ରାଉରକେଲା (ରୀନା ରାମ): ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ମ୍ୟାଚ ଚାଲିଥିବା ବେଳେ ଦର୍ଶକ ଗହଣରେ ଜଣେ ବ୍ୟକ୍ତିଙ୍କୁ ଦେଖି ଅଧିକାଂଶ ଚମକି ପଡ଼ିଥିଲେ। ବ୍ୟକ୍ତି ଜଣକ ଅବିକଳ ଅମୀର ଖାନଙ୍କ ଭଲି ଦିଶୁଥିଲେ। ପିକେ ଚଳଚ୍ଚିତ୍ରରେ ଅମୀର ଖାନ୍ ଯେଉଁ ରୂପରେ ପରଦାକୁ ଆସିଥିଲେ, ଠିକ ସେମିତି ଦେଖାଯାଉଥିଲେ ସେ। ବୁଝୁବୁଝୁ ଜଣାପଡ଼ିଲା ଉକ୍ତ ବ୍ୟକ୍ତି ଜଣକ ଅମୀର ଖାନ୍ ନୁହନ୍ତି, ବରଂ ତାଙ୍କ ପରି ବେଶ ପକାଇଥିବା ସମ୍ବଲପୁରିଆ ଯୁବକ ଉତ୍ତମ ତାଣ୍ଡି। ଉତ୍ତମ ଏବେ ଓଡ଼ିଶା ପିକେ ନାମରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।

Advertisment

ବଲିଉଡ ଅଭିନେତା ଅମୀର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ସୁପରହିଟ୍ ଫିଲ୍ମ ‘ପିକେ’ ୨୦୧୪ ଡିସେମ୍ବର ୧୯ରେ ମୁକ୍ତିଲାଭ କରିଥିଲା। ଏହି ସିନେମାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏହାର ସିକ୍ୱେଲ ମଧ୍ୟ ଆସିବାକୁ ଯାଉଛି ବୋଲି ଖବର ମିଳିଛି।

publive-image

ଏଇ କିଛିବର୍ଷ ହେବ ଓଡ଼ିଶାର ଏଇ ପିକ‌େଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଓଡ଼ିଶାର ପିକେ ନିଆରା ଢ଼ଙ୍ଗରେ ସଚେତନ କରୁଥିବା ବେଳେ ଲୋକଙ୍କୁ ମନୋରଞ୍ଜନର ଖୋରାକ ମଧ୍ୟ ‌ଯୋଗାଉଛନ୍ତି। ଆଉ‌ ଲୋକେ ବି ପିକେଙ୍କ ସଚେତନତା ବାର୍ତ୍ତାକୁ ବେଶ ପସନ୍ଦ କରୁଛନ୍ତି।

ବରଗଡ଼ ଜିଲ୍ଲା ତୁରୁଙ୍ଗାର ମୂଳବାସିନ୍ଦା ଉତ୍ତମ ରାଉରକେଲାରେ ନିଜ ବଡ଼ ଭଉଣୀଙ୍କ ପାଖରେ ରହୁଛନ୍ତି। ସେ ସହରର ଏକାଧିକ ନାଟ୍ୟାନୁଷ୍ଠାନ ସହ ଜଡ଼ିତ ଥିବାବେଳେ ଏକାଧିକ ମ୍ୟୁଜିକ୍‌ ଆଲବମ୍‌, କମେଡି ଭିଡିଓରେ ଅଭିନୟ କରିଛନ୍ତି। ନିକଟ ଅତୀତରେ ସେ ସମ୍ବଲପୁରୀ କମେଡି ଆଲବମ୍‌ ‘ପିକେ: ପହେଲା ଚୁମା’ରେ ‘ପିକେ’ ଚରିତ୍ରରେ ଅଭିନୟ କରି ବେଶ୍‌ ପରିଚିତ ହୋଇପାରିଥିଲେ।

publive-image

ରାଉରକେଲାରେ ଏବେ ହକି ବିଶ୍ବକପ ୨୦୨୩ ଚାଲିଛି। ଉତ୍ତମ ତାଣ୍ଡି ଓରଫ ଓଡ଼ିଶାର ପିକେ ବି ଷ୍ଡାଡିୟମରେ ଯାଇ ପହଞ୍ଚିଯାଇଥିଲେ। ଆଉ ସେଠାରେ ଲୋକଙ୍କ ମନୋରଞ୍ଜନ କରିବା ସହିତ ଖେଳାଳିଙ୍କୁ ମଧ୍ୟ ଗ୍ୟାଲେରିରେ ବସି ବିଭିନ୍ନ ଶୈଳୀରେ ଉତ୍ସାହିତ କରିବା ସହିତ ସିନେମାର କିଛି ସଂଳାପ କହି ମନୋରଞ୍ଜନର ଖୋରକ ଯୋଗାଉଥିଲେ । ଏମିତି କି ଖେଳ ଚାଲିଥିବା ସମୟରେ ବିଭିନ୍ନ ସ୍ପୋର୍ଟସ୍ ଚ୍ୟାନେଲରେ ତାଙ୍କ ଭିଜୁଆଲ ବି ଦେଖିବାକୁ ମିଳିଥିଲା। ଏହି କ୍ରମରେ ପିକେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।  ପିକେଙ୍କ ସହିତ କିଛି ଆଲୋଚନା କରିଥିଲୁ  ଆଉ ତାଙ୍କ ବିଷୟରେ ଆମେ କିଛି ଜଣା ଓ ଅଜଣା କଥା ଜାଣିବାକୁ ପାଇଥିଲୁ।

ପିକେ କହିଛନ୍ତି, ‘ମୁଁ ଥିଏଟର ଆଟିଷ୍ଟ ହୋଇଥିବାରୁ ଭଗବାନ କୃଷ୍ଣ, ଶିବ, ରାମଙ୍କ ଠାରୁ ଆରମ୍ଭ କରି ଅନେକ ଚରିତ୍ରରେ ଅଭିନୟ କରିଛି। ଏକଦା ମୋତେ ଜାମସେଦପୁରରେ ରାମନବମୀ ଉତ୍ସବରେ ନିମନ୍ତ୍ରଣ କରାଯାଇଥିଲା। ଏକ ଭିନ୍ନ ଚରିତ୍ରରେ ଆସିବାକୁ କୁହାଯାଇଥିଲା। ସେସମୟରେ ମୁଁ ପିକେ ଚରିତ୍ରକୁ ବାଛିଥିଲି। ଆଉ ସେଇ ବେଶରେ ହିଁ ଯାଇଥିଲି। ସେଠାରେ ଲୋକେ ମୋତେ ସେ ଚରିତ୍ରରେ ଆଶାଠାରୁ ଅଧିକ ଭଲ ପାଇବା ଦେଇଥିଲେ। ସେବେଠାରୁ ମୁଁ ଅଧିକାଂଶ ସମୟରେ ପିକେ ଚରିତ୍ରରେ ଆସିବାକୁ ଆରମ୍ଭ କଲି।

ଏହାରି ଭିତରେ ମୁଁ ସମାଜସେବା କରୁଥିବାରୁ ପିକେ ରୂପରେ ସଜେଇ ହୋଇ ଅନେକ  ଗରିବ ଲୋକଙ୍କୁ, ଛୋଟ ପିଲାମାନଙ୍କୁ ଓ ବୃଦ୍ଧାଶ୍ରମକୁ ଯାଇ ସାହାଯ୍ୟ କରିଥାଏ। ଏଥିସହିତ ବୃକ୍ଷରୋପଣ ଓ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଅନେକ କାର୍ଯ୍ୟକ୍ରମ କରିଛି। ତେବେ ମୁଁ ବିଭିନ୍ନ ସ୍ଥାନରେ ସୋ’ କରି ଯେ‌ତିକି ଅର୍ଥ ରୋଜଗାର କରିଥାଏ ତାହାକୁ ଆଧାର କରି ସମାଜସେବା କରେ। ଏଥିପାଇଁ ମୋତେ କୌଣସି ଆର୍ଥିକ ସହାୟତା ମିଳିନାହିଁ। ସମାଜସେବା ପ୍ରତି ମୋର ବହୁତ ଦୁର୍ବଳତା ରହିଛି।  ତେଣୁ ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିପାରିବ ମୁଁ ଏଦିଗରେ ଆହୁରି ଆଗକୁ ବଢ଼ି ପାରିବିି ବୋଲି ଆଶା କରିଛି।

‌‌ତେବେ ଲୋକଙ୍କୁ ଯେଉଁସବୁ ସ‌େଚେତନତା ବାର୍ତ୍ତା ଦିଆଯାଇଥାଏ, ମୁଁ ଅନୁଭବ କଲି ସାଧାରଣ ରୂପରେ ଲୋକେ ଯେଉଁ କଥାକୁ ଶୁଣୁ ନାହାନ୍ତି ପିକେ ହୋଇ ବୁଝାଇଲେ  ତାହାକୁ ଅତି ଆଦରର ସହିତ ଶୁଣୁଛନ୍ତି ଆଉ ଲୋକେ ତାହାକୁ କାମରେ ବି  ଲଗାଉଛନ୍ତି। ପିକେ ମୋ ପାଇଁ ଭଗବାନଙ୍କ ଦାନ ଭଳି ହୋଇଯାଇଛି। ପିକେ ଏମିତି ଏକ ରୂପ, ଯାହା ଜରିଆରେ ସବୁ ଧର୍ମର ଲୋକଙ୍କୁ  ବାର୍ତ୍ତା ଦିଆଯାଇ ପାରୁଛି। ଏହା ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ସହିତ ଅନେକ ଭଲ ପାଇବା ବି ପାଇ ପାରୁଛି ମୁଁ। ଏଥିପାଇଁ ମୋ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ପରିବାରର ସମସ୍ତ ସଦସ୍ୟ ବହୁ ଖୁସି ଅଛନ୍ତି। କିନ୍ତୁ ଏମିତି ବି ସମୟ ଅଛି ଲୋକେ ମୋତେ ସମାଲୋଚନା କରିବା ସହିତ ଅନେକ କଟୁ କଥା କହିଛନ୍ତି। ପିକେ ହୋଇ ନବାହାରିବାକୁ ଧମକ ମଧ୍ୟ ଦେଇଛନ୍ତି। କିନ୍ତୁ ଏସବୁକୁ ମୁଁ ଅଣଦେଖା କରି ଲୋକଙ୍କ ସେବା‌ରେ ନିଜକକୁ ଉତ୍ସର୍ଗ କରି ଦେଇଛି।

‘‘ସବୁକିିଛି  ଠିକଠାକ ଚାଲିଥିବା ବେଳେ ନିକଟରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗତବର୍ଷ ଭାଇର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୁଁ ସେ ସମୟରେ ଭାଙ୍ଗି ପଡ଼ିଥିଲି। ପରେ ମନକୁ ବୁଝାଇଥିଲି। ଭାଇ ଭଳି ଅନ୍ୟ ଲୋକଙ୍କ ଜୀବନ ଯେମିତି ସଡ଼କ ଦୁର୍ଘଟଣାରେ ଚାଲି ନଯାଉ। ସେଥିପାଇଁ ପିକେ ରୂପରେ ରାସ୍ତାରେ ବୁଲିବୁଲି ଲୋକଙ୍କୁ ହେଲମେଟ ପିନ୍ଧିବାକୁ କହିବା ସହିତ ସଡ଼କ ସୁରକ୍ଷା ଜୀବନ ରକ୍ଷା ନେଇ ସ‌େଚେତନ କରିଥିଲି। ଆଉ ଲୋକେ ବି ମୋ କଥା ମାନିଥିଲେ।’’

ଲୋକେ ମୋତେ ଏହି ରୂପରେ ପସନ୍ଦ କରୁଥିବାରୁ ମୁଁ ପିକେ ହୋଇ ସମାଜସେବା କରିବା ସହିତ ଲୋକଙ୍କ ମନୋରଞ୍ଜନ ବି କରିପାରୁଛି। ନିକଟରେ ଯେ ପର୍ଯ୍ୟନ୍ତ ଲୋକେ ପିକେକୁ ପସନ୍ଦ କରୁଥିବେ ମୁଁ ଏହି ରୂପରେ ଆସୁଥିବି। ହଁ, ମୁଁ ଜାଣିଛି ଏମିତି ଦି‌ନ ଆସିବ ପିକେ ପ୍ରତି ଲୋକଙ୍କ କ୍ରେଜ କମିଯିବ। ଯେତେବେଳେ ମୁଁ ଅଲଗା କିଛି ଯୋଜନା ରଖିଛି। ଏଥିସହିତ ଓଡ଼ିଆ ସିନେମା ସହିତ ହିନ୍ଦୀ ଓ ତେଲୁଗୁ ସିନେମାରେ ବି କାମ କରିବାକୁ ଇଚ୍ଛା ରଖିଛି। ସୁଯୋଗ ଆସିଲେ ନିଶ୍ଚୟ କରିବି ବୋଲି କହିଛନ୍ତି ଓଡ଼ିଶାର ପିକେ।