ଯାଜପୁର/ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡ଼ରୁ ବହୁଦିନ ହେଲା ମୋରମ୍ ଲୁଟ୍‌ ଚାଲିଥିଲା। ଗତ ୨ତାରିଖରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ ଚଢଉ କରାଯାଇ ଗାଡ଼ି ଓ ମେସିନ ଜବତ ହୋଇଥିଲା। ଆଜି ଖଣି, ରାଜସ୍ବ, ପରିବେଶ ବିଭାଗ ସହିତ ଓର୍ସାକ୍‌ର ଅଧିକାରୀମାନେ ଏହି ବେଆଇନ ଖାଦାନର ମାପଚୁପ କରିବା ସହିତ ବିଭିନ୍ନ ଦିଗ ଉପରେ ତଦନ୍ତ କରିଛନ୍ତି। ମୋରମ ମାଫିଆମାନେ କୋଟି କୋଟି ଟଙ୍କାର ମୋରମ ଲୁଟି ନେଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।

Advertisment

୨୦୨୧ ମସିହାରେ ଏହି ମାଣ୍ଡୁକା ପାହାଡ଼ର ୧୨ ଏକର ପରିମିତ ମୋରମ ଖାଦାନକୁ ୫କୋଟି ଟଙ୍କାରେ ୫ ବର୍ଷ ପାଇଁ ଲିଜ ଦିଆଯାଇଥିଲା। ମୋରମ ଉତ୍ତୋଳନ ପାଇଁ ଲିଜଧାରୀ ଭୁବନେଶ୍ୱରର ହର ପ୍ରସାଦ ସେନାପତିଙ୍କୁ ଅନୁମତି ଦିଆଯାଇଥିଲା। ତେବେ ଲିଜ୍ ଅଞ୍ଚଳ ବାହାରେ ଅନ୍ୟ ପ୍ଲଟରୁ ବେଆଇନ ଭାବେ ମୋରମ ଉତ୍ତୋଳନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୨ ତାରିଖରେ ଦର୍ପଣ ତହସିଲଦାର ଓ ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଏଠାରେ ଚଢ଼ଉ କରାଯାଇଥିଲ‌ା। ବେଆଇନ ଖାଦାନରୁ ୫ଟି ଗାଡ଼ି ଓ ଗୋଟିଏ ଏକ୍ସାଭେଟର ମେସିନ ଜବତ କରାଯାଇ ଦୁଇ ଚାଳକକୁ ଗିରଫ କରାଯାଇଥିଲା। ଆଜି ବେଆଇନ ଖାଦାନର ମିଳିତ ତଦନ୍ତ କରାଯାଇଥିଲା। ଦର୍ପଣ ତହସିଲଦାର ଶ୍ରୀ ତ୍ରିପାଠୀ, ଲଘୁ ଖଣିଜ ସମ୍ପଦ ବିଭାଗର ଖଣି ଅଧିକାରୀ ଝସକେତନ ସେଠୀ, ପରିବେଶ ବିଭାଗ, ଓର୍ସାକ୍‌ର ଅଧିକାରୀମାନେ ‌ଏହି ଚୋରା ଖାଦାନରେ ତଦନ୍ତ କରିଛନ୍ତି। ‌ ମାପଚୁପର ସବିଶେଷ ତଥ୍ୟ ମିଳିନଥିଲେ ହେଁ । ୪ ରୁ ୫ଏକର ଅଞ୍ଚଳରୁ ଚୋରି ହୋଇଥିବା ମୋରମ ବାବଦକୁ ସରକାର ପ୍ରାୟ ୨୦ କୋଟି ଟଙ୍କା ରାଜସ୍ବ ହରାଇଛନ୍ତି ବୋଲି ଆକଳନ କରାଯାଇଛି। ଏ ସମ୍ପର୍କରେ ଲଘୁ ଖଣିଜ ସମ୍ପଦ ବିଭାଗର ଉପନିର୍ଦ୍ଦେଶକ ଜେ ପି ନାୟକ କହିଛନ୍ତି ତଦନ୍ତ ରିପୋର୍ଟ ମିଳିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ। ଏଠାରୁ ନିୟମିତ ମୋରମ୍‌ ଚୋରାଚାଲାଣ ହେଉଥିବା ବେଳେ ପୁଲିସ ଓ ପ୍ରଶାସନ ଜାଣିପାରୁ ନଥିଲା କିପରି? ଏହି ଲୁଟ୍‌ ପଛରେ କିଏ ରହିଛି ବୋଲି ପ୍ରଶ୍ନ ହେଉଛି।