ଜୟପୁର: ବୁଧବାର ସ୍ଥାନୀୟ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପାରାବେଡ଼ା ଖାଲ ସାହି ଅଂଚଳରେ କୌଣସି ଦୁର୍ବତ୍ତ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ବ୍ଲେଡରେ ତାଙ୍କ ହାତରେ କାଟି ଦେଇଥିବାକୁ ନେଇ ଜୟପୁର ଟାଉନଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ଜୟପୁର ଟାଉନଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଯେଉଁ ଅଂଚଳରେ ଘଟଣା ଘଟିଛି ଉକ୍ତ ଅଂଚଳର ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତକୁ ଆଗକୁ ନେଉଥିବା କହିଛନ୍ତି ଜୟପୁର ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର। ଛାତ୍ରୀ ଜଣକ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଅଞ୍ଚଳର ଛାତ୍ରୀ ଜୟପୁର ସହରର ପାରାବେଡ଼ା ଖାଲସାହିରେ ଏକ ଭଡ଼ା ଘରେ ରହୁଥିଲେ। ସେ ସ୍ଥାନୀୟ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢୁଥିଲେ। ଗତ କାଲି ପୂର୍ବାହ୍ନ ସାଢ଼େ ୧୦ଟାରେ କ୍ଲାସ ସାରି ଭଡ଼ାଘରକୁ ଚାଲିଚାଲି ଆସୁଥିଲେ।

Advertisment

ଏହି ସମୟରେ ଜଣେ ଯୁବକ ତାଙ୍କୁ ପଛ ପଟରୁ ଧରିବା ସହ ଅପହରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଅପହରଣକାରୀ ଯୁବକ ଜଣକ ତାଙ୍କ ହାତକୁ ବ୍ଲେଡରେ କାଟିଦେବା ସହ ଲାତବିଧା ଓ ଗୋଇଟା ଆଦି ମାରିଥିଲେ। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ମାରିଥିଲା। ଯୁବକଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ଛଟପଟ ହେଉଥିବା ଦେଖି କିଛି ସହପାଠୀ ଓ ‌ସାହିର ମହିଳାମାନେ ଛାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୧୧୨ରେ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ପୁଲିସ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ ଛାତ୍ରୀ ଜଣକ ‌ପ୍ରାରମ୍ଭିକ ଭାବେ ଯେଉଁ ସୂଚନା ଦେଇଥିଲେ ସେ ସୂଚନା ଠିକା ନାଁ ସିସିଟିଭି ଫୁଟେଜ୍ ଠିକ୍ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ଟାଉନଥାନା ଅଧିକାରୀ। ଛାତ୍ରୀ ଜଣକ ଚିକିତ୍ସାଧୀନ ଥିବା ବେଳେ ସେ ମାନସିକସ୍ତରରେ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ନୁହେଁ। ତେଣୁ ସେ ଠିକ ହେବା ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ବୋଲି କହିଛନ୍ତି ଥାନା ଅଧିକାରୀ। ତେବେ ପୁଲିସ ଘଟଣାକୁ ଅଧିକା ଗୁରୁତ୍ବ ଦେଇ ବିଭିନ୍ନ ଦିଗରେ ତଦନ୍ତ ଜାରୀ ରଖିଛି।