ରାଉରକେଲା: ବିଭିନ୍ନ ରେଳସଙ୍ଗଠନ ଦାବି ହାସଲ ଦିଗରେ ଏକାଠି ହୋଇ ନ ଲଢ଼ି ଶ୍ରେୟନେବାକୁ ପୃଥକ ପୃଥକ ଲଢ଼େଇ କରୁଛନ୍ତି । ରାଉରକେଲା, ଚକ୍ରଧରପୁରଠୁ ନେଇ ଦକ୍ଷିଣପୂର୍ବ ‌ରେଳବାଇର ମୁଖ୍ୟାଳୟ କୋଲକାତାର ଗା‌ର୍ଡେନରିଚ୍‌ରେ ରାଉରକେଲା ରେଳ ସମସ୍ୟା ସମମ୍ପର୍କରେ ଆଲୋଚନା ହେଉଛି। ଯାହାର କୌଣସି ପ୍ରଭାବ ରେଳ କର୍ତ୍ତୃପକ୍ଷଙ୍କ ଉପରେ ପଡୁନି। ଏମିତି ବର୍ଷ ବର୍ଷ ଧରି ବିଭିନ୍ନ ସଙ୍ଗଠନଗୁଡ଼ିକ କେବଳ ଲୋକଦେଖାଣିଆ ଆନ୍ଦୋଳନ କରୁଛନ୍ତି। ରାଉରକେଲା ଡେଭଲପ୍‌ଡ ଷ୍ଟିୟରିଂ କମିଟି, ଉତ୍ତର ଓଡ଼ିଶା ରେଳ ସମନ୍ବୟ ସମିତି, ରେଳ ସଡ଼କ ଉପଯୋଗକାରୀ ସଂଘ, ସଚେତନ ନାଗରିକ ମଞ୍ଚ, ଉତ୍ତର ଓଡ଼ିଶା ରେଳ ବିକାଶ ସମିତି ଏମିତି କିଛି ସଙ୍ଗଠନ ଐକ୍ୟବଦ୍ଧ ଆନ୍ଦୋଳନ କରୁନାହାନ୍ତି। ବରଂ ପାରିବା ପଣିଆ ଜାହିର କରିବାକୁ ଏକାକୀ ଲଢ଼ୁଛନ୍ତି। ପ୍ରତ୍ୟେକ ଦାବି କେବଳ ରେଳ କର୍ତ୍ତୃପକ୍ଷ ପ୍ରତିଶ୍ରୁତିରେ ଅଟକି ଯାଉଛି। ରେଳ ଡିଭିଜନଠୁ ଆରମ୍ଭ କରି ଇଣ୍ଟରସିଟି, ଅନେକ ଦ୍ରୁତଗାମୀ ଟ୍ରେନ ରହଣି, ବନ୍ଦ ପଡ଼ିଥିବା ସିଟି ବୁକିଂ କାଉଣ୍ଟର ପୁନଃ କାର୍ଯ୍ୟକ୍ଷମ ଆଦି ଦାବି ସେମିତି ନାଲିଫିତା ତଳେ ଚାପି ହୋଇ ରହିଯାଇଛି।

Advertisment

ଦୀର୍ଘଦିନର ଦାବି ପରେ ରାଉରକେଲା- ଭୁବନେଶ୍ବର ଇଣ୍ଟସିଟି ଚଳାଚଳ କରୁଛି। ଦ୍ବିତୀୟ ଇଣ୍ଟରସିଟି ଭୁବନେଶ୍ବର- ରାଉରକେଲା ଏଯାଏଁ ଚାଲୁ ହୋଇପାରିଲା ନାହିଁ। ମାସ ମାସ ଧରି ରାଉରକେଲା- ଭୁବନେଶ୍ବର ଇଣ୍ଟରସିଟି ରାଉରକେଲା ଷ୍ଟେସନରେ ନିର୍ଦ୍ଧାରିତ ସମୟ ଠାରୁ ୨/୩ ଘଣ୍ଟା ବିଳମ୍ବରେ ପହଞ୍ଚୁଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ ହେଁ, ରେଳ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ରେଳ ସଙ୍ଗଠନଗୁଡ଼ିକ କେବଳ ଦାବି କରି କାମ ସାରିଦେଇଛନ୍ତି। ରାଉରକେଲା-ଭଦ୍ରକ ଇଣ୍ଟରସିଟି ସେମିତି ଦାବିରେ ରହିଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଥିଲେ ହେଁ, ଏ ଦିଗରେ ଆଜି ପର୍ଯ୍ୟନ୍ତ ସେମିତି ପ୍ରତିଶ୍ରୁତିରେ ଅଟକିଛି। ରାଉରକେଲାରୁ ରାଜଧାନୀ ଭୁବନେଶ୍ବର ସମେତ ସମ୍ବଲପୁର, କଟକ, ଖୋର୍ଦ୍ଧା ପୁରୀ , ଢ଼େଙ୍କାନାଳ, ଅନୁଗୋଳ ଆଦି ଅଞ୍ଚଳକୁ ଦୈନିକ ଶହ ଶହ ଲୋକ ଯାଉଛନ୍ତି। ରାଜ୍ୟରାଣୀ ଏକ୍ସପ୍ରେସ୍‌ ସବୁଦିନ ଚାଲୁ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଯାତ୍ରୀମାନେ ଟିକେଟ୍‌ କରୁଥିଲେ ହେଁ ୧୦ରୁ ୧୫ ଦିନ ପରେ ସିଟ୍‌ କନଫର୍ମ ହେଉନି। ଅଧିକାଂଶ ସମୟରେ ୱେଟିଂ ଲିଷ୍ଟ ରହୁଛି। ରାଉରକେଲାରୁ ଭୁବନେଶ୍ବର, କଟକ, ପୁରୀ, ଢ଼େଙ୍ଗାନାଳ, ଅନୁଗୋଳ ଆଦି ସହରକୁ ଯିବାକୁ ଯେତିକି ଲୋକ ଟିକେଟ୍‌ କାଟୁଛନ୍ତି, ତା’ର ୭୦% ଯାଇ ପାରୁଛନ୍ତି। ଅବଶିଷ୍ଟ ୩୦ % ଲୋକଙ୍କୁ ସିଟ୍‌ ମିଳି ପାରୁ ନାହିଁ। ଏହି ସମସ୍ୟା ଆଜି ନୁହେଁ ମାସ ମାସ ଧରି ଲାଗି ରହିଛି। ପର୍ବ ପର୍ବାଣୀରେ ସ୍ଥିତି ଆହୁରି ସଙ୍ଗୀନ ହୋଇ ପଡୁଛି। ଆଗକୁ ଆସୁଛି ରଥଯାତ୍ରା। ଯାତ୍ରୀଙ୍କୁ ଯାତ୍ରା କରିବାରେ ପ୍ରତିବର୍ଷ ପରି ସମଧଶା ‌ଭୋଗିବାକୁ ପଡିବ। ଗତ ମାସ ପୂର୍ବରୁ ଦକ୍ଷିଣପୂର୍ବ ରେଳବାଇ ଜିଏମ୍‌ ରାଉରକେଲା ଷ୍ଟେସନ ପରିଦର୍ଶନ ଆସିଥିଲେ। ଆଗାମୀ ଦିନରେ ସହରବାସୀଙ୍କ ଏସବୁ ଦାବି ପୂରଣ କରିବାରେ ସଙ୍ଗଠନଗୁଡ଼ିକର ଭୂମିକା କ’ଣ ରହୁଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।