ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜସ୍ବ ବିଭାଗ ଶାସନ ସଚିବ

ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ ରାୟଗଡ଼ା ଉପଜିଲ୍ଲାପାଳ

ରାୟଗଡ଼ା: ରାୟଗଡ଼ାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ‘୩୦୦ ଦିଅ, ବାଲି ଉଠାଅ’ ସଂପର୍କିତ ଖବର ‘ସମ୍ବାଦ’ ରେ ପ୍ରକାଶ ପାଇବା ପରେ ସଚିବ ଶ୍ରୀ ସେଠୀ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି। ସଚିବଙ୍କ ନିର୍ଦ୍ଦେଶ ପରେ ବାଲି ଚୋରା ଚାଲାଣ ରୋକିବାକୁ ରାଜସ୍ବ ବିଭାଗ ଅଧିକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ରାୟଗଡ଼ା ତହସିଲ ଅଧୀନରେ ଥିବା ତୁମ୍ବିଗୁଡ଼ା, ବେହେରାଗୁଡା, ଗୁରୁରାଜୁଗୁଡା, ପାରତାପୁର, କେରେଡ଼ା, ଖିଲିମିଶିଗୁଡା, ବଡହଂସା, କୋତପେଟା ବାଲିଘାଟରୁ ଆନ୍ଧ୍ରକୁ ବେଆଇନ ଭାବେ ବାଲି ଚାଲାଣ ଜାରି ରହିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ସମସ୍ତ ବାଲିଘାଟକୁ ତହସିଲ ପକ୍ଷରୁ ଲିଜସୂତ୍ରରେ ଲିଜଧାରୀଙ୍କୁ ପ୍ରଦାନ କରାଯାଇଛି।

କିନ୍ତୁ ଲିଜ୍ ପାଇବା ପରେ ବିଭାଗୀୟ ନୀତି, ନିୟମକୁ ଉଲ୍ଲଂଘନ କରି ଲିଜଧାରୀ ନିଜ ଇଚ୍ଛାରେ ବାଲି ଉତ୍ତୋଳନ କରି ବାହାରକୁ ବାଲି ଚାଲାଣ କରୁଛନ୍ତି। ଏପରିକି କିଛି ବାଲିଘାଟର ୱାଇ ଫର୍ମ ଶେଷ ହୋଇଯାଇଥିବା ସତ୍ତ୍ବେ ରାତି ଅଧିଆ ବାଲି ଉତ୍ତୋଳନ ଜାରି ରଖିଛନ୍ତି। ଅସାଧୁ ଅଫିସରଙ୍କୁ ହାତବାରିସି କରି ବାଲି ମାଫିଆ ଚୋରା ଚାଲାଣ କରୁଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ମାଫିଆ ଓ ଅସାଧୁ ଅଫିସର ମାଲାମାଲ୍ ହେବାରେ ଲାଗିଛନ୍ତି। ଚୋରା ଚାଲାଣ ରୋକିବାକୁ ବିଭାଗୀୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ   ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ବାଲି ଚୋରା ଚାଲାଣ ଘଟଣାର ତଦନ୍ତ କରି ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି। ଅନ୍ୟପକ୍ଷରେ ଲିଜ୍ ଅଞ୍ଚଳରେ ସ୍ବଚ୍ଛତା ଆଣିବା ସହ ବେଆଇନ ଖନନ ରୋକିବା, ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଖନନ, ପରିବେଶ ସୁରକ୍ଷାକୁ ଗୁରୁତ୍ବ, ବେଆଇନ ଡମ୍ପିଂକୁ ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଜିଲ୍ଲାସ୍ତରୀୟ ରାଜସ୍ବ ବିଭାଗ ଅଧିକାରୀ କାର୍ଯ୍ୟକାରୀ କରୁନାହାନ୍ତି।

୨୦୨୦ ଜୁନ୍ ୨୨ ତାରିଖରେ ବିଭାଗୀୟ ପ୍ରମୁଖ ସଚିବ ଚିଠି ନଂ-୨୦୩୦୩ ରେ ପ୍ରତି ୧୫ ଦିନ ବ୍ୟବଧାନରେ ରାଜସ୍ବ ନୀରିକ୍ଷକ ବାଲିଘାଟ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଖନନ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ନଜରକୁ ଆସିଲେ ତହସିଲଦାରଙ୍କୁ ଅବଗତ କରିବାକୁ  ସଚିବ ଚିଠିରେ ଉଲ୍ଲେଖ କରିଥିଲେ। ଏଥି ସହିତ ମାସକୁ ଥରେ ତହସିଲସ୍ତରୀୟ ଟିମ୍ ସମସ୍ତ ଘାଟ ପରିଦର୍ଶନରେ ଯାଇ ଖନନ ପରିମାଣ, ଷ୍ଟକ୍ ଯାଞ୍ଚ ସହ ଲିଜ୍ ଅଞ୍ଚଳରେ ଲିଜଧାରୀ ବାଲିଘାଟ ସଂପର୍କରେ ସମସ୍ତ ତଥ୍ୟ ଏକ ସୂଚନା ବୋର୍ଡରେ ଉଲ୍ଲେଖ କରିଛନ୍ତି କି ନାହିଁ ତାହା ଅନୁଧ୍ୟାନ କରିବାର ନିୟମ ରହିଛି। କିନ୍ତୁ ରାଜସ୍ବ ସଚିବଙ୍କ ନିର୍ଦେଶକୁ ବିଭାଗୀୟ ଅଧିକାରୀ ଠିକ୍ ଭାବରେ କାର୍ଯ୍ୟକାରୀ କରୁନାହାନ୍ତି। ଯାହା ଫଳରେ ଅଧିକାଂଶ ବାଲିଘାଟରେ ଧାର୍ଯ୍ୟଠାରୁ ଅଧିକ ବାଲି ଖନନ କରାଯାଇ ଚୋରା ଚାଲାଣ ହୋଇଛି।

ଫଳରେ ସରକାର ମାସିକ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି। ଏପଟେ ବାଲି ମାଫିଆଙ୍କୁ ସୁହାଇବା ଭଳି ନୀତି ପ୍ରଣୟନ କରି ତହସିଲ କର୍ତ୍ତୃପକ୍ଷ ନିକଟରେ ୱାଇ ଫର୍ମ ପ୍ରଦାନ କରିଛନ୍ତି। ସହର ନିକଟରେ ଥିବା ତୁମ୍ବିଗୁଡ଼ା, ବେହେରାଗୁଡା ବାଲିଘାଟର ୱାଇ ଫର୍ମ ଜାନୁଆରୀ ମାସରୁ ଶେଷ ହୋଇ ଯାଇଥିବା ବେଳେ ଟ୍ରାକ୍ଟର ମାଲିକ ଦୂରରେ ଥିବା ଘାଟରୁ ବାଲି ଆଣିବାକୁ ରାଜି ହେଉ ନାହାନ୍ତି। ୯ ଦିନ ଆନ୍ଦୋଳନରେ ଟ୍ରାକ୍ଟର ମାଲିକ ବସିବା ପରେ ପ୍ରଶାସନ ଦୂରରେ ଥିବା ବାଲିଘାଟର ୱାଇ ଫର୍ମ ଆଣି ଖନନ ଯୋଗ୍ୟ ନଥିବା ଘାଟରୁ ଏବେ ବାଲି ଉଠାଉଛି।

ସମ୍ବନ୍ଧିତ ଖବର