ସ୍ୱଳ୍ପ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ବାରିପଦା: ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନ ଓ ଭୁବନେଶ୍ୱର ସାଇଟ ସେଭର୍ସର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୯ ଜଣ ସ୍ୱଳ୍ପଦୃଷ୍ଟି ଏବଂ ୬ ଜଣ ମସ୍ତିଷ୍କ ପକ୍ଷାଘାତ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ପ୍ରଦାନ କରାଯାଇଛି। ଏଥିସହିତ ସେମାନଙ୍କ ନିମନ୍ତେ ତାଲିମ ଶିବିର ଆୟୋଜନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ‌ରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଅର୍ନ୍ତନିବେଶୀ ଶିକ୍ଷା ଉପନିର୍ଦ୍ଦେଶକ ଉଦୟନାଥ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପ୍ରଦୋଷ ନାଏକ, ଭୁବନେଶ୍ୱର ସାଇଟ ସେଭର୍ସର ଚକ୍ଷୁ ସ୍ୱାସ୍ଥ୍ୟ ପରାମର୍ଶଦାତା ନିରଞ୍ଜନ ରାଜ, ସାରଦା ପ୍ରସନ୍ନ ଷଢ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

ସର୍ବଶିକ୍ଷା ଅଭିଯାନର ଜିଲ୍ଲା ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଶେଷରେ ସାଧନାର ନିର୍ଦ୍ଦେଶକ ରଞ୍ଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ସମସ୍ତ ବିଆର୍‌ଟି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୨୦୧୯ ଅକ୍ଟୋବରରେ ସାଇଟ ସେଭର୍ସ ସହଯୋଗରେ ଜିଲ୍ଲାର ୫ଟି ସ୍ଥାନରେ ଆକଳନ ଶିବିର ଅନୁଷ୍ଠିତ ହୋଇଥିଲା।  ଉକ୍ତ ଶିବିରଗୁଡ଼ିକରେ ୫ ଶହରୁ ଅଧିକ ସ୍ୱଳ୍ପଦୃଷ୍ଟି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୧ ଜଣ ଛାତ୍ରଛାତ୍ରୀ ୧୪୫ଟି ସ୍ୱଳ୍ପଦୃଷ୍ଟି ଉପକରଣ ଓ ୧୯୮ ଚଷମା ପାଇବା ନିମନ୍ତେ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର