ଖୋର୍ଦ୍ଧା: ଅତରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କ ତତ୍ୱାବଧାନରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଆଜି ଜିଲ୍ଲାର ବିଭିନ୍ନ ଇଟା ଭାଟି ବିଶେଷତଃ ବାଲିଅନ୍ତାର ଇଟାଭାଟି ଗୁଡ଼ିକ ଉପରେ ଅଚାନକ ଚଢ଼ଉ କରିଛନ୍ତି। ଟିମ୍ ଆଜି ବାଲିଅନ୍ତା, ଭୁବନେଶ୍ୱର, ହିରାପୁର, ଭିଂଗାରପୁରରେ ଥିବା ବିଭିନ୍ନ ଇଟାଭାଟି ଗୁଡ଼ିକୁ ଗସ୍ତ କରି ସେଠାରେ କାମ କରୁଥିବା ଶ୍ରମିକ, ଭାଟି ମାଲିକଙ୍କ ସହ ଆଲୋଚନା କରିଥିଲେ। ସେଠାରେ କାମ କରୁଥିବା ଶ୍ରମିକଙ୍କ ଶିଶୁଙ୍କ ସୁରକ୍ଷା ଦିଗରେ ଭାଟି ମାଲିକଙ୍କ କର୍ତ୍ତବ୍ୟ ଓ ଶିଶୁଙ୍କ ଅଧିକାର ସମ୍ପର୍କରେ ସେମାନଙ୍କୁ ବୁଝାଇଥିଲେ। ଏହି ଟିମ୍‌ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ ଅଧିକାରୀ ରଂଜନ କୁମାର ଗୋଚ୍ଛାୟତ, ବାଲିଅନ୍ତା ବିଇଓ ହିମାଂଶୁ ଭୂଷଣ ଉଝା, ଜିଲ୍ଲା ଶିକ୍ଷା ଯୋଜନା ଅଧିକାରୀ ଦେବବ୍ରତ ବାରିକ, ରାଜସ୍ୱ ପରିଚାଳକ ଅଶୋକ କୁମାର ଦାସ, ଶ୍ରମ ନିରୀକ୍ଷକ କାଳିପୁତ୍ର କୁଳଦୀପ ପ୍ରସାଦ, ଏଡ୍ ଏଟ୍ ଆକ୍ସନର ପ୍ରକଳ୍ପ ପରିଚାଳକ ସରୋଜ କୁମାର ବାରିକ, ଦୀପକ ରଂଜନ ପଣ୍ଡା, ବାଲିଅନ୍ତା ଥାନା ଏଏସ୍ଆଇ ହୃଷିକେଶ ବେହେରା ଓ ଚାଇଲ୍ଡ ଲାଇନ୍‌ର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୦ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଥିବା ବିଭିନ୍ନ ଇଟାଭାଟି ବେଆଇନ ଭାବେ ଗଢ଼ି ଉଠିଥିବା ଓ ଏଥିରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା, ଶ୍ରମିକଙ୍କୁ ଆବଶ୍ୟକ ସୁବିଧା ଦିଆଯାଉନଥିବା ଆଦି ସମସ୍ୟା ନେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।