କରୋନା ବଦଳାଇ ଦେଲା ବୃତ୍ତି: ମାଟି ସହ ମାଟି ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସୁଖରାମ ମାଝୀ

ଜୟପୁର (ଶ୍ରୀକାନ୍ତ ସାହୁ): ଦେଶ ତଥା ରାଜ୍ୟ ପାଇଁ ଟୁର୍ଣ୍ଣାମେଣ୍ଟ ପରେ ଟୁର୍ଣ୍ଣାମେଣ୍ଟ ଖେଳିଲେ। ଶତକ ପରେ ଶତକ କରି ସେଠାରେ ବିଜୟଲାଭ କରି ଦେଶ ପାଇଁ ଗୌରବ ବି ଆଣିଲେ। ହେଲେ ଏବେ ସେ ଆଲୋଡା। ଏବେ କରୋନା କାଳରେ ପେଟ ଚାଖଣ୍ଡକ ପାଇଁ କୁଲି କରୁଛନ୍ତି। ସେଥିରେ ପେଟ ପୁରୁ ନ ଥିବାରୁ ଜମିରେ ଚାଷ କରୁଛନ୍ତି କୋରାପୁଟ ଜିଲ୍ଲା ସୁକ୍ରିଗୁଡାରେ ରହୁଥିବା ଆନ୍ତଃଜାତୀୟ ଦିବ୍ୟାଙ୍ଗ କ୍ରିକେଟର ସୁଖରାମ ମାଝୀ। ଯଦିଓ ଦୃଷ୍ଟିହୀନ କ୍ରିକେଟର ସଂଘ ପକ୍ଷରୁ ଲକଡାଉନ ସମୟରେ ୪ହଜାର ଟଙ୍କାର ସହାୟତା‌ ରାଶି ପ୍ରଦାନ କରାଯାଇଥିଲା। ହେଲେ ସେଥିରେ ତେଲଲୁଣର ସଂସାର ଚଳୁ ନ ଥିବାରୁ ମାଟି ସହ ମାଟି ହୋଇ ଜମିରେ ଖଟୁଛନ୍ତି ଦିବ୍ୟାଙ୍ଗ କ୍ରିକେଟର ସୁଖରାମ ମାଝୀ। କେତେବେଳେ ସେ କୁଲି କରି ପରିବାର ଚଳାଉଥିବାବେଳେ କେତେବେଳେ ନିଜ ଜମିରେ ଧାନ ରୋଉଛନ୍ତି। ଆଉ କେତେବେଳେ ନିଜ ଜମିରେ ହଳ କରୁଥିବା ଦେଖିବାକୁ ମିଳିଛି। କ୍ରିକେଟରରୁ ସେ ଏବେ କୁଲି କରିବା ସହ ଚାଷ କାମ କରୁଥିବାବେଳେ ଏହା ବୃତ୍ତି ବଦଳେଇ ଦେଇଛି। ଏବେ ଅଭ୍ୟାସ କରାଯାଉ ନ ଥିବାବେଳେ କେବଳ ୱାର୍ମଅଫ କରୁଥିବା ଜଣାପଡିଛି।

୨୦୧୬ରେ ଦୃଷ୍ଟିହୀନ ଟି-୨୦ ବିଶ୍ବକପ କ୍ରିକେଟ ଖେଳିଥିଲେ ସୁଖରାମ। ତାଙ୍କ ସହ ଆଉ ଜଣେ ଓଡ଼ିଆ ମଧ୍ୟ ଦୃଷ୍ଟିହୀନ ବିଶ୍ବକପ ଖେଳିଥିଲେ। ମୋଟ ୧୦ଟି ଆନ୍ତଃଜାତୀୟ ମ୍ୟାଚ ଖେଳିଥିବାବେଳେ ବିଶ୍ବକପରେ ପାକିସ୍ତାନକୁ ହରାଇ ଦେଶ ପାଇଁ ଗୌରବ ଆଣିଥିଲେ। ଏହାସହ ସୁଖରାମ  ମୋଟ ନାଗେଶ ଟ୍ରଫିରେ ୧୨ଟି ମ୍ୟାଚ‌ ଖେଳି ୮ ଥର ନଟଆଉଟ ରହିଥିବାବେଳେ ୭୪୭ ରନ କରିଛନ୍ତି। ସେଥିରେ ୫ଟି ଅର୍ଦ୍ଧଶତକ, ୩ଟି ଶତକ, ୪ଟି ୯୬ରନ ରହିଛି। ସେ ଟ୍ରଫିରେ ସର୍ବୋଚ୍ଚ ସ୍କୋର ୧୩୮ କରି ନଟଆଉଟ ରହିଥିଲେ। ଖାଲି ସେତିକି ନୁହେଁ ସେ ବୋଲିଂରେ ମଧ୍ୟ ମାହୀର। ନାଗେଶ ଟ୍ରଫିରେ ୧୨ଟି ମ୍ୟାଚ୍ ଖେଳି ୮ଟି ୱିକେଟ ନେଇଛନ୍ତି। ସେଥିରେ ଥରେ ତିନୋଟି ୱିକେଟ ନେଇଥିବା ପ୍ରଥମ ଓଡ଼ିଆ ଦୃଷ୍ଟିହୀନ କ୍ରିକେଟର ଯିଏକି ଏହି କୃତ୍ତିତ୍ବ ହାସଲ କରିଥିଲେ। ଏହାସହ ସେ ଫିଲ୍ଡିଂରେ ବି ଏକ ନମ୍ବର। ୧୨ଟି ମ୍ୟାଚରେ ଗୋଟିଏ କ୍ୟାଚ, ୭ଟି ରନଆଉଟ, ଗୋଟିଏ ଷ୍ଟମ୍ପିଂ କରିବା ସହ ୩ଟି ରନ ଆଉଟ କରିବାରେ ଅନ୍ୟକୁ ସହଯୋଗ କରିବାର କୃତ୍ତିତ୍ବ ହାସଲ କରିଛନ୍ତି। ଭାରତ ଦୃଷ୍ଟିହୀନ ଟି-୨୦ ବିଶ୍ବକପରେ ସେ ୬ଟି ମ୍ୟାଚ ଅନୁଷ୍ଠିତ ହୋଇଇଥିଲା। ଏଥିରୁ ସେ ଦୁଇଟି ମ୍ୟାଚ ଖେଳିଲେ। ସେଥିରେ ଅର୍ଦ୍ଦଶତକ ହାସଲ କରିଥିଲେ। ଏହା ବଳରେ ଭାରତ ଦୃଷ୍ଟିହୀନ ଟି-୨୦ ବିଜୟ ହୋଇଥିଲା।

ତେବେ ସୁଖରାମ ମାଝୀ ଏବେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଇଂରାଜୀ ବିଷୟରେ ପିଜି କରୁଥିବାବେଳେ ଲକଡାଉନ ପୂର୍ବରୁ ଘରକୁ ଆସିଥିଲେ। ଏହାପରେ କଲେଜ ବନ୍ଦ ହୋଇଯିବାରୁ ଆଉ କଲେଜକୁ ଫେରି ନାହାନ୍ତି। ଘରେ ମା ପ୍ରତିମା ମାଝୀ ମଧ୍ୟ ୭୫ ପ୍ରତିଶତ ଦୃଷ୍ଟିହୀନ ହୋଇଥିବାରୁ ଭତ୍ତା ମିଳିଥିଲା। ଏହାସହ ସାମାଜିକ ସୁରକ୍ଷା ଯୋଜନାରେ ଚାଉଳ, ଡାଲି ମିଳିଥିଲା। ହେଲେ ତାହା ସମୁଦ୍ରକୁ ସଙ୍ଖ‌େ ହେବାରୁ ଚାଷ ଓ କୁଲି ବୃତ୍ତିକୁ ଆପଣେଇଛନ୍ତି। ମିଳିଥିବା ଜିନିଷ ଶେଷ ହେବାରୁ ସେ ଏବେ ଚାଷ ସହ କୁଲି କରୁଛନ୍ତି।  ଗାଁରେ ଦୁଇପ୍ରାଣୀ ସଂସାର ପାଇଁ ଦିନରେ କୁଲି କରୁଥିବାବେଳେ ନିଜ ଜମିରେ ଚାଷ କରୁଛନ୍ତି।

ବର୍ଷକୁ ଥରେ ମାତ୍ର ହୁଏ ନାଗେଶ ଟ୍ରଫି। ସେଥିରେ ସୁଯୋଗ ମିଳିଲେ ଖେଳର ପ୍ରଦର୍ଶନ କରନ୍ତି ଏହି ଦୃ‌ଷ୍ଟିହୀନ କ୍ରିକେଟର। ନାଗେଶ ଟ୍ରଫିରରେ ପ୍ରତି ମ୍ୟାଚକୁ ୭୦୦ଟଙ୍କା ମିଳୁଥିବାବେଳେ ଆନ୍ତଃଜାତୀୟ ମ୍ୟାଚରେ ପାଖାପାଖି ୩ହଜାର ଟଙ୍କା ପାଉଛନ୍ତି। କିନ୍ତୁ ସେ ଯେଉଁ ସମୟରେ ଖେଳୁଥିଲେ ତାଙ୍କୁ କିଛି ଅର୍ଥ ମିଳି ନ ଥିବା ସେ କହିଛନ୍ତି। ଏହାସହ ଆନ୍ତଃଜାତୀୟ ମ୍ୟାଚ ହେଉ ନ ଥିବାରୁ  ଅର୍ଥ ନାହିଁ ନ ଥିବା ସେ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାତୀୟ କ୍ରୀଡା ଦିବସରେ ତାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ଏହାକୁ ଘର, ମାଙ୍କ ଦେହପା ସହ କ୍ୟାରିୟର ପାଇଁ ଖର୍ଚ୍ଚ କରିଥିବାବେଳେ ଭିବିଷ୍ୟତ ପାଇଁ ରଖିଛନ୍ତି। ତେବେ କିଟ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା ହେଲେ କିଛି ବର୍ଷ ହେବ ଏହାକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।

 

 

ସମ୍ବନ୍ଧିତ ଖବର