ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

୪ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ, ଦକ୍ଷତା ପାଇଁ ମହିଳାଙ୍କୁ ସମ୍ବର୍ଦ୍ଧନା ; ଜିଲ୍ଲା ପୋଲିସ ପକ୍ଷରୁ ମହିଳା ରକ୍ତଦାନ ଶିବିର

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ମାଦ୍ରି କାଲୋ ଭବନରେ ସୋମବାର ଦିନ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପାଇଁ ୪ଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରସୂତି ମା’ ଓ ନବଜାତ ଶିଶୁର ଯତ୍ନ ପାଇଁ ‘ମାତୃଜ୍ୟୋତି କିଟ୍’, ଅଙ୍ଗନବାଡ଼ି ମାଧ୍ୟମରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ‘ଅଙ୍ଗନବାଡ଼ି କିଟ୍’, ଜିଲ୍ଲାରେ ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ ପାଇଁ ‘ଆଣ୍ଟି ରୋମିଓ ସ୍କ୍ୱାଡ୍’ ଏବଂ କ୍ରୀଡ଼ାବିତଙ୍କ ‘ଫିଟନେସ୍ ଓ ପୋଷଣ ମୂଲ୍ୟାଙ୍କନ କାର୍ଡ ଭଳି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ୫ ଜଣ ମା’ଙ୍କୁ ମାତୃଜ୍ୟୋତି କିଟ୍, ୫ ଜଣ ଶିଶୁଙ୍କୁ ଅଙ୍ଗନବାଡ଼ି କିଟ୍ ଏବଂ ୧୦ ଜଣ କ୍ରୀଡ଼ାବିତଙ୍କୁ ଫିଟନେସ୍ ଓ ପୋଷଣ ମୂଲ୍ୟାଙ୍କନ କାର୍ଡ ପ୍ରଦାନ କରାଯାଇଥିଲା। ‘‘ନାରୀ ଆଜି ସବୁ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିପାରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଶାସନିକ ସେବା, ସମାଜସେବା, ରାଜନୀତି କ୍ଷେତ୍ରରେ ନାରୀର ସ୍ଵର ସ୍ପଷ୍ଟ ହୋଇପାରିଛି। ଦେଶରକ୍ଷା କ୍ଷେତ୍ରରେ ମଧ୍ୟ ନାରୀ ପଛରେ ପଡ଼ିନାହିଁ। ତେଣୁ, ଜଣେ ନାରୀ ଭାବେ ଆଜି ମୁଁ ଗର୍ବ ଅନୁଭବ କରୁଛି’’, କହିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ଓ ଅନ୍ୟ ବିଭାଗ ପକ୍ଷରୁ ମହିଳାମାନଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ୍ ଖୋଲାଯାଇଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସେମାନଙ୍କ ଉତ୍ପାଦ ଏହି ଷ୍ଟଲରେ ପ୍ରଦର୍ଶନ କରିଥିଲେ। ‘‘ମହିଳା ସଶକ୍ତିକରଣ ପାଇଁ ସରକାର ବିଭିନ୍ନ ଯୋଜନା ଲାଗୁ କରିଛନ୍ତି। ମହିଳାମାନେ ସଶକ୍ତ ହେବା ସହ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ ମଧ୍ୟ ହେଉଛନ୍ତି। ମିଶନ ଶକ୍ତି ମାଧ୍ୟମରେ ସେମାନଙ୍କୁ ଗୁରୁତ୍ୱ ଦିଆଯାଉଛି। ସେମାନଙ୍କୁ ଆହୁରି ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର। ମହିଳାମାନେ ଦୃଢ଼ମନା ହେଲେ ବିଭିନ୍ନ ପ୍ରତିବନ୍ଧକକୁ ଅତିକ୍ରମ କରି ଅଧିକ ସଫଳତା ପାଇ ପାରିବେ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଏହି ଅବସରରେ ଆରମ୍ଭ ହୋଇଥିବା ମାତୃଜ୍ୟୋତି କିଟରେ ପ୍ରସବ ପରବର୍ତ୍ତୀ ଅବସ୍ଥାରେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟରକ୍ଷା ଓ ସ୍ୱଚ୍ଛତା ପାଇଁ ଆବଶ୍ୟକ ବିଭିନ୍ନ ଔଷଧ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି। ଏହି କିଟ୍ ଉଭୟଙ୍କୁ ବିଭିନ୍ନ ରୋଗର ପ୍ରତିଷେଧକ ପାଇଁ ମଧ୍ୟ ସହାୟକ ହେବ। ସେହିପରି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ୩ରୁ ୬ ବର୍ଷ ବୟସର ପିଲାମାନଙ୍କର ବୌଦ୍ଧିକ ତଥା ସର୍ଜନାତ୍ମକ ବିକାଶ ପାଇଁ ‘ଅଙ୍ଗନବାଡ଼ି କିଟ୍’ର ଶୁଭାରମ୍ଭ କରାଯାଇଛି। ପ୍ରତି କିଟରେ ବୋର୍ଡ ଗେମ୍ସ, ପଜଲ୍ସ, ଇଂଲିସ୍ ଓ ଓଡ଼ିଆରେ ବର୍ଣ୍ଣମାଳା ଏବଂ ଅତ୍ୟାଧୁନିକ ଉପକରଣ ସହିତ ବିଭିନ୍ନ ଆକର୍ଷଣୀୟ ପୁସ୍ତକ ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂହ ପଟେଲ, ଏସ୍ପି ସାଗରିକା ନାଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡାସିଂ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ଡିଏମଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ମହିଳା ଦିବସ ଅବସରରେ ସୁନ୍ଦରଗଡ଼ରେ ମହିଳାମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ଏସପି ସାଗରିକା ନାଥ। ଆଣ୍ଟି ରୋମିଓ ସ୍କ୍ୱାଡର ଶୁଭାରମ୍ଭ ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ‘‘ଜିଲ୍ଲାର ପ୍ରତି ଥାନା ଅଧୀନରେ ଏହି ସ୍କ୍ୱାଡ୍ ରହିବ। ପ୍ରଥମେ ଶହେଟି ସ୍କୁଲ ନିକଟରେ ଏହି ସ୍କ୍ୱାଡ୍ ପାଟ୍ରୋଲିଂ କରିବ। ବିଶେଷକରି ସ୍କୁଲ ଆରମ୍ଭ ଓ ଛୁଟି ବେଳେ ପାଟ୍ରୋଲିଂ ଜୋରଦାର ହେବ। ଯଦି କୌଣସି ମହିଳା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ।’’ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଆତ୍ମ ରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ମହିଳା ରକ୍ତଦାନ ଶିବିର

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ‘ମୋ ସରକାର ରକ୍ତ ଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଏସପି ସାଗରିକା ନାଥଙ୍କ ତତ୍ତ୍ୱାବଧାନରେ କେବଳ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ରକ୍ତଦାନ ଶିବିର ଶଙ୍କରାସ୍ଥିତ ପୋଲିସ୍ ହସ୍ପିଟାଲରେ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ନିଜେ ଏସପି ସାଗରିକା ନାଥ ରକ୍ତଦାନ କରିଥିଲେ। ଏହା ସହ ମହିଳା, କଲେଜ ଛାତ୍ରୀ, ଯୁବତୀ ଏବଂ ମହିଳା ପୋଲିସ କର୍ମଚାରୀମାନେ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର