ଜୟପୁର: ଗତ ୮ଦିନ ହେବ ଜୟପୁର ଆଇଟିଡିଏ କାର୍ଯ୍ୟାଳୟରେ କାମ କରୁଥିବା ନିରଞ୍ଜନ ବାଘ (୨୭) ନାମକ କର୍ମଚାରୀ ନିଖୋଜ ହୋଇ ଯାଇଛନ୍ତି। ବାପା ସହଦେବ ବାଘ ଜୟପୁର ଟାଉନଥାନାରେ ସେ ଦିନ ସନ୍ଧ୍ୟାରେ ଦେଇଥିଲେ। ୮ଦିନ ପରେ ବି ପୁଲିସ ହାତ ଖାଲି। ଏବେ ପୁଲିସକୁ ମିଳିଥିବା ସିସିଟିଭି ଫୁଟେଜର ଯାଞ୍ଚ କରୁଥିବା ସୂଚନା ମିଳିଛି। ଅପରପକ୍ଷରେ ପୁଅ ମିଳିନଥିବାରୁ ମା ଓ ବାପାର ଅବସ୍ଥା ସାଂଘାତିକ ହେବା ସହ କାନ୍ଦବୋବାଳିରେ ଶୋକାକୁଳ ପରିସ୍ଥିତିରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅର୍ନ୍ତଗତ ବେହେଡା ଗାଁର ସହଦେବ ବାଘଙ୍କ ପୁଅ ନିରଞ୍ଜନ ବାଘ ଜୟପୁର ଆଇଟିଡିଏ କାର୍ଯ୍ୟାଳୟରେ ଗତ ବର୍ଷକ ହେବ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ବନ୍ଦନ ବିକାଶ ଯୋଜନାରେ ଏକ ସର୍ଭିସ ପ୍ରୋଭା୍ଇଡର ସଂସ୍ଥା ଜରିଆରେ ସେ ଏସ୍ଏମ୍ଏସ୍ ପଦବୀରେ କାମ କରି ଆସୁଥିଲେ। ପୂର୍ବରୁ ସେ ଆଇଟିଡିଏ କାର୍ଯ୍ୟାଳୟରେ ରହୁଥିବା ବେଳେ ଗତ ୬ମାସ ହେବ ସେ ପାରାବେଡ଼ା ଶ୍ରୀରାମନଗର ଅଞ୍ଚଳରେ ଭଡ଼ା ଘର ନେଇ ରହୁଥିଲେ। ଏହି ଭଡା ଘରେ ତାଙ୍କ ସହ ନିଜ ଅଞ୍ଚଳର କିଛି କଲେଜ ପଢ଼ୁଆ ପିଲାଙ୍କ ସହ ମିଶିକି ରହୁଥିଲେ। ଗତ ଶୁକ୍ରବାର ୧୨ତାରିଖ ଦିନ ସକାଳ ୭ଟା ବେଳେ ନିରଞ୍ଜନ ନିଜ ସ୍କୁଟି ଓଡି-୨୪-ଡି- ୪୪୦୧ ନେଇ ରୁମରୁ କାର୍ଯ୍ୟାଳୟକୁ ଯିବ ବୋଲି କହିକି ଯାଇଥିଲେ।
ତା’ ପର ଠାରୁ ଆଉ ସେ ରୁମକୁ ଫେରି ନଥିଲେ। ରୁମରେ ରହୁଥିବା ପିଲା ମାନେ ନିରଞ୍ଜନର ଫୋନ ନ ଲାଗିବା ଏବଂ ରୁମକୁ ନ ଫେରିବାରୁ ତାଙ୍କ ବାପାଙ୍କୁ ଏ ନେଇ ସୂଚନା ଦେଇଥିଲେ। ନିରଞ୍ଜନର ବାପା ମଧ୍ୟ ମୋବାଇଲ ଫୋନକୁ ବାରମ୍ବାର କଲ କରିଥିଲେ ହେଁ ମୋବାଇଲଟି ସୁଇଚ୍ ଅଫ କହିଥିଲା। ରାତି ୭ଟା ବେଳେ ଜୟପୁର ଟାଉନଥାନାରେ ସହଦେବ ପୁଅର ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ। ପୁଲିସ ଏନେଇ ନିଖୋଜ ମାମଲା ରୁଜୁ କରିବା ସହ ମୋବାଇଲ ଫୋନର ଲୋକେସନ୍ଓ କଲଡିଟେଲ୍ ମଗାଇଥିଲେ। ଏଥିରେ ତାଙ୍କ ଶେଷ ଲୋକେସନ୍ ଅରବିନ୍ଦନଗର ଦେଖାଇବା ସହ ଦିନ ସାଢ଼େ ୩ଟା ବେଳେ ସୁଇଚ୍ ଅଫ କହିଥିଲା। ଘଟଣାଦିନ ହିଁ ପାରାବେଡ଼ା ଛକରେ ଥିବା ଏଟିଏମରୁ ନିରଞ୍ଜନ ୧୫୦୦ଟଙ୍କା ଉଠାଇଥିଲେ। ତାପର ଠାରୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠିନି। ମିଳିଥିବା କଲଡିଟେଲରେ ସେ ତାଙ୍କ ସହ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସକୁ ସିସିଟିଭି ଫୁଟେଜ୍ ମିଳିଛି। ଏଥିରେ ନିଖୋଜ ନିରଞ୍ଜନ ନିଜେ ହିଁ ସ୍କୁଟି ନେଇ ଘଟଣା ଦିନ ଭୋର ୪ଟାରେ କୋରାପୁଟ ଆଡକୁ ଯାଉଥିବା ଦେଖିବାକୁ ମିଳିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସମ୍ବିତ ବେହେରା। ଭୋରରେ ମିଳିଥିବା ସିସିଟିଭି ଫୁଟେଜ୍ ଏବଂ ରୁମରେ ରହୁଥିବା ଅନ୍ୟ ମାନେ କହିଥିବା ବୟାନରେ ତାଳ ମେଳ ରହୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jpr-nikhojh.jpg)