ଜୟପୁର: ଧାର କରଜ କରି ଚାଷ କରିଥିଲେ। ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରିବାକୁ ହାଜର ହଜାର ଟଙ୍କା ନେଇ କୀଟନାଶକ ମଧ୍ୟ କିଣିଥିଲେ। କିନ୍ତୁ ପୋକ କମିବା ବଦଳରେ ବଢିଲେ। ପୂରା ଫସଲକୁ ଚଳୁ କରିଦେଲେ। ଜୟପୁର ବ୍ଲକ କାଳିଆଗାଁ ପଞ୍ଚାୟତ ମାଳି ଦଳେଇପୁଟ ଗାଁରେ ପରିବା ଜମିରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବିନ୍ସ, କୋବି ଓ ବାଇଗଣରେ ଲାଗିଛି କାଣ୍ଡବିନ୍ଧା, ଝାଉଁଳା ଓ ମୂଳପଚା ରୋଗ। ଏମିତି ପରିସ୍ଥିତିରେ ସେମାନେ ଋଣ ଟଙ୍କା କେମିତି ସୁଝିବେ ସେହି ଚିନ୍ତାରେ ପଡିଛନ୍ତି ୨୫ ଚାଷୀ ପରିବାର।
୩ମାସ ତଳେ ମାଳିଦଳେଇପୁଟ ଗାଁର ୨୫ରୁ ଅଧିକ ଚାଷୀ ୧୦ ଏକରରୁ ଅଧିକ ଜମିରେ ବାଇଗଣ, ବିନ୍ସ, ବନ୍ଧାକୋବି, ଫୁଲକୋବି ଓ ଫଳକୋବି ଚାଷ କରିଥିଲେ। ଚାଷରେ ପୋକ ଲାଗିବାରୁ ଜୟପୁରରୁ କୀଟନାଶକ ନେଇ ବ୍ୟବହାର କଲେ। ପୂର୍ବରୁ ମିଳିଥିବା ପରାମର୍ଶ ଅନୁଯାୟୀ ତିନି ଚାରି ଥର ସିଞ୍ଜନ କରିଥିଲେ। କିନ୍ତୁ ପୋକ କମିବ କ’ଣ ଓଲଟା ବଢିବାରେ ଲାଗିଛି। ତେଣୁ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି।
ଚାଷୀ ରବି ମାଳିଙ୍କ କହିବା କଥା ଯେ ୭ ଏକର ଜମିରେ ବାଇଗଣ ଚାଷ କରିଥିଲେ। ଚାରା ରୋପଣର ୨୦ଦିନ ପରେ ହଠାତ୍‌ ପତ୍ର ସବୁ ମୋଡି ହୋଇଗଲା। ଅଧା ପତ୍ର ଶୁଖି ମରାଗଲା। ତେଣୁ ଜୟପୁରରୁ କୀଟନାଶକ ନେଇ ପକାଇଲେ। କିଛି କାମ କରିଲା ନାହିଁ। ତିନି ଦିନ ପରେ ପୁଣି ଥରେ ୨ହଜାର ଟଙ୍କାର ଔଷଧ ନେଇ ପକାଇଥିଲେ। ଏଥର ବି ବିଶେଷ କିଛି ଫରକ ପଡିଲା ନାହିଁ। ଅପରପକ୍ଷରେ ଝିପିଝିପି ବର୍ଷା ଯୋଗୁଁ ଫସଲରେ କାନ୍ଧବିନ୍ଧା ରୋଗ ବୃଦ୍ଧି ପାଇବାରେ ଲାଗିଥିବା କହିଛନ୍ତି। ସେହିପରି ଲିଙ୍ଗରାଜ ମାଳି କହିଛନ୍ତି ଯେ ୧୮ ହଜାର ଟଙ୍କା କରଜ କରି ଗୋଟିଏ ଏକର ଜମିରେ ବିନ୍ସ ଓ ବାଇଗଣ ଚାଷ କରିଥିଲେ। ଫଳିବା ବେଳକୁ ପୋକ ଲାଗିଥିବା ସେ ଦେଖିଥିଲେ।

Advertisment

ଜୟପୁର ଆସି କୀଟନାଶକ ନେଇଥିଲେ। ୩ରୁ ୪ ଥର ଔଷଧ ସିଞ୍ଜନ କରିଥିଲେ ମଧ୍ୟ ଫସଲରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ମୁରଲୀ ମାଳି କହିଛନ୍ତି ଯେ ପ୍ରାୟ ୨୦ ହଜାର ଟଙ୍କ ଧାର କରି କୋବି ଓ ବିନ୍ସ ଚାଷ କରିଥିଲି। କିନ୍ତୁ ଏବେ ହଳିଦିଆ ପଡି ପତ୍ର ପାଚି ଯାଉଛି। କାଣ୍ଡ ଓ ଫଳରେ ପୋକ ସାଲୁବାଲୁ ହେଉଥିବା ସେ କହିଛନ୍ତି। ଗାଁର ମେହଶ୍ୱର ମାଳି କହିଛନ୍ତି ଯେ ବାଇଗଣ ଚାଷ କରିଥିଲେ ହେଁ ଏପର୍ଯ୍ୟନ୍ତ ଫଳ ଫୁଲ ଆସୁନାହିଁ। କାଣ୍ଡବିନ୍ଧା ପୋକ ଲାଗି ଗଛ ନଷ୍ଟ ହୋଇଯାଉଛି। ନିକଟରେ ସରକାର ବେଆଇନ ଘୋଷଣା କରିଥିବା କୀଟନାଶକ ଦୋକାନୀ ଦେଇଥିବାରୁ ଏପରି ଘଟିଥିବା ସେ କହିଛନ୍ତି। ଏନେଇ ଉଦ୍ୟାନ କୃଷି ବିଭାଗର ଭାବଗ୍ରାହୀ ବେହେରା କହିଛନ୍ତି ଯେ ଫସଲରେ ବିଭିନ୍ନ ପ୍ରକାର ପୋକ ଲାଗିଥିବା ନେଇ କୌଣସି ଚାଷୀ ଅଭିଯୋଗ କରିନାହାନ୍ତି। ଏହା ସତ୍ୱେ ବି ସେହି ଅଞ୍ଚଳର ଉଦ୍ୟାନ କୃଷି ବିଭାଗର କ୍ଷେତ୍ର ଅଧିକାରୀଙ୍କୁ ଏନେଇ ଅବଗତ କରାଇ ଦିଆଯାଇଛି। ସେ ରିପୋର୍ଟ ଦେବା ପରେ ଚାଷୀଙ୍କୁ ରୋଗପୋକ ନିୟନ୍ତ୍ରଣ କରାଯିବାକୁ ଆବଶ୍ୟକ ଅନୁଯାୟୀ କୀଟନାଶକ ଦିଆଯିବ ବୋଲି ସେ କହିଛନ୍ତି।