ରାୟଗଡା: ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ବିରେନ୍ଦ୍ର କରକରା ବୁଧବାର ରାୟଗଡ଼ା ଜିଲ୍ଲାରେ ଆସି ପହଞ୍ଚିଛନ୍ତି। ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସର୍ଭେର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ପରେ ସକାଳେ ରାୟଗଡ଼ା ବ୍ଲକର ହାଲୁଆ, ଗୁମା ଓ କୁମ୍ଭିକୋଟା ଗ୍ରାମ ପଞ୍ଚାୟତ ଓ ପରେ କାଶିପୁର ବ୍ଲକର ତୋୟାପୁଟ, ଦୁଡୁକାବାହାଲ, ରେଙ୍ଗା ଗୋରଖପୁର ଓ କାଶିପୁର ସର୍ଭେ କେନ୍ଦ୍ର ଗୁଡିକ ବୁଲି ସର୍ଭେ କାର୍ଯ୍ୟ ତଦାରଖ କରିଥିଲେ। ଫର୍ମପୁରଣ, ବ୍ୟବହୃତ ବିଭିନ୍ନ କୋଡର ସଠିକତା ଆଦି ପର୍ଯ୍ୟବେକ୍ଷଣ ସହ ଅଦ୍ୟାବଧି ପଞ୍ଜୀକରଣ ହୋଇ ନଥିବା ପରିବାର ଗୁଡିକ ବିଷୟରେ ତଥ୍ୟ ପଚାରି ବୁଝିଥିଲେ।
ଜିଲ୍ଲାରେ ଅଦ୍ୟାବଧି ୩୫୬୩୬ ପରିବାରର ୧୧୯୦୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ପଞ୍ଜୀକରଣ କରି ସାରିଥିବା ବେଳେ ଆସନ୍ତା ମେ ୨୦ ତାରିଖ ସୁଦ୍ଧା ଏହାର ସଂଖ୍ୟା ପୁଣି ବଢିବାର ଆଶା କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରକାଶ କରିଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ରାୟଗଡ଼ା ବ୍ଲକ ନୋଡାଲ ଅଧିକାରୀ ତଥା ରାୟଗଡ଼ା ବିଡିଓ ଲକ୍ଷ୍ମନାରାୟଣ ସାବତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ସୁପରଭାଇଜର ନିଳାଞ୍ଚଳ ମିଶ୍ର, କାଶୀପୁର ତହସିଲଦାର ଶରତ ଶବର, ବ୍ଲକ ଯୋଗାଣ ଅଧିକାରୀ ସତ୍ୟନାରାୟଣ ଭୋଇ, ପେଶା ସଂଯୋଜକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ମେ ୨୧ ଠାରୁ ୨୭ ତାରିଖ ମଧ୍ୟରେ ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କ ପଞ୍ଜୀକରଣ ନିମନ୍ତେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ ରାଜ୍ୟ ପର୍ଯ୍ୟବେକ୍ଷକ ବିରେନ୍ଦ୍ର କରକରା ଗଣମାଧ୍ୟମରେ ସହଯୋଗ କାମନା କରିଛନ୍ତି।