ତାଲିମ ଚାଲିଥିବା ବେଳେ ମହାନଦୀରେ ବୁଡି ଗଲେ ଆଇଆରବି ଯବାନ

ବୌଦ୍ଧ: ବୁଧବାର ମହାନଦୀରେ ବୁଡି ବୌଦ୍ଧ ଜିଲ୍ଲା ବଲାସିଙ୍ଗାସ୍ଥିତ ଆଇଆରବି ପଞ୍ଚମ ବାଟାଲିଆନର ଜୈନିକ ଯବାନଙ୍କ ମୃତ୍ୟୁ ହୋଇଛି। ଆଜି ଆଇଆରବି ଓଡ୍ରାଫ୍‌ଟ୍‌ ଟିମ୍‌ ପକ୍ଷରୁ ମହାନଦୀସ୍ଥିତ ଅନୁଗୁଳ ଜିଲ୍ଲା କିଆକଟା ଥାନା ବାଙ୍କପାଳ ଘାଟରେ ମକ୍‌ଡ୍ରିଲ୍‌ କରୁଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ଦୁର୍ଘଟଣା ଘଟିଥିଲା। ଏଠାରେ ପ୍ରଶିକ୍ଷଣ ନେଉଥିବା ଆଇଆରବି ଯବାନ ପ୍ରଦ୍ୟୁମ୍ନ ପଣ୍ଡା(୩୦) ମହାନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ବୌଦ୍ଧ ଅଗ୍ନିଶମ ବିଭାଗ, ପୁଲିସ୍‌ ଓ କିଆକଟା ପୁଲିସ୍‌ ଘଟଣାସ୍ଥଳକୁ ପହଞ୍ଚିଥିଲେ।

ଆଇଆରବି ଓଡ୍ରାଫ୍‌ଟ ଟିମ୍‌ ସହ ମିଳିତ ଭାବେ ନିଖୋଜ ପ୍ରଦ୍ୟୁମ୍ନଙ୍କୁ ଖୋଜିବା ଆରମ୍ଭ ହୋଇଥିଲା। ପ୍ରାୟ ୪ଘଣ୍ଟାର ପରିଶ୍ରମ ପରେ ମହାନଦୀର ତଳମୁଣ୍ଡ ମର୍ଜାକୁଦ ଦ୍ଵୀପ ପାଖାପାଖି ଅଞ୍ଚଳରୁ ତାଙ୍କ ଶବ ଉଦ୍ଧାର ହୋଇଥିଲା। ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଅଣାଯିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିଆକଟା ଥାନା ଅଧିକାରୀ ଅନାମ ଲାକ୍ରା ରାଜସ୍ୱ ନିରୀକ୍ଷକ ବିପିନ ଲାକ୍ରା ପ୍ରମୁଖଙ୍କ ଉପସ୍ଥିତିରେ ଶବ ତନଖି ହୋଇଥିବା ବେଳେ ପୁଲିସ୍‌ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

ଅପରପକ୍ଷେ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକେ ବୌଦ୍ଧ ପହଞ୍ଚିବା ପରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ହୋଇଥିଲା। ସହକର୍ମୀ ଯବାନଙ୍କ ମୃତ୍ୟୁରେ ଆଇଆରବି ବାଟାଲିଆନରେ ଗଭୀର ଶୋକ ପ୍ରକାଶ ପାଇଛି। ସେ ୨୦୧୧ ବ୍ୟାଚ୍‌ର ଓ ତାଙ୍କ ନିଜ ଘର ଫୁଲବାଣୀ ଜିଲ୍ଲା ଲାଇନ୍‌ପଡା ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର