯାଉଥିବାବେଳେ ଦେଖି ନ ଦେଖିଲା ପରି ହେଲେ ଉପସ୍ଥିତ ଥିବା ଜନତା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟରାସ୍ତାରେ। ସଭ୍ୟ ସମାଜରେ ରାସ୍ତା ଉପରେ ପାଣି ଟୋପାଏ ନ ପାଇ ଜୀବନ ଚାଲିଯିବା ସହରରେ ଆଲୋଡନ ସୃଷ୍ଟି ହୋଇଛି। ଯୁବକଟି ପାଣି ପାଇଁ ଛଟପଟ ହେଉଥିବାବେଳେ ଲୋକେ ଦେଖି ମୁହଁ ମୋଡି ଚାଲିଯିବା, ମାନବର ମାନବିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ଅପରିଚିତ ଯୁବକଙ୍କ ପ୍ରତି ସହରବାସୀଙ୍କ ଏପରି ବ୍ୟବହାର ମାନବିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୧ଟା ୧୫ ବେଳେ ଜୟପୁର ୱେଲକମ ଜଙ୍କସନ ନିକଟରେ ଜଣେ ଯୁବକ ପଡିଥିବା ନେଇ ଖବର ପାଇଥିଲା ଟାଉନ ପୁଲିସ। ଇନିସପେକ୍ଟର ରଘୁନାଥ ମାଝି, ଏସଆଇ ରତ୍ନାକର ସେଠୀଙ୍କ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନେଇଥିଲାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଯଦି ତାଙ୍କୁ ସଙ୍ଗେ ସଙ୍ଗେ ନିଆଯାଇଥାନ୍ତା ତେବେ ଏହି ଅପରିଚିତ ବ୍ୟକ୍ତିଙ୍କର ଜୀବନ ବଞ୍ଚିପାରିଥାନ୍ତା ।

ତେବେ ଉକ୍ତ ଅପରିଚିତ ବ୍ୟକ୍ତି ଜଣକ ଘଟଣାର ଅଧଘଣ୍ଟା ପୂର୍ବରୁ ପାଣି ପାଇଁ ଡହଳ ବିକଳ ହୋଇଥିଲେ। ବହୁଲୋକଙ୍କୁ ସେ ପାଣି ମାଗିବା ପରେ ଯାଇ ଏକ ସ୍କୁଟି ଉପରେ ବସିଥିଲେ। ପରେ ସେଠାରେ ହିଁ ଟଳି ପଡିଥିଲେ। ପରିଚୟ ମିଳି ନ ଥିବାରୁ ଶବକୁ କୋରାପୁଟସ୍ଥିତ ଶବାଗାରରେ ରଖାଯାଇଛି। ଏନେଇ ବିଭିନ୍ନ ଥାନାକୁ ଖବର ଦିଆଯାଇଥିବାବେଳେ ପରିବାରବର୍ଗଙ୍କୁ ଖୋଜା ଚାଲିଛି ବୋଲି ପୁଲିସ। ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବାଲେଶ୍ବର ଗିଦ୍ଧି କହିଛନ୍ତି।

ସମ୍ବନ୍ଧିତ ଖବର