ରାଉରକେଲାରେ ଆଇପିଏଲ୍‌ ବେଟିଂ: ବାଜି ଲାଗୁଛି ଲକ୍ଷ ଲକ୍ଷ, ଆଇଡି ଦେଉଛନ୍ତି ବେଟିଂ ଦଲାଲ

ରାୟପୁର, ମୁମ୍ବାଇ ଓ କଲିକତାରେ ରିଂ ମାଷ୍ଟର

ରାଉରକେଲା: ‘ୱିକେଟ୍‌ ପିଛା ୫ ହଜାର ଲଗାଅ, ଜିତିବ ଲକ୍ଷେ। ବଲ୍‌ ପିଛା ୨ ହଜାର ଲଗାଅ, ଜିତିବ ୫୦ ହଜାର। ରନ୍‌ ପିଛା ୧ରୁ ୪ ହଜାର ଲଗାଅ, ଜିତିବ ୪୦ ହଜାରରୁ ଏକ ଲକ୍ଷ ଟଙ୍କା। ସ୍ମାର୍ଟସିଟି ରାଉରକେଲାରେ ଚାଲିଛି ଏମିତି ବେଆଇନ ଆଇପିଏଲ୍‌ ବେଟିଂ। ଦୈନିକ ଉଡୁଛି ଲକ୍ଷ ଲକ୍ଷ ଟଙ୍କା। କେବଳ ରାଉରକେଲା ସହର ନୁହେଁ, ନୂଆଗାଁ, ବିଶ୍ରା ଓ ଅନ୍ୟ ବ୍ଲକରେ ଜୋର୍‌ସୋର୍‌ରେ ଚାଲିଛି । ଖେଳ ପରିଚାଳନା ହେଉଛି ରାଇପୁର, କଲିକତା ଓ ମୁମ୍ବାଇରୁ। ଏମାନଙ୍କୁ ସହାୟତା‌ କରୁଛନ୍ତି ରାଉରକେଲାର କୋଏଲନଗର, ନାଲା‌ରୋଡ, ପାନପୋଷ, ଝିରପାଣି ଓ ଟ୍ରାଫିକ ଗେଟ୍‌ ଅଞ୍ଚଳର କିଛି ଦଲାଲ। ଯେଉଁମାନେ ସହରର ଶିଳ୍ପପତି, ବ୍ୟବସାୟୀ ଓ କିଛି ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଜିତିବାର ଲୋଭ ଦେଖାଯାଉଛନ୍ତି। ପରବର୍ତ୍ତୀ ସମୟରେ ‌ସେମାନଙ୍କ ନାଁରେ ଖୋଲୁଛନ୍ତି ଗୋଟିଏ ଲେଖାଏଁ ଆକାଉଣ୍ଟ (ଆଇଡି)। ଯେଉଁ ଆଇଡି ଜରିଆରେ ବଲିଂ, ୱିକେଟ୍‌, ଖେଳାଳି, ରନ୍‌, ବିଜେତା ଟିମ୍‌, ଓଭର ପିଛା, ଛକା ଓ ଚୌକାରେ ଲାଗୁଛି ବାଜି।

ହଜାର ଟଙ୍କାରୁ ଆରମ୍ଭ କରି ୨୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବାଜି ଲଗାଉଛନ୍ତି ଶିଳ୍ପପତି, ବ୍ୟବସାୟୀ ଓ ଯୁବ ଗୋଷ୍ଠୀ। ଯେତିକି ଜିତୁଛନ୍ତି, ତା’ଠାରୁ ଢ଼େର ହାରୁଛନ୍ତି। ପ୍ରତ୍ୟେକ ଦିନ ଏଭଳି ବେଆଇନ ଖେଳ ଚାଲୁଥିଲେ ହେଁ ପୁଲିସ ତା’ର ଟେର ପାଉନି। ସବୁଠୁ ଆଶ୍ଚର୍ଯ୍ୟ କଥା ରାଇପୁର, କଳିକତାର କିଛି ଦଲାଲ ଆସି କୋଏଲନଗର ଓ ଝିରପାଣି ଅଞ୍ଚଳରେ ଭଡାରେ ରହୁଛନ୍ତି। ସେମାନଙ୍କୁ ସାହାଯ୍ୟ କରୁଛନ୍ତି ରାଉରକେଲାର କିଛି ଦଲାଲ। ଏମାନଙ୍କ ସହାୟତାରେ ରାଇପୁର ଓ କଲିକତାର ଆସିଥିବା ଦଲାଲମାନେ ଭରପୁର ଫାଇଦା ଉଠାଉଛନ୍ତି। ଜଣେ ଜଣେ ଦଲାଲ ବ୍ୟବହାର କରୁଛନ୍ତି ୧୫ରୁ ୨୦ଟି ମୋବାଇଲ। ଖେଳ ଆରମ୍ଭ ହେବା ମାତ୍ରେ ଅନ୍‌ ହୋଇଯାଉଛି ଏମାନଙ୍କ ‌ମୋବାଇଲ। ଆରମ୍ଭ ହୋଇଯାଉଛି ଏମାନଙ୍କ ବୋଲି (ବାଜି)। ୩/ ୪ ଘଣ୍ଟା ପରେ ବାଜି ଲଗାଉଥିବା ଟଙ୍କା ସିଧାସଳଖ ରାଇୟପୁର, ମୁମ୍ବାଇରେ ରହୁଥିବା ରିଙ୍ଗ ମାଷ୍ଟରଙ୍କ ଆକାଉଣ୍ଟକୁ ଚାଲି ଯାଉଛି।

ଦୈନିକ ଯେତିକି ଟଙ୍କା ରିଙ୍ଗ ମାଷ୍ଟର ଆକାଉଣ୍ଟକୁ ଯାଉଛି, ତା’ର ପ୍ରାୟ ୧୦ରୁ ୧୫% ରାଉରକେଲାରେ ଦଲାଲଙ୍କ ଆକାଉଣ୍ଟକୁ ଆସି ଯାଉଛି। ଫଳରେ ମାଲେମାଲ୍‌ ହେଉଛନ୍ତି ବେଟିଂ ରିଙ୍ଗ ମାଷ୍ଟର ଓ ରାଉରକେଲାର କିଛି ଦଲାଲ। ସର୍ବସ୍ବାନ୍ତ ହେଉଛନ୍ତି ଲୋଭରେ ବଶବର୍ତ୍ତୀ ଖେଳାଳୀ। କିନ୍ତୁ ଏମାନଙ୍କ ଟେର୍‌ ପାଉନି ସ୍ଥାନୀୟ ପୁଲିସ। ଦୁବାଇରେ ସେପ୍ଟେମ୍ବର ୧୯ ରୁ ଆଇପିଏଲ୍‌ ମ୍ୟାଚ୍‌ ଆରମ୍ଭ ହେବାର କିଛି ଦିନ ପରେ ରାଉରକେଲାରେ ‌ବେଟିଂ ଆରମ୍ଭ ହୋଇଛି। ରାଉରକେଲାରେ ଯେତିକି ଚାଲିଛି, ତା’ଠାରୁ ଢ଼େର ଚାଲିଛି ନୂଆଗାଁ, ବିଶ୍ରା, କୁଆରମୁଣ୍ଡା ଆଦି ବ୍ଳକରେ। ପ୍ରତ୍ୟେକ ବ୍ଲକରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି। ଦିନ ମଜୁରିଆ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ୧ ହଜାର ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବାଜି ଲଗାଉଛନ୍ତି। ଗତ ଦୁଇ ମାସ ଧରି ସହରର ଓ ଏହାର ଆଖପାଖରେ ଆଇପିଏଲ୍‌ ବେଟିଂ ଚାଲିଥିବା ସତ୍ବେ ସ୍ଥାନୀୟ ପୁଲିସ ଏ ସଂକ୍ରାନ୍ତରେ କିଛି ନ ଜାଣିପାରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୯ରେ ପ୍ଲାଣ୍ଟସାଇଟ୍‌ ପୁଲିସ ରାଉରକେଲା ଡେଲିମାର୍କେଟ, ଆନନ୍ଦଭବନ ଲେନ୍‌ରେ ଜଣଙ୍କ ଘରେ ଚାଲିଥିବା ବଡଧରଣ ଆଇପିଏଲ୍‌ ବେଟିଂ ଉପରେ ଚଢ଼ଉ କରିଥିଲା। ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ, ତା’ର ସହଯୋଗୀ ସମେତ ତାଙ୍କ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା। ଲକ୍ଷାଧିକ ଟଙ୍କା ସହ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା।

ସମ୍ବନ୍ଧିତ ଖବର