ଚାରି ବର୍ଷ ପରେ ବାରିପଦାର ନିଖୋଜ ଯୁବକଙ୍କ ହତ୍ୟାକାରୀ ଚିହ୍ନଟ, ପୁଲିସ ପଞ୍ଝାରେ ମାମଲା

ଝାଡ଼ଖଣ୍ଡ ଯାଇ ତଦନ୍ତ ଆରମ୍ଭ କଲା ବାରିପଦା ଟାଉନ ଥାନା ପୁଲିସ

ବାରିପଦା: ୨୦୧୭ ଏପ୍ରିଲ ମାସରୁ ଦୀର୍ଘ ୪ ବର୍ଷ ହେବ ନିଖୋଜ ଥିବା ବାରିପଦାର ଯୁବକ ବିଶ୍ଵଜିତ ବେହେରା ଓରଫ ଡେଭିଡକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ମାମଲାରେ ଡେଭିଡ଼ଙ୍କୁ ହତ୍ୟା କରିଥିବା ଝାଡ଼ଖଣ୍ଡର ଯୁବକ ବଂଶୀଧର ପାତ୍ରଙ୍କୁ ନିଜ କବଜାରେ ରଖିଛି ବାରିପଦା ଟାଉନ ଥାନା ପୁଲିସ। ଗତକାଲି ରାତିରେ ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଝାଡ଼ଖଣ୍ଡ ଯାଇ ତଦନ୍ତ ଆରମ୍ଭ କରିଛି। ବିଶ୍ଵଜିତଙ୍କ ହତ୍ୟା ଘଟଣାରେ ଝାଡ଼ଖଣ୍ଡର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଥାନାରେ ଏକ ଅଜଣା ଶବ ଉଦ୍ଧାର ହୋଇଥିବା ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା।

ଏହି ମାମଲାକୁ ବାରିପଦା ପୁଲିସ ବିଶ୍ଵଜିତଙ୍କ ହତ୍ୟା ମାମଲା ତଦନ୍ତରେ ସାମିଲ କରିବ ବୋଲି ସୂଚନା ମିଳିଛି। ସେହିପରି ଅଭିଯୁକ୍ତ ବଂଶୀକୁ ନେଇ ହତ୍ୟାକାଣ୍ଡ ପରିଦର୍ଶନ କରି ହତ୍ୟାର ଡେମୋ ଦେଖାଇବା ନିମନ୍ତେ ବ୍ୟବସ୍ଥା ହେଉଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୮, ଭଂଜପୁର ଯମୁନାଦେଇପୁରର ପର୍ଶୁରାମ ବେହେରାଙ୍କ ବଡ଼ ପୁଅ ବିଶ୍ଵଜିତ ୧୫ ଏପ୍ରିଲ, ୨୦୧୭ରୁ ନିଖୋଜ ଥିଲେ।

ସେବେଠୁ ତାଙ୍କର କୌଣସି ପତ୍ତା ମିଳୁନଥିଲା। ଶୁକ୍ରବାର ରାତିରେ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ବିଶ୍ଵଜିତଙ୍କ ହତ୍ୟାକାରୀକୁ ଝାଡ଼ଖଣ୍ଡ ଢୋଲଭୁମଗଡ଼ ଚିରୁଗୁଡାରୁ ଗିରଫ କରିଛି। ଯାହାଫଳରେ ଦୀର୍ଘ ଚାରି ବର୍ଷ ହେବ ବିଶ୍ଵଜିତଙ୍କୁ ନେଇ ଲାଗିରହିଥିବା ସସ୍ପେ‌ନ୍ସର ଅନ୍ତ ଘଟିଛି। ପଡୋଶୀ ମହିଳାଙ୍କ ସହିତ ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କ ସ୍ୱାମୀ ତଥା ଶିକ୍ଷକତା କରୁଥିବା ନରେନ୍ଦ୍ର ପାତ୍ର ଏବଂ ସମ୍ପର୍କୀୟ ଭାଇ ବଂଶୀଧର ପାତ୍ର ହତ୍ୟା କରିଥିବା ପୁଲିସ ପକ୍ଷରୁ ପ୍ରକାଶ। ପୁଲିସ ବଂଶୀଧର ସହିତ ନରେନ୍ଦ୍ରକୁ ମଧ୍ୟ ଅଟକ ରଖିଛି।

ସମ୍ବନ୍ଧିତ ଖବର