ବ୍ରହ୍ମଗିରି: ଶ୍ରୀଅଲାରନାଥଙ୍କ ମନ୍ଦିର ପରିସରର ଉତ୍ତର ଦିଗରେ ଥିବା ଶ୍ରୀଚୈତନ୍ୟ ଚକଡ଼ାରେ ଶ୍ରୀଚୈତନ୍ୟଙ୍କ ପ୍ରତିମୂର୍ତ୍ତି ରହିଛି। କିଂବଦନ୍ତି ଅନୁଯାୟୀ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତଙ୍କ ଭାବାବେଗ ଶ୍ରୀଚୈତନ୍ୟଙ୍କ ସହିତ ଜଡ଼ିତ ରହିଛି। ବର୍ଷବର୍ଷ ଧରି ପୂଜା ପାଇ ଆସୁଥିବା ଶ୍ରୀଚୈତନ୍ୟଙ୍କ ମୂର୍ତ୍ତିକୁ ଆଜି ହଟାଇ ନୂତନ ମୂର୍ତ୍ତି ସ୍ଥାପନ କରାଯାଇଛି। ପୁରାତନ ଶ୍ରୀଚୈତନ୍ୟଙ୍କ ମୂର୍ତ୍ତିରେ ଧନୁ, ତୀର, କମଣ୍ଡଳୁ, ଜପମାଳା ରହିଥିଲା।
କିନ୍ତୁ ଆଜି ନୂତନ ନୂତନ ମୂର୍ତ୍ତିଙ୍କ ହାତରେ କେବଳ ପାଟବସ୍ତ୍ର ରହିଛି। ଧନୁ, ତୀର ନାହିଁ। ଜନୈକ ଶ୍ରଦ୍ଧାଳୁ ଏହି ନୂତନ ମୂର୍ତ୍ତି ଦେବା ପରେ ଏହାକୁ ସ୍ଥାପନ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଇସ୍କନ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯିବାକୁ ବାରଣ ଥିବା ବେଳେ ସେମାନେ ଶ୍ରୀଚୈତନ୍ୟ ଚକଡ଼ାକୁ ଆସି ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିଥାନ୍ତି।