ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକୁ ଖାତିର ନାହିଁ, ମୁଗୁରା ନାଳ ପୁନରୁଦ୍ଧାରରେ ଜବରଦଖଲ ବାଧକ

ଜଗତସିଂହପୁର: ଉପଜିଲ୍ଲାପାଳଙ୍କ ଅଦାଲତରେ ଗତ ଜୁନ ୨୧ରେ ବାଲିକୁଦା ବ୍ଲକ୍ ଗୋପୀନାଥପୁର ଗାଁର ୧୧ଜଣ ହାଜର ହେଲେ। ମୁଗୁରା ନାଳକୁ ଜବରଦଖଲରେ ରଖି ମାଛ ଚାଷ କରୁଥିବା ସେମାନେ ସ୍ବୀକାର କଲେ। ତୁରନ୍ତ ଏହି ଜବରଦଖଲ ଉଚ୍ଛେଦ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଏ ଦିଗରେ କିଛି ବି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଏହି ନାଳ ଜବରଦଖଲରେ ଥିବାରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ଏହାସହ ମାଛ ଚାଷ ହେଉଥିବା ପୋଖରୀରୁ ବର୍ଷା ଦିନେ ପାଣି ଉଛୁଳି ଚାଷ ଜମିକୁ ନଷ୍ଟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ବର୍ତ୍ତମାନ ବାଲିକୁଦା ବ୍ଲକ୍ ଖାଲଗାଁ ପଞ୍ଚାୟତର ମୁଗୁରାନାଳ ପଙ୍କ ଉଦ୍ଧାର ଓ ଖନନ କାର୍ଯ୍ୟ ଚାଲୁ ରହିଛି। ଏହି ଅଞ୍ଚଳ ନିକଟରେ ଥିବା ଖାଲଗାଁ, ଅପଣ୍ଡରା, ଓଷକଣା, ଅନନ୍ତପୁର, ବରମୁଣ୍ଡୁଳି ଆଦି ପଞ୍ଚାୟତ ଗୁଡ଼ିକୁ କେନାଲ ପାଣି ଯୋଗାଣ ବ୍ୟବସ୍ଥା ନାହିଁ। ଏହି ଯୋଜନା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ୧୪ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏହି ସମୟରେ କିଛି ଲୋକ ନାଳକୁ ଜବରଦଖଲ କରି ମାଛ ଚାଷ କରୁଥିବା ଦେଖାଯାଇଛି। ସେମାନେ କେନାଲ ମଝିରେ ବନ୍ଧ ପକାଇ ମାଛ ଚାଷ କରୁଛନ୍ତି। ଅନନ୍ତପୁର ପଞ୍ଚାୟତ ଗୋପୀନାଥପୁର ନିକଟରେ ସଫେଇ ମଝିରେ ଅନେକ ପୋଖରୀ ଖୋଳାଯାଇ ବନ୍ଧ ଦ୍ବାରା ଆବଦ୍ଧ କରାଯାଇଛି। ସେଥିପାଇଁ ବର୍ଷା ଦିନେ ପାଣି ନିଷ୍କାସନ ହୋଇନପାରି ଏହା ଚାଷ ଜମିକୁ ବୁଡ଼ାଇ ରଖୁଛି।

ଏ ନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରିବାରୁ ଉପଜିଲ୍ଲାପାଳଙ୍କ କୋର୍ଟରେ ୧୧ ଜଣ ଯୋଗେନ୍ଦ୍ର ମହାନ୍ତି, ଅବକାଶ ପ୍ରଧାନ, କୈଳାସ ପ୍ରଧାନ, ପ୍ରଭାକାର ସ୍ବାଇଁ, ଧୋବି ସ୍ବାଇଁ, ରମେଶ ସ୍ବାଇଁ, ସୁନାକର ସ୍ବାଇଁ, ସୁରେନ୍ଦ୍ର କୁମାର ମହାନ୍ତି, ସୁରେନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଶୁକ‌ଦେବ ନାୟକଙ୍କୁ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା। ଗତ ଜୁନ୍ ୨୧ରେ ଗୋପୀନାଥପୁର ଗାଁର ଏହି ବ୍ୟକ୍ତିମାନେ ହାଜର ହୋଇଥିବା ବେଳେ ସେମାନେ କରିଥିବା ଜବରଦଖଲ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଏଣୁ ତୁରନ୍ତ ଏ ଦିଗ‌ରେ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି ଏହି ୧୧ ଜଣଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଖୋଳିଥିବା ପୋଖରୀକୁ ପୋତି ସାରିଲେଣି। ମାତ୍ର ଜଣେ ଦୁଇ ଜଣ ଏହି ଜବରଦଖଲକୁ ହଟାଇବା ପରିବର୍ତ୍ତେ ଓଲଟା ଅଧିକ ମାଛ ଚାଷ କରିବାରେ ଲାଗିଛି। ସେମାନେ ନାଳ ଭିତରେ ବଡ଼ ବଡ଼ ପୋଖରୀ ଖୋଳିଥିବା ଦେଖିବାକୁ ମିଳିଛି। ମୁଗୁରା ନାଳର ସଫେଇ ଓ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇଛି। ଏହାପରେ ତତ୍‌କାଳନୀ ଜଳେସେଚନ ମନ୍ତ୍ରୀ ରଘୁନନ୍ଦନ ଦାଶ ଏହାର ଖନନ ଓ ପଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଜବରଦଖଲାକାରୀଙ୍କ ପ୍ରତି ଯଦି ଜିଲ୍ଲା ପ୍ରଶାସନ କଠୋର ନ ହୁଏ, ତେବେ ଏହି ଯୋଜନାର ସୁଫଳ ଚାଷୀମାନେ ପାଇବେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର