ହାଟଡିହି: ହାଟଡିହି ବ୍ଲକ୍‌ କେ. ବାଲିପାଳ ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ୭ଟି ୱାର୍ଡର ହିତାଧିକାରୀଙ୍କ ଦୁଇମାସର ଚାଉଳ ମିଳିନଥିବା ନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ଘଟଣାର ତଦନ୍ତ କରିଛନ୍ତି ଉପଖଣ୍ଡ ଯୋଗାଣ ଅଧିକାରୀ। ଲବଣି, ଜୁଣବାହାଳି, ମୟୂରନଚା, ଭଅଁରା, ରାଇଘାଟ-୧, ରାଇଘାଟି-୨, କେତକୀ ଗ୍ରାମର ଲୋକେ ୨୦୨୨ ନଭମ୍ବର ଓ ଡିସେମ୍ବର ମାସର ଚାଉଳ ପାଇନାହାନ୍ତି।

Advertisment

ଏନେଇ ସରପଞ୍ଚ ବିଡିଓଙ୍କୁ ଚିଠି ଲେଖି ଜଣାଇଥିଲେ। ଖବର ପ୍ରକାଶ ପାଇବା ପରେ ଚାଉଳ ବାଣ୍ଟୁଥିବା ରିଟେଲର କିଛି ହିତାଧିକାରୀଙ୍କୁ ଗୋଟିଏ ମାସର ଚାଉଳ ଦେଇଥିବା ବେଳେ ଆଉ ଗୋଟିଏ ମାସର ଦେଇନଥିଲେ। ଆଜି ଉପଖଣ୍ଡ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆ, ଆନନ୍ଦପୁର ବ୍ଲକ୍‌ ଯୋଗାଣ ଅଧିକାରୀ ଦିଲୀପ କୁମାର ସାହୁ କେ. ବାଲିପାଳ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କ ରାସନକାର୍ଡ ଦେଖିଛନ୍ତି। ଅନେକ ଲୋକ ୩/୪ମାସର ଚାଉଳ ପାଇନଥିବା ନେଇ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଖଣ୍ଡ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆଙ୍କୁ ପଚାରିବାରୁ, ତଦନ୍ତ ଚାଲିଛି। ତଦନ୍ତ ସରିଲେ କୁହାଯିବ ବୋଲି କହିଛନ୍ତି।