‘ଆଇଆରଇର ମୋନାଜାଇଟ୍ ପ୍ଲାଣ୍ଟ୍‌ ପାଇଁ ଲୋକେ ମରୁଛନ୍ତି’ 

ଛତ୍ରପୁର : ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ଼ (ଆଇଆର୍‌ଇଏଲ୍) ପରିସରରେ ସ୍ଥାପିତ ମୋନାଜାଇଟ୍ (ଏମ୍ଓପି) ପ୍ଲାଣ୍ଟ୍‌ରୁ ନିର୍ଗତ ଦୂଷିତ ଗ୍ୟାସ୍‌ ପ୍ରଭାବରେ ବଡ଼ପୁଟି, କାଳୀପଲ୍ଲୀ, ମାଟିଖାଲ ଆଦି ଅଂଚଳର ନିରୀହ ଜନସାଧାରଣ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଯାଉଛି। ଅନ୍ୟପକ୍ଷରେ କମ୍ପାନି ଅଂଚଳବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଚାଲିଛି। ମାଟିଖାଲ ଗ୍ରାମର ଗରିବ, ହରିଜନ ପରିବାର ନିଜ ହକ୍ ପାଇଁ ଦାବି କରିଥିବାରୁ ସେମାନଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରି କମ୍ପାନି ଜେଲ୍‌ରେ ଭର୍ତ୍ତି କରିଥିଲା। ଏଣୁ ମୋନାଜାଇଟ୍ ପ୍ଲାଣ୍ଟ୍‌କୁ ତୁରନ୍ତ ବନ୍ଦ କରାଯାଉ ଏବଂ ମିଥ୍ୟା ମକଦ୍ଦମା ପ୍ରତ୍ୟାହର କରିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି।
ସେହିପରି ଭାରତୀୟ ବିରଳ ମୃତ୍ତିକା କମ୍ପାନିରେ କାର୍ଯ୍ୟରତ ଥାଇ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରର ଉତ୍ତ ରାଧିକାରୀଙ୍କୁ ଯୋଗ୍ୟତା ଭି ତ୍ତିରେ ନିଯୁକ୍ତି ମଧ୍ୟ ଦେଉନାହିଁ। ସ୍ଥାନୀୟ ଅଂଚଳର ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟଜଳ ନିମନ୍ତେ କମ୍ପାନି ସାମାଜିକ ଗୋଷ୍ଠୀ ପାଣ୍ଠିକୁ ବିନିଯୋଗ କରୁନାହିଁ। ଡିପ୍ଲୋମା ଓ ଡିଗ୍ରୀ ପାସ୍‌ କରିଥିବା ଯୁବକଯୁବତୀଙ୍କୁ କମ୍ପାନିରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, କମ୍ପାନି ଦ୍ବାରା ଜମି ଅଧିଗ୍ରହଣ ଅଂଚଳରେ ପରିବାର ପାଇଁ ଶିଶୁ ଓ ଛାତ୍ର ଅଧ୍ୟୟନ ସକାଶେ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିବା ଆଦି ୯ ଦଫା ଦାବି ନେଇ ସୋମବାର ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଇଆରଇଏଲ୍ କମ୍ପାନି ମୁଖ୍ୟଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
କମ୍ପାନି ପକ୍ଷରୁ ଜଣେ ଅଧିକାରୀଙ୍କ ବୋଲକରାରେ ନିରୀହ, ହରିଜନ ଓ ଗରିବ ପରିବାରଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯିବା ସହ ସେମାନଙ୍କ ଜମି ହଡ଼ପ କରାଯାଉଛି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଚେତାବନୀ ଦେବା ସହ ଆଗାମୀ ଦିନରେ ଦୁର୍ନୀତିଗସ୍ତ ଏହି ଅଧିକାରୀଙ୍କ ବିରୋଧରେ ଜନ ଆନ୍ଦୋଳନ କରାଯିବ। ଏହାସହ ଏମ୍‌ଓପି ପ୍ଲାଣ୍ଟ୍‌ କୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ଆଶ୍ରୟ ନିଆଯିବ ବୋଲି ସେ ଦାବି କରିଛନ୍ତି। ଆଜିର ବିକ୍ଷୋଭ ପ୍ରଦର୍ଶନ ବେଳେ କିଶୋର ଚନ୍ଦ୍ର ପାତ୍ର, ଗୁରୁ ଚରଣ ପାତ୍ର, ଗୌରୀ ଶଙ୍କର ମହାନ୍ତି, ସୂର୍ଯ୍ୟ ନାରାୟଣ ବେହେରା ଓ ଗୁରୁଦେବ ବେହେରାଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର