ବାରିପଦା କୋଭିଡ ହସ୍ପିଟାଲ ଭିତରର ବିକଳ ଚିତ୍ର, ଅସହାୟ ଉଲଗ୍ନ ଅବସ୍ଥାରେ ପଡ଼ିଛନ୍ତି ରୋଗୀ

ଖବର ପ୍ରକାଶ ପରେ ଜିଲ୍ଲାରେ ତନାଘନା , ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ କାରଣ ଦର୍ଶାଅ ନୋଟିସ

ବାରିପଦା : ପାଇଖାନା ପାଖରେ ଉଲଗ୍ନ ଅବସ୍ଥାରେ ପଡିଛନ୍ତି କୋଭିଡ ଆକ୍ରାନ୍ତ ରୋଗୀ। ଅତ୍ୟନ୍ତ ଅସହାୟ ଅବସ୍ଥାରେ ନିଜ ଶଯ୍ୟା ପାଖରେ ବିଛାଡ଼ି ହୋଇ ପଡ଼ିଥିବା ଅଇଁଠା ଖାଦ୍ୟରେ ପଡିଛନ୍ତି ରୋଗୀ। କିଏ ମରୁଛି କିଏ ବଞ୍ଚୁଛି ତାହାର ଖୋଜ ଖବର କିଛି ନାହିଁ। ବିଭିନ୍ନ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏପରି ବିଭତ୍ସ ଚିତ୍ର ହେଉଛି ବାରିପଦା ବାଙ୍କିଷୋଳରେ ଥିବା ଜିଲ୍ଲାର ଏକମାତ୍ର କିମ୍ସ କୋଭିଡ ହସ୍ପିଟାଲ ଭିତରର ଦୃଶ୍ୟ। ନିଜ ପିତାଙ୍କ ଚିକିତ୍ସା ପାଇଁ ଉକ୍ତ କୋଭିଡ ହସ୍ପିଟାଲରେ ଥିବାବେଳେ ଜଣେ ଯୁବକ ଏପରି ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ଯାହା ଏବେ ବାହାରକୁ ଆସିଛି। ଏହି ଫଟୋ ଓ ଭିଡିଓ ଦେଖିଲେ ଉକ୍ତ କିମ୍ସ କୋଭିଡ ହସ୍ପିଟାଲ ଉପରୁ ଲୋକଙ୍କ ଭରସା ଉଠିଯିବ। ଅତ୍ୟନ୍ତ ବେଦନାଦାୟକ ଏପରି ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବା ଭଳି। ଏହି ସବୁ ଦୃଶ୍ୟ ସୋସିଆଲ ମିଡିଆରେ ଆସିବା ପରେ ଜିଲ୍ଲାରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଯଦିଓ ଏହି ସବୁ ଫଟୋ ଭିଡ଼ିଓର ସତ୍ୟତାକୁ ନେଇ କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି, ତଥାପି ଏହି ଫଟୋ ସମ୍ପୂର୍ଣ୍ଣ ସତ୍ୟ ବୋଲି ଦାବି କରିଛନ୍ତି ଭଂଜସେନା କାର୍ଯ୍ୟକାରୀ ଉପାଧ୍ୟକ୍ଷ ରାକେଶ ସିଂ।

ବାରିପଦାରେ ଥିବା ଏହି କିମ୍ସ କୋଭିଡ ହସ୍ପିଟାଲ ରୋଗୀସେବା ନାଁରେ ସରକାରଙ୍କ ଅର୍ଥକୁ କେବଳ ଲୁଟୁଛି। ପୂର୍ବରୁ ମଧ୍ୟ ଅକ୍ସୀଜେନ ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଏହି କୋଭିଡ ହସ୍ପିଟାଲ ବିରୋଧରେ ଜନାକ୍ରୋଶ ରହିଛି। ଆଉ ଏବେ ଏପରି ଦୃଶ୍ୟ ବାହାରକୁ ଆସିବା ପରେ କିମ୍ସ କୋଭିଡ ହସ୍ପିଟାଲର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ତୁରନ୍ତ ଜିଲ୍ଳା ପ୍ରଶାସନ ଓ ରାଜ୍ୟ ସରକାର ଏହି ହସ୍ପିଟାଲକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ବୋଲି ଶ୍ରୀ ସିଂ ଦାବି କରିଛନ୍ତି।

ଏନେଇ ଜିଲ୍ଳା କୋଭିଡ ହସ୍ପିଟାଲ ନୋଡାଲ ଅଧିକାରୀ ତଥା ଏଡିଏମଓ ଡ଼ ଏନ ଆର ଦାସ ଫଟୋ ଓ ଭିଡିଓ ସମ୍ପର୍କରେ ତାଙ୍କ ନିକଟରେ କିଛି ସୂଚନା ନଥିବା କହିଛନ୍ତି। ଏନେଇ ସେ କିଛି ମତ ଦେଇପାରିବେ ନାହିଁ ବୋଲି କହିଛନ୍ତି। ସେହିପରି କିମ୍ସ କୋଭିଡ ହସ୍ପିଟାଲ ମେଡିକାଲ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହି ଫଟୋ ଭିଡିଓ ସମ୍ପର୍କରେ ତଦନ୍ତ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିନିଥ ଭରଦ୍ବାଜ। ତେବେ ମିଳିଥିବା ବିଶ୍ୱସ୍ତ ସୂଚନା ଅନୁସାରେ ବାହାରକୁ ଆସିଥିବା କୋଭିଡ ହସ୍ପିଟାଲର ଏହି ସବୁ ଫଟୋ ଓ ଭିଡିଓର ସତ୍ୟତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରୁ ଜବାବ ମଗାଯାଇଛି। ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ଅକ୍ସିଜେନ ଅଭାବରୁ ଏହି କୋଭିଡ ହସ୍ପିଟାଲରେ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଥିଲା। ସେହିପରି ରୋଗୀମାନେ ଥରେ ଏହା ଭିତରକୁ ଗଲାପରେ ଆଉ କୌଣସି ଖବର ମିଳିପାରିନାହିଁ । ଏଯାବତ ସିସି ଟିଭି କାର୍ଯ୍ୟକାରୀ ହୋଇପାରିନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରୁଛନ୍ତି। ତେବେ ବାହାରକୁ ଆସିଥିବା ଏପରି ହୃଦୟବିଦାରକ ଫଟୋ ଓ ଭିଡିଓ କରୋନା ରୋଗୀଙ୍କ ଚିକିତ୍ସା ସେବାର ବିକଳ ଚିତ୍ର ବୟାନ କରୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ନେଉଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ରୋଗୀସେବାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି।ଏହି ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ମଧ୍ୟ ସଠିକ ସୂଚନା ନଥିବା ବାରମ୍ବାର ଅଭିଯୋଗ ହେଇଆସୁଛି। ଆଜି ସମ୍ବାଦରେ ଏନେଇ ସବିଶେଷ ଖବର ପ୍ରକାଶ ପରେ ଜିଲ୍ଲାରେ ତନାଘନା ପ୍ରକାଶ ପାଇଥିଲା। ଖୋଦ ଜିଲ୍ଲାପାଳ ପିପିଇ କିଟ ପିନ୍ଧି ହସ୍ପିଟାଲ ପରିଦର୍ଶନ କରି ସିଧାସଳଖ ରୋଗୀଙ୍କ ସହିତ କଥା ହୋଇଥିଲେ। ସେହିପରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର