ଭିଡିଓ: ହାଟରେ ପଶି ପରିବା ଖାଇ ଚାଲିଗଲା ଆହତ ଦନ୍ତା, ଉପସ୍ଥିତ ଲୋକେ ଭୟରେ ଦୌଡ଼ିଲେ

ବେତନଟୀ/ବୈଶିଙ୍ଗା: ଆଜି ଆହତ ହୋଇ ବୁଲୁଥିବା ଦନ୍ତା ହାତୀଟି ମୟୂରଭଂଜ ଜିଲ୍ଲା ବେତନଟୀ ରେଂଜ ଅନ୍ତର୍ଗତ ବଡ଼ଗୁମା ହାଟରେ ପଶି ଆତଙ୍କ ସୃଷ୍ଟି କରିଥିଲା। ହାତୀଟି ହାଟରେ ପଶି ପରିବା ଖାଇବା ସହିତ ଖୁବ ଆନନ୍ଦରେ ବୁଲାଚଲା କରିଥିଲା। ହଠାତ୍‌ ବଜାରକୁ ପଶି ଆସିବାରୁ ହାଟରେ ଭୟରେ ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଡାକ୍ତର ପିୟୁଷ ସୋରେନ, ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ଓ ଅନ୍ୟ ବନ କର୍ମଚାରୀମାନେ ପହଞ୍ଚି ହାତୀର ଶୁଣ୍ଢରେ ହୋଇଥିବା କ୍ଷତକୁ କ୍ୟାମେରାରେ କଏଦ କରିଥିଲେ। ହାତୀଟିର ଶୁଣ୍ଢ ଚାରି ପାଖରେ ଗୋଟିଏ ଗୋଲାକାର କ୍ଷତ ଥିବାର ଦେଖା ଯାଇଥିଲା। ହେଲେ ଏହି କ୍ଷତଟି ଶୁଖି ଯାଇ ଥିବାର ଦେଖାଯାଇଛି। ତେବେ ହାତୀଟି ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁ ଥିବାର ଲକ୍ଷ୍ୟ କରାଯାଇ ଥିଲା। ସାମାନ୍ୟ ଭାବେ ଖାଦ୍ୟ ଗ୍ରହଣ କରୁ ଥିବାରୁ ଆଗକୁ ବିପଦ ନଥିବାର ସୂଚନା ମିଳିଛି।

ଅନ୍ୟପକ୍ଷରେ ଗତକାଲି ପଶ୍ଚିମବଙ୍ଗରୁ ଫେରି ଆସିଥିବା ୩୨ଟି ଝାଡଖଣ୍ଡିି ହାତୀ ବଡକ୍ଷୀରପଦା ଓ ମୋହନପୁର ଜଙ୍ଗଲକୁ ଚାଲି ଯାଇ ଥିବାର ଜଣାପଡିଛି। ଏଥି ମଧ୍ୟରୁ ଗୋଟିଏ ବିଶାଳ ଦନ୍ତା ବେତନଟୀ ଓକିଲ ସଂଘର ସଦସ୍ୟ ଆଡଭୋକେଟ ହିମାଂଶୁ ପତିଙ୍କ ବାଡିରେ ପଶି ବ୍ୟାପକ କ୍ଷୟକ୍ଷତି କରି ଥିବାର ଜଣାପଡିଛି। ବଡାମପୁର ବନପାଳ କ୍ଷେତ୍ରରେ ଅନ୍ୟ ଏକ ଦନ୍ତା ହାତୀ ରହି ଯାଇ ଥିବାର ଜଣାପଡିଛି। କୃଷ୍ଣଚନ୍ଦ୍ରପୁର ବନପାଳ କ୍ଷେତ୍ର ଖଡିଶୋଳରେ ଦୁଇଟି ହାତୀ ରହି ଥିବାର ସୂଚନା ମିଳିଛି। ବନପାଳ ସୁଶାନ୍ତ କୁମାର ବାଗ, ବନପାଳ ଶିରୀଶ ଦଳେଇ, ବନପାଳ ହିମାଂଶୁ ମହାନ୍ତ, ବନପାଳ ପିକେ ସିଂସାମନ୍ତ ଓ ଅନ୍ୟ ରେଞ୍ଜରୁ ଆସିଥିବା ବନ କର୍ମଚାରୀମାନେ ହାତୀଗୁଡିକୁ ଜଗି ରହିଛନ୍ତି।

ସମ୍ବନ୍ଧିତ ଖବର