ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପରେ ଶିକ୍ଷା ବିଭାଗ ସକ୍ରିୟ: ଭୁବନେଶ୍ୱରରେ ପାଠ ପଢିବେ ଡଙ୍ଗରିଆ ଛାତ୍ର ସିନା କାଡ୍ରକା

ରାୟଗଡ଼ା: ଡଙ୍ଗରିଆ ଛାତ୍ର ସିନା କାଡ୍ରକାଙ୍କ ପାଠ ପଢ଼ିବା ପାଇଁ ରାସ୍ତା ଖୋଲିଛି। ଭୁବନେଶ୍ୱର ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କ ଚିଠି ନଂ:୨୬୮୨୪, ତା: ୫.୧୦.୨୦୨୧ ରେ ତୁରନ୍ତ ପଦକ୍ଷେପ ନେବାକୁ ଡିଇଓଙ୍କୁ ନିର୍ଦ୍ଦେଶ ହୋଇଛି। ନବମ ଶ୍ରେଣୀରେ ପଢ଼ିବାକୁ ଚାହୁଁଥିବା ସିନା ବୟସ କାରଣରୁ ସ୍କୁଲରୁ ସ୍କୁଲକୁ ଘୁରି ବୁଲୁଥିଲେ।

ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଯୋଗାଯୋଗ କରି ପଦକ୍ଷେପ ନେଇଥିଲେ। ସୋମବାର ସନ୍ଧ୍ୟାରେ ଡିକେଡିଏ କର୍ତ୍ତୃପକ୍ଷଙ୍କ ତତ୍ତ୍ୱ।ବଧାନରେ ଛାତ୍ର ସିନା ବାପା ଟିମା କାଡ୍ରକାଙ୍କ ସହ ଭୁବନେଶ୍ୱର ଯାଇଥିଲେ। ଆଜି ସକାଳେ ସିନା ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ସାକ୍ଷାତ କରିବା ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଲିଥିଲା। ସିନା ଭୁବନେଶ୍ୱରରେ ପଢ଼ିବା ସମ୍ପର୍କିତ ଚିଠି ପାଇବା ପରେ ସିନା ଓ ବାପା ଟିମା ଖୁସି ପ୍ରକାଶ କରିଛନ୍ତି। ପୁଅର ପାଠ ପଢା ସ୍ୱପ୍ନକୁ ପୂରଣ କରିଥିବାରୁ ଟିମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାଶ, ବିଜୁ ସ୍ୱାସ୍ଥ୍ୟ ଉପଦେଷ୍ଟା ସୁଧୀର ଦାଶ, ମନ୍ତ୍ରୀ ଜଗନ୍ନାଥ ସାରକା, ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Sambad

ସୂଚନାଯୋଗ୍ୟ, ୨୦୧୮ ମସିହାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରାବାଲିରୁ ସିନା ଅଷ୍ଟମ ପାସ୍ କରିବା ପରେ ଖରାଛୁଟିରେ ଦାଦନ ଖଟିବାକୁ ଗୁଜୁରାଟ ଚାଲି ଯାଇଥିଲେ। ସ୍କୁଲ୍ ଖୋଲିବା ପରେ ଗାଁକୁ ଫେରି ପାରିନଥିବାରୁ ନାମ ଲେଖାଇବାରେ ବିଫଳ ହୋଇଥିଲେ। ୨୦୨୦ରେ କରୋନା କଟକଣା ଯୋଗୁ ସ୍କୁଲ୍ ବନ୍ଦ ଥିବାରୁ ଆଡମିଶନ୍ ହୋଇପାରିନଥିଲା। ୨୦୨୧ରେ କରୋନା କଟକଣା କୋହଳ ପରେ ସ୍କୁଲ୍ ଖୋଲିଥିଲା। ନବମ ଶ୍ରେଣୀରେ ନାମ ଲେଖାଇବାକୁ ବିଷମକଟକ ବ୍ଲକ୍ ସାହାଡ଼ା ସରକାରୀ ହାଇସ୍କୁଲକୁ ବାପା ଟିମାଙ୍କ ସହ ସିନା ଯାଇଥିଲେ। କିନ୍ତୁ ସିନାଙ୍କ ବୟସ ୧୮ ଟପି ଯାଇଥିବାରୁ ନାମଲେଖା ସମ୍ଭବ ନଥିବା ପ୍ରଧାନଶିକ୍ଷକ କହିଥିଲେ। ପରେ ସିନା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଏ ସମ୍ପର୍କିତ ଖବର ସମ୍ବାଦରେ ପ୍ରକାଶ ପରେ ତତ୍ପରତା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର